ମାଲକାନଗିରି, ୩୦/୧୦ (ଆପ୍ର ) : ସାଙ୍ଗର ପତ୍ନୀଙ୍କୁ ଅସଦାଚରଣ କରିବା ସାଙ୍ଗକୁ ମହଙ୍ଗା ପଡିଛି। ନିଜ ସାଙ୍ଗକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଲା ସାଙ୍ଗ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ଦରୀଗୁଡା ଗ୍ରାମରେ। ଗତ ୨୮ ତାରିଖରେ ତମସା କେନାଲରୁ ମୃତ ଶରୀର ଜବତ ଘଟଣାର ତଦନ୍ତ କରି ପର୍ଦ୍ଦାଫାସ କରିଛି ପୁଲିସ । ମୃତ ବ୍ୟକ୍ତି ଜଣକ ହେଲେ ଲାଲେନ ମାଡ଼ି । ଏହି ଘଟଣାରେ ପୁଲିସ ସୁକାନ୍ତ ପଡ଼ିଆମିଙ୍କୁ ଗିରଫ କରିଛି।
ମାଲକାନଗିରି ଥାନା ସ୍ଥ ତୁମୁସାପଲି ପଞ୍ଚାୟତର ଇର୍ମାଗୁଡା ଗ୍ରାମର ସୁକାନ୍ତ ପଡ଼ିଆମି (୩୪) ଓ ଦରୀଗୁଡା ଗ୍ରାମର ଲାଲେନ ମାଢି (୩୦) ଦୁଇ ଜଣ ବନ୍ଧୁ ଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ସୁକାନ୍ତଙ୍କ ପତ୍ନୀଙ୍କୁ ଲାଲେନ ଅସଚାଚାରଣ କରିଥିଲେ।ଅନ୍ତରଙ୍ଗ ବନ୍ଧୁ ବୋଲି ସେତେବେଳେ ଘଟଣାଟି ଥାନାରେ ସୁକାନ୍ତ ରିପୋର୍ଟ ଦେଇନଥିଲେ । ଗତ ୨୭ ତାରିଖ ସନ୍ଧ୍ୟାରେ ଲାଲେନ,ସୁକାନ୍ତ ଏବଂ ଦରିଗୁଡ଼ା ଗ୍ରାମର ତ୍ରିନାଥ ସୋଡି ଇର୍ମାଗୁଡ଼ା ଗ୍ରାମର ମିଟୁଙ୍କ ଘରେ ମଦ୍ୟପାନ କରିଥିଲେ। ତା'ପରେ ଲାଲେନ ଏବଂ ସୁକାନ୍ତ ମୋଟର ସାଇକେଲରେ ସୁକାନ୍ତଙ୍କ ଘରକୁ ଯାଇଥିଲେ। ପୁନର୍ବାର ଉଭୟ ସୁକାନ୍ତଙ୍କ ଘରେ ମଦ୍ୟପାନ କରିଥିଲେ। ମଦ ନିଶାରେ ସୁକାନ୍ତ ଶୋଇପଡିଥିଲେ। ମଧ୍ୟ ରାତ୍ରରେ ଲାଲେନ ମାଢି ପୁଣି ନିଜ ଘରୁ ଫେରି ଆସି ସୁକାନ୍ତଙ୍କ ଘରେ ପଶିଥିଲେ। ସୁକାନ୍ତଙ୍କ ପତ୍ନୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ । ସୁକାନ୍ତଙ୍କ ସ୍ତ୍ରୀ ଚିତ୍କାର କରିବାରୁ ସୁକାନ୍ତ ପଡ଼ିଆମି ଉଠି ପଡ଼ିଥିଲେ। ସୁକାନ୍ତ ଉଠିପଡିବା ଦେଖି ଲାଲେନ ଘଟଣାସ୍ଥଳରୁ ମଟର ସାଇକେଲ ନେଇ ପଳାଇ ଯାଇଥିଲେ । ସୁକାନ୍ତ ରାଗି ଯାଇ ଘରୁ ଏକ ଛୁରୀ ଧରି ଲାଲେନ ପଛେ ପଛେ ଦୌଡିଥିଲେ। ଘରୁ ପ୍ରାୟ ୧୫୦ ମିଟର ଦୂରରେ କେନାଲ ରାସ୍ତାରେ ମୋଟର ସାଇକେଲ ଅଟକାଇ ଲାଲେନଙ୍କୁ ସୁକାନ୍ତ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ। ସେ ତଳେ ପଡିଯିବାରୁ ତାଙ୍କ ମୃତ ଶରୀର ଏବଂ ମୋଟର ସାଇକେଲକୁ କେନାଲ ପାଣି ଭିତରେ ଫିଙ୍ଗି ଦେଇ ପଳାଇ ଆସିଥିଲେ।
ଗତ ୨୮ ତାରିଖ ସକାଳେ ଦରୀଗୁଡା ଗ୍ରାମ ନିକଟ ତମସା କେନାଲରେ ଏକ ମୃତ ଶରୀର ଭାସୁଥିବା ଓ ମଟର ସାଇକେଲ ପଡ଼ିଥିବାର ଦେଖି ଗ୍ରାମବାସୀ ଲାଲେନ ମାଢିଙ୍କ ଘର ଲୋକଙ୍କୁ ଜଣାଇଥିଲେ। ମୃତଙ୍କ ପରିବାର ଥାନା ରେ ଏତଲା ଦେବା ପରେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। କୋରାପୁଟ ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ସୁକାନ୍ତଙ୍କୁ ପୁଲିସ ଗିରଫ କରିବା ସହ ଛୁରୀ ଜବତ କରିଛି। ସୁକାନ୍ତକୁ କୋର୍ଟ ଚାଲାଣ କରା ଯାଇଛି ବୋଲି ମାଲକାନଗିରି ଥାନା ଆଇଆସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।