ନୂଆଦିଲ୍ଲୀ, ୦୧/୦୯: ଗାଜାକୁ ନେଇ ଆମେରିକା ଓ ଇସ୍ରାଏଲର ବଡ଼ ପ୍ଲାନ୍ । ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ବ୍ଲୁ-ପ୍ରିଣ୍ଟ । ଯାହାକୁ ନେଇ ଏବେ ସବୁଠି ଖୁବ୍ ଚର୍ଚ୍ଚା । ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ ନିକଟରେ ଥିବା ଦସ୍ତାବିଜରୁ ୱାସିଂଟନ୍ ପୋଷ୍ଟରେ ଏଭଳି କିଛି ଦାବି ହୋଇଛି । ଏହି ରିପୋର୍ଟ ମୁତାବକ, ଗାଜାର ୨୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତର କରାଯିବ । ସେମାନଙ୍କୁ ମିଶର, କତାର ଏବଂ ପାଲେଷ୍ଟାଇନର ଏକ ବଡ଼ ଅଞ୍ଚଳରେ ଅବସ୍ଥାପିତ କରାଯିବ । ଗାଜାର ପୁନର୍ବିକାଶ ନହେବା ପର୍ଯ୍ୟନ୍ତ ଲୋକମାନେ ଏହି ସ୍ଥାନରେ ଶରଣାର୍ଥି ହୋଇ ରହିବେ । ଏଥିପାଇଁ ଗାଜା ଛାଡ଼ିଥିବା ପାଲେଷ୍ଟିନୀୟଙ୍କୁ ଡିଜିଟାଲ ଟୋକନ ପ୍ରଦାନ କରାଯିବ । ଏହା ଛଡ଼ା ନଗଦ ଟଙ୍କା ମଧ୍ୟ ଦିଆଯିବ ।
ଗାଜାରୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଲୋକେ ଯେଉଁଠାରେ ରହିବେ, ସେଠାରେ ଖାଦ୍ୟପେୟର ସୁବିଧା ଉପଲବ୍ଧ ରହିବ । ଏହା ବ୍ୟତୀତ ଭଡ଼ା ସବ୍ସିଡି ମଧ୍ୟ ଦିଆଯିବ । ଗାଜାର ବାସିନ୍ଦାଙ୍କୁ ଅସ୍ଥାୟୀ ଭାବରେ ଏପରି ସ୍ଥାନାନ୍ତର କରିବା ଯୋଜନାକୁ ‘ଭୋଲୁଣ୍ଟାରୀ ଡିପାର୍ଚର୍’ କୁହାଯାଉଛି । ଯାହା ମାଧ୍ୟମରେ ଲୋକମାନେ ଅନ୍ୟ ଏକ ଦେଶକୁ ଯିବେ କିମ୍ୱା ସେମାନଙ୍କୁ ଏକ ନିଦ୍ଧିଷ୍ଟ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯିବ । ଗାଜାର ଲୋକଙ୍କୁ ପାଖାପାଖି ୪ ବର୍ଷ ପାଇଁ ଅନ୍ୟତ୍ର ରଖିବାକୁ କରାଯାଇଥିବା ଯୋଜନା ଉପରେ କାମ ଚାଲିଛି । ଏଥିପାଇଁ ସେମାନଙ୍କୁ ୪ ବର୍ଷ ପାଇଁ ଭଡ଼ା ସବସିଡି ଦିଆଯିବ ଏବଂ ବର୍ଷେ ପାଇଁ ଖାଦ୍ୟପେୟ ତଥା ଆତ୍ୟାବଶକୀୟ ଜିନିଷର ବ୍ୟବସ୍ଥା କରାଯିବ । ଆମେରିକା ଏବଂ ଇସ୍ରାଏଲର ରଣନୀତିକାରମାନେ ଏହି ପ୍ଲାନର ଏକ ଆକର୍ଷଣୀୟ ନାମ ଦେଇଛନ୍ତି ଏବଂ ତାହା ହେଉଛି- GREAT । ଅର୍ଥାତ Gaza Reconstitution, Economic Acceleration, and Transformation।
ଗାଜାକୁ ଟୁରିଷ୍ଟ ଡେଷ୍ଟିନେସନ୍ରେ ରୂପାନ୍ତରଣ କରିବାକୁ ଆମେରିକାର ପ୍ଲାନ୍ କରୁଛି । ସେଥିପାଇଁ ଗାଜାରେ Gaza Trump Riviera ବିକଶିତ କରାଯିବ । ଏହା ବ୍ୟତୀତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ସ୍ମାର୍ଟ ସିଟି ଗଠନ କରାଯିବ । ସ୍କୁଲ, ହସ୍ପିଟାଲ, ଇଣ୍ଡଷ୍ଟ୍ରୀ, ଗ୍ରୀନ ସ୍ପେସ୍ ଭଳି ବ୍ୟବସ୍ଥା ରହିବା ସହ ବଡ଼ ବଡ଼ ଆପାର୍ଟମେଣ୍ଟ ମଧ୍ୟ ତିଆରି କରାଯିବ । ଗାଜାର ଯେଉଁ ଲୋକମାନଙ୍କୁ ଅସ୍ଥାୟୀ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ସେମାନଙ୍କୁ ଏହି ଆପାର୍ଟମେଣ୍ଟରେ ଫ୍ଲାଟ୍ ଦିଆଯିବ । ଗାଜାର ଲୋକମାନେ ନିଜ ଜାଗା ପରିବର୍ତ୍ତେ ମିଳିଥିବା ଡିଜିଟାଲ ଟୋକନ୍ର ବ୍ୟବହାର କରି ଫ୍ଲାଟ୍ ପାଇପାରିବେ । ଏହି ମାମଲାରେ ଏପର୍ଯ୍ୟନ୍ତ ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।
ଖବର କାଗଜରେ ପ୍ରକାଶ ପାଇଛି ଯେ, ଗାଜାକୁ ନେଇ କରାଯାଇଥିବା ଏହି ପ୍ଲାନ୍ରେ ଆମେରିକାର ଫଣ୍ଡର ଆବଶ୍ୟକତା ରହିବନି ବରଂ ଏହା ଲାଭଦାୟକ ହେବ । ଏହି ପ୍ରୋଜେକ୍ଟ ଜରିଆରେ ବିଶ୍ୱର ନିବେଶକଙ୍କୁ ଆମନ୍ତ୍ରଣ କରାଯିବ । ଇଲେକ୍ଟ୍ରିକ୍ ଯାନବାହନ ପ୍ଲାଣ୍ଟଠାରୁ ଆରମ୍ଭ କରି ଡାଟା ପର୍ଯ୍ୟନ୍ତ ସମସ୍ତ ସବୁକିଛି ଏଠାରେ ନିର୍ମାଣ କରାଯିବ । ଏହା ବ୍ୟତୀତ ବହୁତ ସୁଉଚ୍ଚ ଅଟ୍ଟାଳିକା ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରୋଜେକ୍ଟରେ ପ୍ରାୟ ୧୦୦ ଅରବ ଡଲାରର ପ୍ରାରମ୍ଭିକ ନିବେଶ କରିବାର ଯୋଜନା ରହିଛି । ଏହା ପରେ ଏହି ପ୍ରୋଜେକ୍ଟ ନିଜେ ହିଁ ଫଣ୍ଡ ସୃଷ୍ଟି କରିବ ।