ଆଜି ସ୍ୱାଧୀନତାର ଅମୃତ ଲଗ୍ନରେ ଯେତେବେଳେ ଆମେ ଅଶ୍ରୁତ ବୀରାଙ୍ଗନାମାନଙ୍କ କଥା ମନେ ପକାଉଛୁ, ଶହେ ବର୍ଷ ତଳେ ଜନ୍ମଲାଭ କରିଥିବା ମହିୟସୀ ପାର୍ବତୀ ଗିରିଙ୍କ ନାମ ସ୍ୱତଃ ହୃଦୟ ଦର୍ପଣରେ ପ୍ରତିବିମ୍ୱିତ ହେଉଛି । ସ୍ଥାନ, କାଳ, ପାତ୍ର, ଲିଙ୍ଗ ଭେଦରୁ ଉପରକୁ ଉଠି ଜନସେବାରେ ଜୀବନ ସମର୍ପିତ କରିଥିବା ମା’ ପାର୍ବତୀ ଗିରି ସମସ୍ତଙ୍କ ପାଇଁ ଉଦାହରଣ । ସେବାବ୍ରତ ହିଁ ଥିଲା ତାଙ୍କର କର୍ମ ଓ ଧର୍ମ । ନିଜକୁ ଆଜୀବନ ଶିକ୍ଷାର୍ଥୀ ଭାବି ସେ ପଢୁଥିଲେ ନିଜକୁ ଓ ଗଢୁଥିଲେ ଅନ୍ୟକୁ । ନିଃସ୍ୱାର୍ଥପର ଭାବରେ ପାର୍ବତୀ ଗିରି ଗଢ଼ି ଚାଲିଥିଲେ ସ୍ୱାବଲମ୍ୱୀ ସମାଜ: ସେବା ଓ କରୁଣା ଥିଲା ତାଙ୍କର ଦୁଇ ଆତ୍ମା ।
ତତ୍କାଳୀନ ସମ୍ୱଲପୁର ଜିଲ୍ଲାର ସମଲାଇପଦର ଗ୍ରାମରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ପିତା ଧନଞ୍ଜୟ ଗିରିଙ୍କ କୋଳମଣ୍ଡନ କରିଥିଲେ ବିଶ୍ୱଜନନୀର ଅନ୍ୟତମ ଅବିସ୍ମରଣୀୟ ପ୍ରତିଭା ପାର୍ବତୀ ଗିରି । ମହାତ୍ମା ଗାନ୍ଧୀଙ୍କ ବହୁ ପ୍ରତିକ୍ଷିତ ଅହିଂସା ନୀତି ସହ ଖଦୀ ବୁଣିବା, ହରିଜନ ସେବା, ରଚନାତ୍ମକ କାର୍ଯ୍ୟକ୍ରମ, ରାଷ୍ଟ୍ରଭାଷା ଶିକ୍ଷା, ଗୋ-ସେବା, ମହୁଚାଷ ଓ ଧନ୍ଦାମୂଳକ ଶିକ୍ଷା ଆଦି କାର୍ଯ୍ୟକୁ ଅବଲମ୍ୱନ କରିବା ସହ ସେଥିରେ ଆତ୍ମନିର୍ଭରଶୀଳ ହେବାକୁ ବହୁ ବରିଷ୍ଠ କର୍ମଜୀବୀ ଓ ନେତାମାନଙ୍କୁ ସେ ପ୍ରେରିତ କରିଥିଲେ । ଜାତିର ପିତାଙ୍କ ସ୍ଳୋଗାନରେ ଅନୁପ୍ରାଣିତ ହୋଇ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ବ୍ରିଟିଶ ସରକାରଙ୍କ ଦ୍ୱାରା କାରାବରଣ କରିବାକୁ ପଡ଼ିଥିଲା ।
ଗରିବ ଓ ଅସହାୟମାନଙ୍କର ଆଶାର ପ୍ରତୀକ ଭାବରେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ ରଖିବାର କର୍ମ ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ପ୍ରତିବଦ୍ଧତା । ସ୍ୱାଧୀନତା ପରେ ତାଙ୍କୁ ରାଜନୀତି କ୍ଷେତ୍ରରେ ଅନେକ ପଦ ପଦବୀର ସୁଯୋଗ ମିଳିଥିଲେ ମଧ୍ୟ ଜଣେ ଅସାଧାରଣ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଏସବୁକୁ ପ୍ରତ୍ୟାଖ୍ୟାନ କରି ନିଜର ସମଗ୍ର ଜୀବନ ସମାଜ ସେବାରେ ସମର୍ପଣ କରିଦେଇଥିଲେ । ପ୍ରାପ୍ତି ନୁହେଁ ତ୍ୟାଗ ଥିଲ।। ତାଙ୍କର ଜୀବନର ଧ୍ୟେୟ, ଧ୍ୟାନ ଓ ଧାରଣା ।
ଭାରତରେ ଜନ୍ମିତ ମହାପୁରୁଷ ଓ ଦିଗ୍ଜମାନଙ୍କ ପରାକାଷ୍ଠା ଏ ଜାତିକୁ ବହୁ ଦିଗ୍ଦର୍ଶନ ଦେଇପାରିଅଛି । ମହାତ୍ମାମାନେ ନରରୂପୀ ନାରାୟଣ, ଦରିଦ୍ରରୂପୀ ଦୀନବାଳକଙ୍କ ସେବା ଜାରି ରଖି ବିଶ୍ୱବନ୍ଦିତ ହୋଇପାରିଛନ୍ତି । ସେମାନଙ୍କ ପଦାଙ୍କ ଅନୁସରଣ କରି ପାର୍ବତୀ ଗିରି ସେହି ଚିରାଚରିତ ମୂଲ୍ୟବୋଧର ବାହିକା ଭାବେ ଆଜୀବନ କାର୍ଯ୍ୟ କରିଛନ୍ତି । ସହଜ ଓ ସରଳ ହେବା କଠିନ କିନ୍ତୁ ଉଭୟ ଗୁଣର ଅଧିକାରିଣୀ ଥିଲେ ପୂଜନୀୟା ପାର୍ବତୀ ଗିରି । ଜନମାନସର ଦୁଃଖ ଦୁର୍ଦ୍ଦଶାକୁ ଆପଣାର ଭାବି ସେବା କରିବାର ଦୃଢ଼ତା ପ୍ରତିପାଦନ କରିବାର ସାମର୍ଥ୍ୟ ପାର୍ବତୀ ଗିରିଙ୍କ ପାଖରେ ପ୍ରତୀୟମାନ ହେଉଥିଲ।। । ଦୁର୍ଭିକ୍ଷ ପ୍ରପୀଡ଼ତି ଅଞ୍ଚଳର ବହୁ ଅନାଥ ଶିଶୁଙ୍କର ଅବିକଳ ଓ ଅନାହାର ଅବସ୍ଥାକୁ ହୃଦୟଙ୍ଗମ କରି ୨୮ଜଣଙ୍କୁ ନେଇ ୨୮ ସେପ୍ଟେମ୍ୱର ୧୯୭୪ରେ ନୃସିଂହନାଥଠାରେ ଏକ ଅନାଥ ଆଶ୍ରମ ପ୍ରତିଷ୍ଠା କରି ଜନମାନସକୁ ନୂତନ ଦିଗ୍ଦର୍ଶନ ଦେଇଥିଲେ । ଗଠନ କରିଥିବା ଏହି ଅନାଥ ଆଶ୍ରମଟି ପରବର୍ତ୍ତୀ କ୍ଷେତ୍ରରେ ‘କସ୍ତୁରବା ଗାନ୍ଧୀ ମାତୃ ନିକେତନ’ ନାମରେ ନାମିତ ହୋଇଥିଲା ।
ତତ୍କାଳୀନ ସମ୍ୱଲପୁର ଅଞ୍ଚଳରେ ବସବାସ କରୁଥିବ।। ଜନସାଧାରଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଅନୁଭବ କରି ସମ୍ୱଲପୁର ଜିଲ୍ଲାର ଫୁଲଝରନ୍ଠାରେ ନିଷ୍ପେସିତ, ଅନାଥ ଓ ଅବହେଳିତ ଲୋକମାନଙ୍କ ପାଇଁ ‘ଡକ୍ଟର ଆଇଜାକ ସାନ୍ତ୍ରା ବାଲ୍ ନିକେତନ’ ନାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ସେବାର ଅନ୍ୟତମ ମୂର୍ତ୍ତିମନ୍ତ ପ୍ରତୀକ ଓ ଦେବୀ ଭଳି ସାରାଜୀବନ ଜଗତର ହିତ ଓ ଲୋକକଲ୍ୟାଣ ଦିଗରେ ନିଜକୁ ସମର୍ପି ଦେଇଥିଲେ ଏହି ଅଗ୍ନିକନ୍ୟା । ଭାଗୀରଥୀ ପଟ୍ଟନାୟକ, ଫକୀର ବେହେରା ଓ ମାଳତୀ ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁକ୍ତି ଚେତନା କ୍ଷେତ୍ରରେ ଆକର୍ଷିତ ହୋଇଥିଲେ । ଅଳ୍ପ ବୟସ ଅର୍ଥ ।ତ୍ ମାତ୍ର ୧୨ ବର୍ଷ ବୟସରେ ବରୀର ରାମଚନ୍ଦ୍ରପୁର ସେବାଶ୍ରମରେ ମା’ ରମାଦେବୀ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଦୁଇ ବର୍ଷ କାଳ ଏହି ସ୍ଥାନରେ ଅତିବାହିତ କରି ବିଭିନ୍ନ ସାମାଜିକ ସେବାରେ ନିଜକୁ ଉତ୍ସର୍ଗ କରିବା ପରେ ୧୯୪୦ରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମୂଲ୍ୟବୋଧ ଭିତ୍ତିକ ଜୀବନ ଜିଇଁବାର କଳାକୁ ଆପଣାର କରି ସେବାଧର୍ମ ପ୍ରତି ରହିଥିବା ମମତା ହିଁ ପାର୍ବତୀ ଗିରିଙ୍କୁ ଅନେକ ସୁନାମ ଆଣି ଦେଇଥିଲା ।
ଭାରତକୁ ସ୍ୱାଧୀନତା ଆଣିବାରେ ଏ ଦେଶକୁ ସ୍ୱତନ୍ତ୍ରତା ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ଅନନ୍ୟ ଯୋଦ୍ଧା, ଅଗ୍ନିକା, ବହ୍ନିକନ୍ୟା ଭାବେ ସତ୍ ପଥରେ ଏକାକୀ ଚାଲି କାର୍ଯ୍ୟ କରିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ ପାର୍ବତୀ ଗିରି । ୱ।।ର୍ଦ୍ଧା ଏବଂ ପରେ ଆସାମଠାରେ ସେବାକାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତକରି ଦୁର୍ଗତମାନଙ୍କର ସେବା ଜାରି ରଖିବାସହ ସ୍ୱକୀୟ ସ୍ୱତନ୍ତ୍ରତାର ପରିଚୟ ଦେଇପାରିଥିଲେ । କୌଣସି ସୀମିତତା ପାର୍ବତୀ ଗିରିଙ୍କୁ ବାନ୍ଧି ପାରି ନଥିଲା । ୧୯୫୫ ମସିହାରେ ଓଡି଼ଶାରେ ବନ୍ୟାର ବିଭୀଷିକାରେ ଦଳେଇଘାଇ ଭାଙ୍ଗିଯିବାରୁ ବିଭିନ୍ନ ଅଞ୍ଚଳରେ ବ୍ୟାପକ ବନ୍ୟାଜଳ ପ୍ଳାବିତ ହୋଇ ଅନେକ ଧନଜୀବନ କ୍ଷୟକ୍ଷତି ହେବାସହ ଲୋକମାନେ ବାସହରା ହୋଇ ଅନାହାରରେ କାଳାତିପାତ କରିଥିଲେ । ଏହିପରି ଘଡିସନ୍ଦି ମୁହୂର୍ତ୍ତରେ ପାର୍ବତୀ ଗିରି ସଂପୃକ୍ତ ବନ୍ୟାଞ୍ଚଳ ପରିଦର୍ଶନ କରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସ୍ଥଳବିଶେଷରେ ଆନୁଷ୍ଠାନିକ ଶିକ୍ଷାପ୍ରତି ଯେପରି କିଛି ବାଧାବିଘ୍ନ ନ ଘଟେ ସେଥପ୍ରତି ଅଧିକ ଗୁରୁତ୍ୱ ଦେଇଥିଲେ । ବର୍ଣ୍ଣବୈଷମ୍ୟ ଦୂର କରିବା, ତତ୍କାଳୀନ ସମାଜରେ ଚାଲିଥିବା ବିଭିନ୍ନ କୁଂସ୍କାରର ମୂଳୋତ୍ପାଟନ କରିବା, ଗାଆଁ ଗାଆଁ ବୁଲି ଲୋକମାନଙ୍କୁ ଏକତ୍ର କରି ସଂସ୍କାରମୂଳକ, ମୂଲ୍ୟବୋଧଭିତ୍ତିକ ପରାମର୍ଶ ଓ ପ୍ରେରଣା ଦେଇଥିଲେ । ଯଥାର୍ଥରେ ଜଣେ ସଂଗ୍ରାମୀ ଓ ବିପ୍ଳବିନୀ ଭାବରେ ସମଗ୍ର ଜୀବନ ସେ ଜନସେବାରେ ଉତ୍ସର୍ଗ କରିଦେଇଥତ୍ଲେ । ବରଗଡ଼ର ତତ୍କାଳୀନ ଉପ-ଜିଲ୍ଲାପାଳ ସୁଖେନ୍ଦୁ ଜ୍ୟୋତି ମଜୁମଦାରଙ୍କ ଚଉକିରେ ବସି ବ୍ରିଟିଶ ସରକାରଙ୍କୁ ଅବଜ୍ଞା କରି ଗୋରା ସରକାରଙ୍କୁ ଅବମାନନା କରିଥିବାରୁ ତାଙ୍କୁ ଦୁଇ ବର୍ଷ କାରାବରଣ ଆଦେଶ ହୋଇଥିଲା । ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଏବଂ ବିଦେଶୀ ପଦାର୍ଥକୁ ବର୍ଜନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ନାରୀମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ବୋଧନ ଦେବା ସହ ସେ ସମୟରେ ନାରୀଜାଗରଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ଅନେକ ଦୃଷ୍ଟାନ୍ତଗୁଡିକ ସ୍ୱଲିଖିତ ଡାଏରୀରୁ ଦେଖିବାକୁ ମିଳେ।
ତନ୍ମଧ୍ୟରୁ- ‘ନ ଜାଗିଲେ ଯଦି ଭାରତ ରମଣୀ ଜାଗିବ ନାହିଁ ଏ ଭାରତ ଧରଣୀ’ ନିଜର ସ୍ୱଲିଖ ଡାଏରୀ ତା.୩.୧୧.୮୭ ରିଖରେ ନୃସିଂହନାଥଠାରେ ଲେଖିଥିଲେ- ‘ଦରିଦ୍ର କୁଟୀରରେ ରହିଛି ଆମର ଜାତିର ଜୀବନ’ । ବାସ୍ତବରେ ଦେଶର ଉନ୍ନତି ଓ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ, ଦରିଦ୍ର ଅବସ୍ଥାରେ ବସବାସ କରୁଥିବା ଲୋକମାନଙ୍କର ଉନ୍ନତି ସାଧନ କରିବା, ତେବେ ଯାଇ ଦେଶକୁ ଆମେ ପ୍ରଗତି ପଥରେ ଆଗେଇ ନେଇପାରିବାର ଚିନ୍ତାକୁ ସେ ଅନୁଭବ କରିପାରିଥିଲେ । ସମାଜରେ ପ୍ରତ୍ୟେକଙ୍କ ପାଇଁ ଏକ ସମାନ୍ତରାଳ ଓ ସହାବସ୍ଥାନ ନୀତି ପ୍ରଣୟନରେ ତାଙ୍କର ପ୍ରମୁଖ ଭୂମିକା ଅନସ୍ୱୀକାର୍ଯ୍ୟ ।
