ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଶୁକ୍ରବାର ରାଶିଫଳ; ଜାଣନ୍ତୁ କ'ଣ ରହିଛି ଆଜିର ଭାଗ୍ୟଫଳ…

Published By : Bijay Swain | February 28, 2025 12:50 AM

ଅଦ୍ୟ ତା.୨୮.୦୨.୨୦୨୫ରିଖ, କୁମ୍ଭ ୧୭ ଦିନ, ଫାଲ୍‌ଗୁନ ଶୁକ୍ଳପକ୍ଷ, ପ୍ରତିପଦା, ଶୁକ୍ରବାର। ପ୍ରତିପଦା : ରାତ୍ରି ୩ଟା ୧୭ମିନିଟ୍‌, ଶତଭିଷା: ଅପରାହ୍ଣ ୧ଟା ୪୦ମିନିଟ୍‌, କୁମ୍ଭ ଚନ୍ଦ୍ର : ନିଶାନ୍ତ, ୫ ଟା ୫୮ ମିନିଟ୍‌। ସୂର୍ଯ୍ୟୋଦୟ : ୬ଟା ୦୮ମିନିଟ୍‌ ୨୩ସେକେଣ୍ଡ। ସୂର୍ଯ୍ୟାସ୍ତ : ୫ଟା ୪୯ ମିନିଟ୍‌ ୩୮ ସେକେଣ୍ଡ। ଯୋଗିନୀ ଐଶାନ୍ୟେ, ସକାଳ୬ଟା ୧୫ ମିନିଟ୍‌ ଗତେ ପୂର୍ବେ। ମୃତେ ଅପରାହ୍ଣ ୧ଟା ୪୦ ମିନିଟ୍‌ ଗତେ ଏକ ପାଦ, ରାତ୍ରି ୩ଟା ୧୮ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ। ପାଣିକଖାରୁ ଖାଇବା ମନା, ଖାଇଲେ ଅର୍ଥହାନି। ଅମୃତବେଳା : ସକାଳ ୬ଟା ୫୨ମିନିଟ୍‌ ଗତେ, ଅପରାହ୍ଣ ୧ଟା ୦୯ ମିନିଟ୍‌ ମଧ୍ୟେ, ୪ଟା ୧୮ ମିନିଟ୍‌ ଗତେ, ୫ଟା ୦୫ମିନିଟ୍‌ ମଧ୍ୟେ।

ଆଜିର ରାଶିଫଳ

ମେଷ : ଏକାଦଶ ଚନ୍ଦ୍ର ଯୋଗୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଆୟର ନୂତନ ମାର୍ଗ ଖୋଲିବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଆଦି କରିପାରନ୍ତି। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତି ମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ଆରମ୍ଭର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ।

ବୃଷ : ଦଶମ ଚନ୍ଦ୍ର, ଗୁରୁବାର ଯୋଗୁ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ସମସ୍ତ ଅଟକିଥିବା କାମ ଓ ବନ୍ଦ ହୋଇଥିବା କାମ ସଫଳତାର ସହ ସମ୍ପାଦନ କରିବେ ଏବଂ ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ। ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ। ଶୁଭରଙ୍ଗ : ନୀଳ, ସଂଖ୍ୟା : ୧୨, ଆରାଧନା : ମା’ କମଳା।

ମିଥୁନ : ଘାତଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ। ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୮, ଆରାଧନା : ମା’ ତ୍ରିପୁର ସୁନ୍ଦରୀ ।

କର୍କଟ : ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ା ପଣ ପ୍ରକାଶ ପାଇବ। ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ଓ ସମସ୍ତ କର୍ମ ବିବାଦୀୟ ହେବ। ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ଧଳା, ସଂଖ୍ୟା : ୧, ଆରାଧନା : ମା’ ଭୁବନେଶ୍ୱରୀ।

ସିଂହ : ସପ୍ତମ ଚନ୍ଦ୍ର ଯୋଗୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୩, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା : ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ। ଯେଉଁ ମାନଙ୍କର ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରାକନ୍ୟା, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ସବୁଜ, ସଂଖ୍ୟା : ୪, ଆରାଧନା : ମା’ ଷୋଡ଼ଶୀ।

ତୁଳା : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ରଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ଲୋପ୍‌ ପାଇବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପାରିବାରିକ ବିବାଦ ଓ ଜମିଜମା ବିବାଦ ଲାଗି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ। ଯେଉଁମାନଙ୍କର ସ୍ୱାତୀ ଓ ବିଶାଖା ତୁଳା, ସେମାନେ ସତର୍କ ହେବେ ।ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୨, ଆରାଧନା : ମା’ ସମଲେଶ୍ୱରୀ।

ବିଛା : ଘାତବାର ଓ କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଧନ ସତ୍‌ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ବିଫଳତା ଓ ପ୍ରମୋଶନ ମିଳିପାରେ। ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।

ଧନୁ : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ଖବର ମିଳିପାରେ। ତୃତୀୟ ଚନ୍ଦ୍ର ଓ ଅପରାହ୍ଣ ୧ଟା ୪୦ ମିନିଟ୍‌ ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ। ମନରେ ଦୃଢ଼ଇଚ୍ଛାଶକ୍ତି ଏବଂ ମନୋବଳ ଦୃଢ଼ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଗଜାନନ।

ମକର : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ସତର୍କ ହେବେ। ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ।

କୁମ୍ଭ : ଶ୍ରୀ ଚନ୍ଦ୍ର, ଶୁକ୍ରବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ। ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ସ୍ୱଜନ, ପରିଜନଙ୍କ ସହଯୋଗ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ଧନିଷ୍ଠାକୁମ୍ଭ, ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଧୂସର, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ।

ମୀନ : ଘାତବାର ଏବଂ ଘାତଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରିବେ। ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ନିଶ୍ଚିତତାକୁ ପରିତ୍ୟାଗକରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ତାରା।



ଜ୍ୟୋତିର୍ବିଦ୍‌: କୈଳାସ ଦାଶ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.