ଗୟା ୨୮/୧୧: ଏବେ ରସୁଣ ବି ଲୁଟେରାଙ୍କ ଟାର୍ଗେଟ୍‌ରେ । ଗୟା ଜିଲ୍ଲାର ଶେରଘାଟୀ  ଅଞ୍ଚଳରେ ଲୁଟେରାମାନେ ଏକ ଗୋଦାମରୁ ୨୫ ଲକ୍ଷ ଟଙ୍କାର  ରସୁଣ ଲୁଟିନେଇଛନ୍ତି । ଶେରଘାଟୀ ଅନୁମଣ୍ଡଳ ମୁଖ୍ୟାଳୟ  ନିକଟସ୍ଥ ଅକୌନା ବସ୍ତିରେ ଗତ ସୋମବାର ସକାଳେ ଏହି ଘଟଣା  ଘଟିଥିଲା । ଟ୍ରକ୍‌ରେ ଆସିଥିବା  ଲୁଟେରାମାନେ ଜଣେ  ବ୍ୟବସାୟୀଙ୍କ ଗୋଦାମରୁ ୨୫  ଲକ୍ଷ ଟଙ୍କାର ରସୁଣ ଓ ଅନ୍ୟ  ସାମଗ୍ରୀ ଲୁଟିନେଲେ । ଲୁଟ୍‌ର  ଶିକାର ହୋଇଥିବା ବିସ୍ମିଲ୍ଲାହ  ଟ୍ରେଡର୍ସ ନାମକ ଫାର୍ମ ଜିଟି  ରୋଡ୍‌ରେ ଅବସ୍ଥିତ । 

ପୀଡ଼ିତ  ବ୍ୟବସାୟୀ ଶେଖ୍‌ ଅବଦୁଲ୍ଲା କହିଛନ୍ତି, ପ୍ରାୟ ୨୦ ଜଣ ଲୁଟେରା  ପ୍ରଥମେ ଗୋଦାମ ପଛ କାନ୍ଥରେ ସିଡ଼ି ଲଗାଇ ଭିତରେ ପଶିଲେ।  ସେଠାରେ ଉପସ୍ଥିତ ୩ କର୍ମଚାରୀଙ୍କୁ ଅସ୍ତ୍ର ବଳରେ ବନ୍ଦୀ କରି ମୁଖ୍ୟ  କବାଟର ତାଲା ଖୋଲିଲେ ଏବଂ ଟ୍ରକ୍‌କୁ ଭିତରକୁ ନେଲେ । ଦେଢ଼  ଘଣ୍ଟା ମଧ୍ୟରେ ଟ୍ରକ୍‌ରେ ୧୫୦ ବସ୍ତା ରସୁଣ ଓ ପ୍ରାୟ ସେତିକି ଅଟା  ବ୍ୟାଗ୍‌ ଟ୍ରକ୍‌ରେ ଲଦିଲେ । ସିସିଟିଭି କ୍ୟାମେରାର ମେସିନ୍‌କୁ ତାଡ଼ି  ସାଙ୍ଗରେ ନେଇଗଲେ । ଜଣେ କର୍ମଚାରୀଙ୍କର ଏକ ମୋବାଇଲ  ଫୋନ୍‌ ଓ ଗୋଟିଏ ସୁନା ଚେନ୍‌ ମଧ୍ୟ ଲୁଟିନେଲେ । ଘଟଣାର ଖବର  ପାଇ ସ୍ଥାନୀୟ ପୁଲିସ ଛାନ୍‌ଭିନ ଆରମ୍ଭ କଲା । ଯାଞ୍ଚ୍‌ ପାଇଁ ଅନେକ  ଟିମ୍‌ ଗଠନ କରାଯାଇଛି । ୨୫ ଲକ୍ଷ ଟଙ୍କାର ରସୁଣ ଲୁଟ୍‌ ଘଟଣା  ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।