ନୂଆଦିଲ୍ଲୀ,୨୧/୦୭: ଆମେରିକାର ଲାସ୍‌ ଭେଗାସରେ ଚାଲିଥିବା ଫ୍ରୀ-ଷ୍ଟାଇଲ୍‌ ଚେସ୍‌ ଗ୍ରାଣ୍ଡସ୍ଲାମ୍‌ ଟୁର୍‌ ଟୁର୍ଣ୍ଣାମେଣ୍ଟରେ  ରବିବାର ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି ଓ ଆର୍‌. ପ୍ରଜ୍ଞାନନ୍ଦାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲୋୟର ବ୍ରାକେଟ୍‌ ସେମି  ଫାଇନାଲ୍‌ରେ ପ୍ରଜ୍ଞାନନ୍ଦା ୧-୩ରେ ବିଶ୍ୱର ଏକ ନମ୍ବର ଖେଳାଳି  ନରୱେର ମାଗନସ କାର୍ଲସେନଙ୍କ ନିକଟରୁ ହାରି ଯାଇଥିଲେ ।  ସେ ପ୍ରଥମ ଗେମ୍‌ରେ କାର୍ଲସେନଙ୍କୁ ହରାଇଥିଲେ । 

ଚଳିତ  ଟୁର୍ଣ୍ଣାମେଣ୍ଟରେ ନରୱେ ତାରକାଙ୍କ ବିପକ୍ଷରେ ଏହା ତାଙ୍କର ଦ୍ୱିତୀୟ  ବିଜୟ ରହିଥିଲା । ମାତ୍ର କାର୍ଲସେନ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ସହ ପରବର୍ତ୍ତୀ ୩ଟି ଗେମ୍‌ ଜିତିଥିଲେ । ଏହାପରେ ସେ ଲୋୟର ବ୍ରାକେଟ  ଫାଇନାଲ୍‌ରେ ୨-୦ରେ ଏରିଗାଇସିଙ୍କୁ ପରାଜିତ କରିଥିଲେ । ପୂର୍ବରୁ ଏରିଗାଇସି ମୁଖ୍ୟ ବ୍ରାକେଟର ସେମି ଫାଇନାଲ୍‌ରେ  ପରାଜିତ ହୋଇ ଟାଇଟଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ । ସେ ପଞ୍ଚମ/ ଷଷ୍ଠ ସ୍ଥାନ ମ୍ୟାଚ୍‌ରେ ଆମେରିକାର ଫାବିଆନୋ କାରୁଆନାଙ୍କୁ ଏବଂ  ପ୍ରଜ୍ଞାନନ୍ଦା ସପ୍ତମ/ଅଷ୍ଟମ ସ୍ଥାନ ମ୍ୟାଚ୍‌ରେ ଆମେରିକାର ୱେସଲି  ସୋ’ଙ୍କୁ ଭେଟିବେ । 

ସେହିପରି କାର୍ଲସେନ ଓ ଆମେରିକାର ହିକାରୁ  ନାକାମୁରାଙ୍କ ମଧ୍ୟରେ ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ ହେବ ।