ନୂଆଦିଲ୍ଲୀ,୨୭/୦୩: ଟିମ୍‌ ଇଣ୍ଡିଆକୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ୍‌ କରାଇବା ପରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର  ପରିବାର ସଦସ୍ୟଙ୍କ ସହ ଫ୍ରାନ୍ସରେ ଛୁଟି କଟାଉଛନ୍ତି । ତାଙ୍କ ସହ ପତ୍ନୀ ନତାଶା ଏବଂ ଦୁଇ ଝିଅ ଆଜିନ୍‌ ଓ ଅନାଇଜା ମଧ୍ୟ ରହିଛନ୍ତି । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଫଟୋ  ଛାଡ଼ି ଏବିଷୟରେ ଜଣାଇଛନ୍ତି । 

ଆଇପିଏଲ୍‌ ଜାରି ରହିଥିବାରୁ  ଭାରତୀୟ ଦଳର ଏବେ କୌଣସି କ୍ରୀଡ଼ାସୂଚୀ ନାହିଁ । ତେଣୁ ଗମ୍ଭୀର ସପରିବାର ସହ ଗତ ସପ୍ତାହ ୱେଷ୍ଟର୍ଣ୍ଣ ୟୁରୋପ୍‌ ଯାତ୍ରା କରିଥିଲେ । ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ସୂଚୀ ପରେ ବିଶ୍ରାମ ଜରୁରୀ । 




ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ  ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ବିଶ୍ୱକପ୍‌  ସହ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ବିସିସିଆଇ  ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଥିଲା । ଗମ୍ଭୀର କୋଚ୍‌  ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଘରୋଇ ମାଟିରେ  ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆ ଗସ୍ତରେ  ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା ।  

ଯାହାକୁ ନେଇ ଗମ୍ଭୀରଙ୍କୁ କଡ଼ା ସମାଲୋଚିତ ହେବାକୁ  ପଡ଼ିଥିଲା । ମାତ୍ର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅପରାଜେୟ  ରହିବା ସହ ତୃତୀୟ ଥର ଚାମ୍ପିଅନ୍‌ ହୋଇଥିଲା । ଫାଇନାଲ୍‌ରେ  ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।  ସୂଚନାଯୋଗ୍ୟ, ଭାରତ ଆଗାମୀ ଜୁନ ମାସରେ ଇଂଲଣ୍ଡ ଗସ୍ତ  କରି ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହାପରେ ଦଳ  ବାଂଲାଦେଶ ଗସ୍ତ କରିବାକୁ ଥିବାବେଳେ ଘରୋଇ ମାଟିରେ  ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବ ।