ନୂଆଦିଲ୍ଲୀ,୨୮/୦୨: ଆର୍ଥିକବର୍ଷ ୨୦୨୫-୨୬ର ତୃତୀୟ ତ୍ରୟମାସରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ରହିଛି ୭.୮% । ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଏଥର ଜିଡିପିର ଗଣନା ମୂଳ ବର୍ଷ ୨୦୧୧-୧୨ ବଦଳରେ ୨୦୨୨-୨୩ ଆଧାରରେ କରାଯାଇଛି । ସଂଶୋଧିତ ସିରିଜ୍ ଅନୁସାରେ, ୨୦୨୫-୨୬ ଆର୍ଥିକବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବଢ଼ିଛି, ଯାହାକି ପୂର୍ବ ଆର୍ଥିକବର୍ଷ ସମାନ ତ୍ରୟମାସରେ ଥିଲା ୭.୪% । ଏହି ନୂଆ ସିରିଜ୍ ହିସାବରେ ଆଲୋଚ୍ୟ ତ୍ରୟମାସରେ ବାସ୍ତବ ଜିଡିପି ୮୪.୫୪ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ଆର୍ଥିକବର୍ଷ ସମାନ ତ୍ରୟମାସରେ ୭୮.୪୧ ଲକ୍ଷ କୋଟି ଟଙ୍କା ଥିଲା । ସରକାର ସମ୍ପୂର୍ଣ୍ଣ ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ଅନୁମାନକୁ ବଢ଼ାଇ ୭.୬% କରିଦେଇଛନ୍ତି, ଯାହା ପୂର୍ବ ଆର୍ଥିକବର୍ଷ ଥିଲା ୭.୧% ।
୨୦୨୫-୨୬ରେ ବାସ୍ତବ ଜିଡିପି ଅଭବୃଦ୍ଧି ଅନୁମାନ ୭.୬% ଥିବାବେଳେ ନୋମିନାଲ ଜିଡିପି ୮.୬% ବଢ଼ିବା ନେଇ ଆକଳନ କରାଯାଇଛି । ଦ୍ୱିତୀୟ ତ୍ରୟମାସର ୮.୪% ଏବଂ ତୃତୀୟ ତ୍ରୟମାସର ୭.୮% ଅଭିବୃଦ୍ଧିକୁ ଆଖିଆଗରେ ରଖି ଏହି ଅନୁମାନ କରାଯାଇଛି । ୨୦୨୩-୨୪ରେ ୭.୨% ଏବଂ ୨୦୨୪-୨୫ରେ ୭.୧%ର ବାସ୍ତବ ଜିଡିପି ଅଭିବୃଦ୍ଧି ରହିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ୫୦% ଟାରିଫ୍ ପରେ ଏହି ତ୍ରୟମାସିକ ରିପୋର୍ଟ ପ୍ରକାଶ ପାଇଛି । ଏଥିରୁ ଜଣାପଡ଼ିଛି ଟ୍ରମ୍ପ ଟାରିଫ୍ ସତ୍ତେ୍ୱ ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ରହିଛି ।
ବିଶ୍ୱ ଅନିଶ୍ଚିତତା ସତ୍ତେ୍ୱ ଭାରତର ୭.୮% ଅଭିବୃଦ୍ଧି ହାର ଏହା ଦର୍ଶାଉଛି ଯେ, ଘରୋଇ ଚାହିଦା ଏବଂ ବିନିର୍ମାଣ କ୍ଷେତ୍ରରେ ଦୃଢ଼ତା ବଜାୟ ରହିଛି । ପ୍ରକାଶଯୋଗ୍ୟ, ଜିଡିପିର ନୂଆ ସିରିଜ୍ରେ ୨୦୨୨-୨୩କୁ ମୂଳବର୍ଷ ଭାବେ ଗ୍ରହଣ କରାଯାଇଛି । ଆର୍ଥିକ ଅନୁମାନକୁ ଅଧିକ ସଠିକ୍ କରିବା ଲାଗି ଏଥିରେ ଏବେ ଜିଏସ୍ଟି ନେଟ୍ୱର୍କ, ଇ-ଯାନ ଡାଟାବେସ୍ ଏବଂ ଘରେ କାର୍ଯ୍ୟ କରୁଥିବା ରୋଷେୟା, ଡ୍ରାଇଭର ଓ ଘରୋଇ ସହାୟକଙ୍କ ସେବା ସହ ଜଡି଼ତ ଡାଟାକୁ ସାମିଲ କରାଯାଇଛି । ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ, ଅର୍ଥବ୍ୟବସ୍ଥାକୁ ବିନିର୍ମାଣ କ୍ଷେତ୍ରର ଯୋଗଦାନ ଉଲ୍ଲେଖନୀୟ ରହିଛି । ବାଣିଜ୍ୟ, ମରାମତି, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ସେବା ସମ୍ବନ୍ଧୀୟ କ୍ଷେତ୍ରଠାରୁ ପ୍ରସାରଣ ଏବଂ ଭଣ୍ଡାରଣ ଆଦି ବର୍ଗରେ ସ୍ଥାୟୀ ମୂଲ୍ୟରେ ଅଭିବୃଦ୍ଧି ୧୦.୧% ରହିଛି ।
ଅଧିକ ପଢ଼ନ୍ତୁ :- ବଦଳିଗଲା ଫ୍ଲାଇଟ୍ ଟିକେଟ୍ କ୍ୟାନସେଲ କରିବାର ନିୟମ, ବୁକିଂର ୪୮ ଘଣ୍ଟା ଭିତରେ ଦେବାକୁ ପଡ଼ିବନି ଚାର୍ଜ