ନୂଆଦିଲ୍ଲୀ, ୬।୪: ଆଜିକାଲିର ବଦଳୁଥିବା ସମୟରେ ପର୍ଯ୍ୟଟନ କେବଳ ନୂଆ ସ୍ଥାନ ଦେଖିବାରେ ସୀମିତ ହୋଇ ରହିନାହିଁ, ବରଂ ଏହା ଏକ ନିଆରା ଅନୁଭୂତି ପାଲଟିଛି । ବିଶେଷ କରି ଆଜିର ଯୁବପିଢ଼ି ବା Gen-Z ମାନଙ୍କ ପାଇଁ ଟ୍ରାଭେଲ୍ ଏବେ ଏକାକୀ ଭ୍ରମଣ ଅର୍ଥାତ୍ ସୋଲୋ ଟ୍ରିପ୍ ଅପେକ୍ଷା ସମ୍ପର୍କ ଗଢ଼ିବାର ଏକ ମାଧ୍ୟମ ସାଜିଛି । ଏହି କାରଣରୁ ବର୍ତ୍ତମାନ 'କମ୍ୟୁନିଟି ଟ୍ରାଭେଲ୍'ର କ୍ରେଜ୍ ଦେଖିବାକୁ ମିଳୁଛି । 

କ'ଣ ଏହି 'କମ୍ୟୁନିଟି ଟ୍ରାଭେଲ୍' ?

କମ୍ୟୁନିଟି ଟ୍ରାଭେଲ୍ ହେଉଛି ଏମିତି ଏକ ଯାତ୍ରା, ଯେଉଁଠାରେ ଆପଣ ପୂର୍ବରୁ ଚିହ୍ନି ନଥିବା ଅଜଣା ଲୋକଙ୍କ ସହ ମିଶି ବୁଲିବାକୁ ଯାଆନ୍ତି । ସାଧାରଣତଃ ବିଭିନ୍ନ ଟ୍ରାଭେଲ୍ ଗ୍ରୁପ୍ ବା ପ୍ଲାଟଫର୍ମ ଜରିଆରେ ସମାନ ରୁଚି ରଖୁଥିବା ଲୋକମାନେ ଏକାଠି ହୋଇ ଏହି ଟ୍ରିପ୍ ପ୍ଲାନ କରିଥାନ୍ତି । ଏହା ସୋଲୋ ଟ୍ରିପ୍ ଏବଂ ଗ୍ରୁପ୍ ଟ୍ରାଭେଲର ଏକ ସୁନ୍ଦର ମିଶ୍ରଣ, ଯେଉଁଠାରେ ଆପଣ ଘରୁ ଏକାକୀ ବାହାରନ୍ତି ସତ, କିନ୍ତୁ ବାଟରେ ଆପଣଙ୍କୁ ମିଳିଯାଏ ଏକ ନୂଆ 'ଟ୍ରାଭେଲ୍ ଫ୍ୟାମିଲି' ।

ଏହା ବି ପଢ଼ନ୍ତୁ... ଚପଲରେ ଜିପିଏସ୍ ଲଗାଇ ପ୍ରେମିକ ସହ ପତ୍ନୀଙ୍କୁ ଧରିଲା ସ୍ୱାମୀ, ଥାନାରେ ହେଲା ହାଇଡ୍ରାମା

କାହିଁକି Gen-Z ମାନଙ୍କ ମଧ୍ୟରେ ଏହା ଏତେ ଲୋକପ୍ରିୟ ?

ନୂଆ ସମ୍ପର୍କ ଗଢ଼ିବାର ସୁଯୋଗ: Gen-Z ଯୁବପିଢ଼ି ଅଧିକ ସୋସିଆଲ୍ ମିଡିଆ ବ୍ୟବାହର କରନ୍ତି । ସେମାନେ ନୂଆ ଲୋକଙ୍କୁ ଭେଟିବା ଓ ସେମାନଙ୍କ ଅନୁଭୂତି ବିଷୟରେ ଜାଣିବାକୁ ପସନ୍ଦ କରନ୍ତି ।

