କାଠମାଣ୍ଡୁ: ନେପାଳରେ ସୋସିଆଲ ମିଡିଆ ବ୍ୟାନ ଏବଂ କଥିତ ଦୁର୍ନୀତି ବିରୋଧରେ ଜେନେରେସନ-ଜେଡର ଭୟଙ୍କର ପ୍ରତିବାଦ ଜାରି ରହିଛି । ଜେନେରେସନ-ଜେଡର ଏହି ଆନ୍ଦୋଳନ ପରେ ନେପାଳର ଅନେକ ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ଏବେ ଦେଶର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତାଙ୍କ ଇସ୍ତଫା ପରେ ନେପାଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସମେତ ସମସ୍ତ ମନ୍ତ୍ରୀ ପଦବୀ ଖାଲି ହୋଇଯାଇଛି । ସେପଟେ ରାଜଧାନୀ କାଠମାଣ୍ଡୁରେ ପ୍ରଦର୍ଶନକାରୀଙ୍କ ଉତ୍ତେଜନା ଜାରି ରହିଛି।
ଦେଶବ୍ୟାପୀ ଚାଲିଥିବା ହିଂସାତ୍ମକ ପ୍ରତିବାଦ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ରାଜଧାନୀ କାଠମାଣ୍ଡୁ ଏବଂ ଆଖପାଖ ଅଞ୍ଚଳରେ ସଂଘର୍ଷ ଏବଂ ପୋଡ଼ାଜଳାରେ ଏପର୍ଯ୍ୟନ୍ତ ୨୨ ଜଣ ପ୍ରାଣ ହରାଇଛନ୍ତି । ୪୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ପ୍ରଦର୍ଶନକାରୀମାନେ ସଂସଦ ଭବନରେ ନିଆଁ ଲଗାଇ ଦେଇଥିବା ବେଳେ କେପି ଶର୍ମା ଓଲି, ରାମଚନ୍ଦ୍ର ପୌଡେଲ ଏବଂ ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।
ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଘରେ ପଶି ତାଙ୍କୁ ନିଷ୍ଠୁର ଭାବରେ ମାଡ଼ ମାରିଛନ୍ତି । ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲ ଙ୍କୁ କାଠମାଣ୍ଡୁରେ ତାଙ୍କ ଘର ନିକଟରେ ପିଛା କରି ମାଡ଼ ମରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ପ୍ରଦର୍ଶନକାରୀ ବିଷ୍ଣୁ ପୌଡେଲଙ୍କୁ ଛାତିରେ ଲାତ ମାରୁଥିବାର ଦେଖାଯାଇଛି। ଏହି ସମୟରେ, ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ 'ପ୍ରଚଣ୍ଡ', ଶେର ବାହାଦୁର ଦେଉବା ଏବଂ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ସାରା ଦେଶରେ ଭୟ ଏବଂ ଅରାଜକତା ବ୍ୟାପି ଯାଇଛି।
ଗତ ଦୁଇ ଦିନ ଧରି ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଭାରତ ସରକାର ଦିଲ୍ଲୀରେ ନେପାଳ ଦୂତାବାସର ସୁରକ୍ଷା କଡ଼ାକଡ଼ି କରିଛନ୍ତି । ନେପାଳର ଦୂତାବାସ ବାରଖମ୍ଭ ରୋଡରେ ଅବସ୍ଥିତ। ସୁରକ୍ଷାରେ ଏହି ବୃଦ୍ଧି ବିଶେଷକରି ସେତେବେଳେ କରାଯାଇଛି ଯେତେବେଳେ ନେପାଳର ପରିସ୍ଥିତି ଖରାପ ହେଉଛି ଏବଂ ସେଠାରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି ।