ନୂଆଦିଲ୍ଲୀ/ଲକ୍ଷ୍ନୌ, ୨୩।୨: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଏହି ଅବସରରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବିଶେଷ କରି ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଗରିବ ପରିବାରଙ୍କୁ ରୋଷେଇ ଗ୍ୟାସ୍ ଉପରେ ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ଉଭୟ ସରକାର ନିଜ ନିଜ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମାଗଣା ସିଲିଣ୍ଡର ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ହୋଲି ଏବଂ ଦୀପାବଳି ଅବସରରେ ଗରିବ ପରିବାରକୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଚଳିତ ହୋଲିରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୩ ଟଙ୍କା ପଠାଯିବ । ଏହି ସୁବିଧା କାହାକୁ ମିଳିବ ଆସନ୍ତୁ ଜାଣିବା । ପ୍ରାୟ ୧୭.୫ ଲକ୍ଷ ବୈଧ ରାସନ କାର୍ଡଧାରୀ ପରିବାର ଏହି ସୁବିଧା ପାଇବେ । ଯେଉଁମାନଙ୍କ ଘରେ ପାଇପଲାଇନ ଗ୍ୟାସ୍ (PNG) ସଂଯୋଗ ଅଛି, ସେମାନେ ମଧ୍ୟ ଏହି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିରୁ କିଏ କିଏ ବାଦ ପଡ଼ିବେ ? ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି ।
ଏହା ବି ପଢ଼ନ୍ତୁ... ଆଧାର ଆପ୍ରେ ବଡ଼ ପରିବର୍ତ୍ତନ : QR ଯାଞ୍ଚ, ଫେସ୍ ଅଥେଣ୍ଟିକେସନ୍ ଏବଂ ବାୟୋମେଟ୍ରିକ୍ ଲକ୍ ବ୍ୟବସ୍ଥା କରିବ UIDAI
ଉତ୍ତରପ୍ରଦେଶରେ ‘ଉଜ୍ୱଳା’ ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର:
ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ମହିଳାମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା (PMUY) ଅଧୀନରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ମହିଳାମାନେ ହୋଲି ଅବସରରେ ଏକ ମାଗଣା ଗ୍ୟାସ୍ ସିଲିଣ୍ଡର ପାଇବେ । ଏହି ନିଷ୍ପତ୍ତି ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ମହିଳାମାନେ ବିଶେଷ ଉପକୃତ ହେବେ ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ କିଏ କରିପାରିବେ ଆବେଦନ ?
ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ସଂଯୋଗ ନାହିଁ, ତେବେ କିଛି ଯୋଗ୍ୟତା ଭିତ୍ତିରେ ଆବେଦନ କରିପାରିବେ । ସେସବୁ ଯୋଗ୍ୟତା କ’ଣ ଜାଣିନିଅନ୍ତୁ । କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନେ ହିଁ ଆବେଦନ କରିପାରିବେ । ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ନାମରେ ପୂର୍ବରୁ କୌଣସି LPG ସଂଯୋଗ ରହିବା ଉଚିତ୍ ନୁହେଁ । ଆବେଦନକାରୀ ଜଣେ ଦରିଦ୍ର ସୀମାରେଖା ତଳେ (BPL) ଥିବା ପରିବାରର ହୋଇଥିବା ଆବଶ୍ୟକ ।
କିପରି କରିବେ ଆବେଦନ ?
ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଗ୍ୟାସ୍ ବିତରକ (Distributor) ନିକଟକୁ ଯାଇ କିମ୍ବା ଅନଲାଇନ ପୋର୍ଟାଲ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ । ଆବେଦନ ସମୟରେ ଆଧାର କାର୍ଡ, ରାସନ କାର୍ଡ ଏବଂ ବ୍ୟାଙ୍କ ପାସବୁକ ଭଳି ପ୍ରମାଣପତ୍ର ଆବଶ୍ୟକ ହେବ ।