ବହ୍ନି କନ୍ୟା ଭାବରେ ପରିଚିତ ପାର୍ବତୀ ଗିରିଙ୍କ ସାଧନାରେ ଆମର ମଥା ନଇଁଯାଏ । ସେ ଥିଲେ ଶକ୍ତି ସ୍ୱରୂପିଣୀ ମାଆ ପରି, ସେ ଅନ୍ୟର ଦୁଃଖରେ ହୋଇପଡୁଥିଲେ ଦୁଃଖାଭିଭୂତ । ଏହି ଦୁଃଖର ପରିସମାପ୍ତି ପାଇଁ ଅହରହ ସଂଗ୍ରାମ ଜାରି ରଖି ଜଣେ ସାଲିସ ବିହୀନ ଜନନେତ୍ରୀ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ତାଙ୍କର ଅଗ୍ନିବର୍ଷୀ ବାଣୀରେ ଆକର୍ଷିତ ହୋଇ ଯୁବଗୋଷ୍ଠୀ ଦେଶମାତୃକାର ସେବା କରିବାକୁ ଆଗେଇ ଆସୁଥିଲେ । ସେବାର ମନ୍ତ୍ରରେ ଦୀକ୍ଷିତ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ‘ପରୋପକାରାୟ ସ୍ୱର୍ଗାୟ’ ନୀତିକୁ ଆପଣାର କରି ଏହାକୁ ସ୍ମରଣୀୟ କରିବାରେ ସେ ପ୍ରାଣ ବିନିଯୋଗ କରିବାରେ ପଛାଉ ନଥିଲେ । କୁଷ୍ଠରୋଗୀଙ୍କ ସେବା ହେଉ ଅଥବା ପ୍ରସୂତୀ ଚର୍ଚ୍ଚ ।: ପାର୍ବତୀ ଗିରିଙ୍କ ସେବା ସର୍ବଦା କାମନାରହିତ ଓ ପ୍ରେମାଶ୍ରିତ ଥିଲା । ଏ ସଂସାରରୁ ବିଦାୟ ନେବା ପୂର୍ବରୁ ସେ ଆଉ ଏକ ଅନାଥ ଆଶ୍ରମ ବଲାଙ୍ଗୀର ଜିଲ୍ଲାର ପଥରଚେପାଠାରେ ଆରମ୍ଭ କରିଥିଲେ । ମାତ୍ର ବିଧାତାର ବିଧାନ ବିଚିତ୍ର । ଆଶ୍ରମ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ୬୯ ବର୍ଷ ବୟସରେ ଏହି ମହିୟସୀ ମହିଳାଙ୍କ ମହାପ୍ରୟାଣ ଅଗଷ୍ଟ ୧୮ ତାରିଖ ୧୯୯୫ରେ ଘଟିଥିଲା । ତାଙ୍କର ସଦିଚ୍ଛୁମାନଙ୍କର ସାହାଯ୍ୟ ଓ ସହଯୋଗକୁ ପାଥେୟ କରି ବଲାଙ୍ଗୀରର ‘ପଥରଚେପା’ ଠାରେ ନିର୍ମାଣଧୀନ ଥିବା ବାଳନିକେତନକୁ ପାର୍ବତୀ ଗିରିଙ୍କ ନାମରେ ନାମିତ କରିଥିଲେ । ସର୍ବୋପରି ଏହି ମହାନ୍ ଦିଗ୍ଦଷ୍ଟ୍ରା, ସୁଜ୍ଞାନୀ, ବିଦୂଷୀଙ୍କ ଜନ୍ମ ଶତବାର୍ଷିକୀ ତାଙ୍କ ଜନ୍ମସ୍ଥାନ ସମଲାଇପଦରଠାରେ ପାଳନ ହେଉଥିବା ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଉପଲକ୍ଷେ ତାଙ୍କୁ ଯେତେ ଶବ୍ଦଅର୍ଘ୍ୟ ଦେଲେ ମଧ୍ୟ ଖୁବ୍ କମ୍ ହେବ । ସେ ପ୍ରକୃତରେ ଓଡି଼ଶାର ଗର୍ବ ଓ ଗୌରବ । ତ୍ୟାଗ, ବଳିଦାନ ଓ ତପସ୍ୟାର ମୂର୍ତ୍ତିମନ୍ତ ପ୍ରତୀକ ପାର୍ବତୀ ଗିରିଙ୍କ ଆଦର୍ଶ ଆଜି ବି ଝଂକୃତ । ସେ ଅମର । କୃତି ଓ କର୍ମ ପାଇଁ ସୂକ୍ଷ୍ମ ରୂପରେ ସଦା ବିଦ୍ୟମାନ। ଦେଶମାତୃକାର ସେବା ନିମନ୍ତେ ସମଗ୍ର ଜୀବନକୁ ସମର୍ପି ଦେଇଥିବା ଏହି ମହାମନୀଷୀଙ୍କୁ ଏ ଜାତି ତରଫରୁ କୋଟି କୋଟି ପ୍ରଣାମ।