ନୂଆଦିଲ୍ଲୀ, ୧/୦୩: ଚଳିତ  ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୫% ହାରରେ ବଢ଼ିବ । ଜାତୀୟ ପରିସଂଖ୍ୟାନ  କାର୍ଯ୍ୟାଳୟ(ଏନ୍‌ଏସ୍‌ଓ)ର ଦ୍ୱିତୀୟ ଅଗ୍ରିମ  ଆକଳନରେ ଏହା କୁହାଯାଇଛି । ତେବେ  ଏହା ହେବ ୪ ବର୍ଷର ସର୍ବନିମ୍ନ ସ୍ତର ।  ପ୍ରଥମ ଅଗ୍ରିମ ଆକଳନରେ ୬.୪% ଅଭିବୃଦ୍ଧି ଅନୁମାନ କରିଥିଲା ଏନ୍‌ଏସ୍‌ଓ ।  ଅର୍ଥନୀତିଜ୍ଞଙ୍କ ମତରେ, ୬.୫% ଅଭିବୃଦ୍ଧି  ହାସଲରେ ବଡ଼ ଯୋଗଦାନ ଦେବ  କୁମ୍ଭମେଳା ।  

ଏନ୍‌ଏସ୍‌ଓ ପକ୍ଷରୁ ଜାରି  ତଥ୍ୟ ଅନୁସାରେ ଚଳିତ ଆର୍ଥିକବର୍ଷର  ଅକ୍ଟୋବର-ଡିସେମ୍ବର ଅର୍ଥାତ୍‌ ତୃତୀୟ  ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୨%  ରହିଛି, ଯାହାକି ପୂର୍ବ ତ୍ରୟମାସରେ  ୫.୬% ଥିଲା । ଉତ୍ତମ ମୌସୁମୀ ଏବଂ  ସରକାରୀ ଖର୍ଚ୍ଚରେ ବୃଦ୍ଧି କାରଣରୁ ତୃତୀୟ  ତ୍ରୟମାସ ଅଭିବୃଦ୍ଧିରେ ସୁଧାର ଆସିଛି । ସେହଭିଳି ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ବି  ଅର୍ଥନୀତିକୁ ତ୍ୱରାନ୍ୱିତ କରିଛି । ନିକଟରେ  ଶେଷ ହୋଇଥିବା ମହାକୁମ୍ଭ ୨୦୨୪-୨୫  ଆର୍ଥିକବର୍ଷରେ ଭାରତର ୬.୫% ଅଭିବୃଦ୍ଧି  ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି  ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା(ସିଇଏ)  ଭି. ଅନନ୍ତ ନାଗେଶ୍ୱରନ ପ୍ରକାଶ କରିଛନ୍ତି । 

ସିଇଏ କହିଛନ୍ତି ଯେ,  କୁମ୍ଭମେଳାରେ ଲୋକଙ୍କ ଦ୍ୱାରା  ହୋଇଥିବା ଖର୍ଚ୍ଚ ଅର୍ଥନୀତିକୁ ତ୍ୱରାନ୍ୱିତ  କରିବ । ଉତ୍ତର ପ୍ରଦେଶ ସରକାରଙ୍କ  ଦ୍ୱାରା ପ୍ରୟାଗରାଜରେ ଆୟୋଜିତ  ମହାକୁମ୍ଭ ମେଳାରେ କେନ୍ଦ୍ର ଏବଂ ରାଜ୍ୟ  ସରକାରଙ୍କ ପକ୍ଷରୁ ପ୍ରାୟ ୧୨,୬୭୦  କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ  ରଖାଯାଇଥିଲା । କୁମ୍ଭମେଳାରେ ପ୍ରାୟ  ୩ ଲକ୍ଷ କୋଟିର କାରବାର ହୋଇଥିବା  ରିପୋର୍ଟରୁ ଜଣାପଡ଼ିଛି । ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ  ଦେବ ବୋଲି ସିଇଏ ଶ୍ରୀ ନାଗେଶ୍ୱରନ  କହିଛନ୍ତି । ତେବେ ଟ୍ରମ୍ପଙ୍କ ଶୁଳ୍କନୀତିକୁ  ନେଇ ଚିନ୍ତା ରହିଥିବା ବିଶେଷଜ୍ଞମାନେ  ପ୍ରକାଶ କରିଛନ୍ତି । 

ଏନ୍‌ଏସ୍‌ଓ ତଥ୍ୟ  ଅନୁସାରେ, ତୃତୀୟ ତ୍ରୟମାସରେ କୃଷି  ବିକାଶ ହାର ୫.୬% ରହିଛି, ଯାହାକି  ପୂର୍ବ ଆର୍ଥିକବର୍ଷ ତୃତୀୟ ତ୍ରୟମାସରେ ୧.୫% ଥିଲା । ବିନିର୍ମାଣ କ୍ଷେତ୍ର ମନ୍ଥର  ରହିଛି । ଏହା ପୂର୍ବ ଆର୍ଥିକବର୍ଷ ତୃତୀୟ  ତ୍ରୟମାସରେ ୧୪% ବଢ଼ିଥିବାବେଳେ  ଏ ବର୍ଷ ମାତ୍ର ୩.୫% ବଢ଼ିଛି । ନିର୍ମାଣ  କ୍ଷେତ୍ର ପୂର୍ବ ବର୍ଷର ୧୦% ତୁଳନାରେ  ୭% ବଢ଼ିଛି । ସେହିଭଳି ଔଦ୍ୟୋଗିକ  ବିକାଶ ପୂର୍ବବର୍ଷର ୧୧.୮%ରୁ ଖସି  ୪.୫% ରହିଛି । ସେବା କ୍ଷେତ୍ର ୭.୪%  ବଢ଼ିଛି, ଯାହାକି ପୂର୍ବ ଆର୍ଥିକବର୍ଷ ସମାନ  ସମୟରେ ୮.୩% ଅଭିବୃଦ୍ଧି କରିଥିଲା