ଭୁବନେଶ୍ୱର ୧୧/୦୭: ଆପଣ ୪୦ ବର୍ଷ ଅତିକ୍ରମ କରିସାରିଲେଣି କି? ଯଦି ହଁ, ତେବେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଆପଣଙ୍କ ପାଇଁ ଜରୁରି । ତେଣିକି ଆପଣ ପୁରୁଷ ହୁଅନ୍ତୁ ଅବା ମହିଳା । ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ସେତେଟା ଯତ୍ନଶୀଳ ହୋଇ ନଥାନ୍ତି । ଯଦି କିଛି ସମସ୍ୟା ନ ଆସେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି । ସମସ୍ୟା ଗୁରୁତର ହେଲେ ଡାକ୍ତରଙ୍କ ପାଖକୁ ଯିବା ବେଳକୁ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ । ୪୦ ପରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ଜରୁରି । କେବଳ ଖାଦ୍ୟପାନୀୟ ଓ ବ୍ୟାୟାମ କରିବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହି ନଥାଏ, ବରଂ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଅଭିନ୍ନ ଅଙ୍ଗ । ପରୀକ୍ଷା କରିବା ଦ୍ୱାରା ସମୟ ପୂର୍ବରୁ ଶରୀରର ସମସ୍ୟା ବାହାରକୁ ଆସିବା ସହ ଚିକିତ୍ସା ମଧ୍ୟ ସମ୍ଭବ ହୁଏ । ଯେପରିକି- 

କମ୍ପ୍ଲିଟ୍‌ ବ୍ଲଡ୍‌ କାଉଣ୍ଟ(ସିବିସି) :

ଏହା ଖୁବ୍‌ ସାଧାରଣ ପରୀକ୍ଷା । ଏହି ପରୀକ୍ଷା ଦ୍ୱାରା ରକ୍ତରେ ଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍‌ ସଂଖ୍ୟା ଜଣାପଡିଥାଏ । ସେହିପରି ଆନେମିଆ, ସଂକ୍ରମଣ ଓ ରକ୍ତଜନିତ ସମସ୍ୟାର ସଙ୍କେତ ମିଳିଥାଏ । 

ଲିଭର୍‌ ଫଙ୍କସନ୍‌ ଟେଷ୍ଟ(ଏଲ୍‌ଏଫ୍‌ଟି) :

ଲିଭର୍‌ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଖାଦ୍ୟକୁ ହଜମ କରିବା ସହ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଭୁଲ୍‌ ଖାଦ୍ୟପାନୀୟ ଓ ଜୀବନଶୈଳୀ ଯୋଗୁ ଲିଭର୍‌ ଉପରେ ଖରାପ ପ୍ରଭାବ ପଡିଥାଏ । ଏଲ୍‌ଏଫ୍‌ଟି ପରୀକ୍ଷା ପରେ ଲିଭର୍‌ ଠିକ୍‌ ଭାବେ କାମ କରୁଛି କି ନା ଜଣାପଡିଥାଏ । 

କିଡ୍‌ନୀ ଫଙ୍ଗସନ୍‌ ଟେଷ୍ଟ(କେଏଫ୍‌ଟି) :

କିଡ୍‌ନୀ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପରୀକ୍ଷା ଜଣାଇଥାଏ ଯେ କିଡ୍‌ନୀ କେମିତି କାମ କରୁଛି । ଅନେକ ସମୟରେ ଉଚ୍ଚ ରକ୍ତଚାପ ଓ ମଧୁମେହ ଯୋଗୁ କିଡ୍‌ନୀ ଉପରେ କୁପ୍ରଭାବ ପଡିଥାଏ । ତେଣୁ ଏହି ପରୀକ୍ଷା କରି ନେବା ଉଚିତ୍‌ । 

କ୍ୟାନସର୍‌ ଆଣ୍ଟିଜେନ୍‌ ୧୯.୯(ସିଏ -୧୦.୯) :

ଏହି ପରୀକ୍ଷାରୁ କର୍କଟ ଯେପରି ପାନ୍‌କ୍ରିୟାଜ୍‌, ଗଲ୍‌ବ୍ଲାଡର୍‌ ଓ ପେଟ କର୍କଟ ବିଷୟରେ ଜଣାପଡିଥାଏ । ଅବଶ୍ୟ ଏହା କେବଳ ଏକ ମାର୍କର ପଏଣ୍ଟ । କର୍କଟ ପାଇଁ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରିବାକୁ ପଡିଥାଏ । ଯଦି ୪୦ ପରେ କିଛି ଲକ୍ଷଣ ପ୍ରକାଶ ପାଏ, ତେବେ ପରୀକ୍ଷା କରାଇ ନେବା ଉଚିତ୍‌ । 

ପ୍ରୋଷ୍ଟେଟ୍‌ ସ୍ପେସିଫିକ୍‌ ଆଣ୍ଟିଜେନ୍‌(ପିଏସ୍‌ଏ) :

ପିଏସ୍‌ଏ ପରୀକ୍ଷା କେବଳ ପୁରୁଷମାନଙ୍କ ପାଇଁ ପ୍ରଜ୍ଜୁଜ୍ୟ । ଏହି ପରୀକ୍ଷାରୁ ପ୍ରୋଷ୍ଟେଟ୍‌ ଗ୍ଲାଣ୍ଡ୍‌ଜନିତ ସମସ୍ୟା ଓ ପ୍ରୋଷ୍ଟେଟ୍‌ କର୍କଟ ବିଷୟରେ ଜଣାପଡିଥାଏ । ୪୦ ପରେ ପୁରୁଷମାନଙ୍କୁ ବର୍ଷକୁ ଥରେ ଏହି ପରୀକ୍ଷା କରିବା ଉଚିତ୍‌ । ଯଦି ପରିବାରରେ ପ୍ରୋଷ୍ଟେଟ୍‌ କର୍କଟର ଇତିହାସ ରହିଥାଏ ।