ଏକାକୀପଣରୁ ମୁକ୍ତି: ସୋଲୋ ଟ୍ରିପରେ ଅନେକ ସମୟରେ ଏକୁଟିଆ ଅନୁଭବ ହୋଇଥାଏ । କିନ୍ତୁ, କମ୍ୟୁନିଟି ଟ୍ରାଭେଲରେ ସବୁବେଳେ କେହି ନା କେହି ସାଥୀରେ ଥାଆନ୍ତି ।

ସୁରକ୍ଷିତ ଓ ବ୍ୟବସ୍ଥିତ ଯାତ୍ରା: ଅଜଣାଙ୍କ ସହ ବୁଲିବା ଶୁଣିବାକୁ ରିସ୍କି ଲାଗୁଥିଲେ ମଧ୍ୟ, ଏହି ଟ୍ରିପଗୁଡ଼ିକ ଏକ୍ସପର୍ଟଙ୍କ ଦ୍ୱାରା ପ୍ଲାନ୍ କରାଯାଇଥାଏ, ଯାହା ସୁରକ୍ଷା ଭରସା ଦେଇଥାଏ ।

ବଜେଟ୍ ଅନୁକୂଳ: ଗ୍ରୁପରେ ଗଲେ ହୋଟେଲ୍, ପରିବହନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଭାଗ ହୋଇଯାଏ, ଯାହା ଯୁବପିଢ଼ିଙ୍କ ପକେଟ୍ ପାଇଁ ସୁବିଧାଜନକ ହୋଇଥାଏ ।

ସୋସିଆଲ ମିଡିଆର ପ୍ରଭାବ:

ଆଜିର ଡିଜିଟାଲ୍ ଯୁଗରେ ଇନଷ୍ଟାଗ୍ରାମ୍ ଏବଂ ଟ୍ରାଭେଲ୍ କମ୍ୟୁନିଟିଗୁଡ଼ିକ ଏହି ଟ୍ରେଣ୍ଡକୁ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଲୋକମାନେ ନିଜର ଭିଡିଓ ଓ ଫଟୋ ସେୟାର୍ କରୁଛନ୍ତି, ଯାହା ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରୁଛି । ଏବେ ଯାତ୍ରା କେବଳ ବୁଲିବା ନୁହେଁ, ବରଂ ଗପ କହିବାର ଏକ ମାଧ୍ୟମ ପାଲଟିଛି ।

କମ୍ୟୁନିଟି ଟ୍ରାଭେଲର ଫାଇଦା: 

ନୂଆ ସାଙ୍ଗ ଓ ନେଟୱାର୍କିଂର ସୁଯୋଗ, ବିଭିନ୍ନ ସଂସ୍କୃତି ଓ ଚିନ୍ତାଧାରା ବିଷୟରେ ଜ୍ଞାନ, ଆତ୍ମବିଶ୍ୱାସ ବୃଦ୍ଧି, ଅଧିକ ମଜାଦାର ଯାତ୍ରା । ଯଦିଓ ଏହା ଅତି ମଜାଦାର, କିନ୍ତୁ କିଛି ଦିଗ ପ୍ରତି ସତର୍କ ରହିବା ଜରୁରୀ । ଟ୍ରିପ୍ ଆୟୋଜକ ବା ପ୍ଲାଟଫର୍ମର ବିଶ୍ୱସନୀୟତା ଯାଞ୍ଚ କରନ୍ତୁ । ନିଜର ଲୋକେସନ୍ ଏବଂ ଯାତ୍ରା ବିବରଣୀ ପରିବାର ଲୋକଙ୍କୁ ଜଣାଇ ରଖନ୍ତୁ । ଜରୁରୀ କାଗଜପତ୍ର ସବୁବେଳେ ସାଥୀରେ ରଖନ୍ତୁ । କମ୍ୟୁନିଟି ଟ୍ରାଭେଲ୍ ଆଜିର ଯୁବପିଢ଼ିଙ୍କ ପାଇଁ କେବଳ ଏକ ଟ୍ରେଣ୍ଡ ନୁହେଁ, ବରଂ ଏକ ନୂଆ ଜୀବନଶୈଳୀ ଭାବେ ଉଭା ହୋଇଛି ।