ଉତ୍ତର ପ୍ରଦେଶ, ୧।୪: "ସକାଳୁ ରାତି ଯାଏଁ ଖାଲି ଅଶାନ୍ତି... ସ୍ତ୍ରୀ କହୁଛି ତୁ କଉଠି ମରୁଛୁ ମର, ମୋତେ ଖାଲି ପଇସା ଦରକାର । ଗତକାଲି ରାତିରେ ମୋ ମୁଣ୍ଡକୁ ବେଲଣା କାଠିରେ ୧୦ ଥର ମାରିଛି । ମୁଁ ଆଉ ସହିପାରୁନି, ସବୁଦିନ ପାଇଁ ଯାଉଛି..." । ନିଖୋଜ ହେବା ପୂର୍ବରୁ ଏମିତି କିଛି କୋହଭରା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଭାଇ ପାଖକୁ ପଠାଇଛନ୍ତି ଜଣେ ଯୁବକ । ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲା ଜଖନିୟା ଗୋବିନ୍ଦ ଗାଁରୁ ଆସିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କ’ଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା । ପେଶାରେ ଜଣେ ଓକିଲ ତଥା ଫଟୋଷ୍ଟାଟ୍ ଦୋକାନୀ ଦିଲୀପ କୁମାରଙ୍କ ବିବାହ ମାତ୍ର ବର୍ଷକ ତଳେ ହୋଇଥିଲା । କିନ୍ତୁ, ବିବାହର କିଛି ଦିନ ପରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । ଦିଲୀପଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ସାମାନ୍ୟ କଥାରେ ସ୍ତ୍ରୀ ତାଙ୍କୁ ସିଳପୁଆ କିମ୍ବା ବେଲଣା କାଠିରେ ମାଡ଼ ମାରୁଥିଲେ । 

ଏହା ବି ପଢ଼ନ୍ତୁ... ଗୋଟିଏ ଝଟକାରେ ଚାଲିଗଲା ୩୦ ହଜାର ଚାକିରି,ଏହା ଭିତରେ ଅଛନ୍ତି ୪୦% ରୁ ଅଧିକ ଭାରତୀୟ

ଭିଡିଓରେ ନିଜ ଦୁଃଖ ବଖାଣିଲେ:

ସୋମବାର ସକାଳେ ଦିଲୀପ ଜିଲ୍ଲା ମୁଖ୍ୟାଳୟକୁ କାମରେ ଯାଇ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ଭାଇଙ୍କ ମୋବାଇଲକୁ ଏକ ଭିଡିଓ ଆସିଥିଲା, ଯେଉଁଥିରେ ଦିଲୀପ କାନ୍ଦି କାନ୍ଦି ନିଜର ବ୍ୟଥା ଜଣାଇଛନ୍ତି । ସେ କହିଛନ୍ତି, "ମୋ ସ୍ତ୍ରୀ ମୋ ଜୀବନକୁ ନର୍କ କରିଦେଇଛି । ଗତରାତିରେ ମୋ ଦେହ ଭଲ ନଥିଲା, ତଥାପି ସେ ମୋତେ ଶୋଇବାକୁ ଦେଲାନି । ମୁଣ୍ଡରେ ବେଲଣା କାଠିରେ ୧୦ ଥର ମାଡ଼ ମାରିଛି । ସେ ଖାଲି ପଇସା ଚାହୁଁଛି, ମୋତେ ନୁହେଁ । ମୁଁ ସମ୍ମାନର ସହ ବଞ୍ଚିପାରିଲି ନାହିଁ କି ଶାନ୍ତିରେ ମରିପାରୁନି । ତେଣୁ ମୁଁ ସବୁ ଛାଡ଼ି ଯାଉଛି ।" ଖାନପୁର ଥାନା ଅନ୍ତର୍ଗତ ସିଧୌନା ନିକଟରୁ ଦିଲୀପଙ୍କ ବାଇକ୍ ଏବଂ ବ୍ୟାଗ୍ ଉଦ୍ଧାର କରାଯାଇଛି । ଦିଲୀପଙ୍କ ମା’ ଗାୟତ୍ରୀ ଦେବୀ ପୁଅର ନିଖୋଜ ନେଇ ଥାନାରେ ରିପୋର୍ଟ କରିଛନ୍ତି । ପୁଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି । ଯୁବକ ଜଣକ କୌଣସି ଚରମ ନିଷ୍ପତ୍ତି ନେଇଛନ୍ତି ନା କୁଆଡ଼େ ଲୁଚି ଯାଇଛନ୍ତି, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି । ପତ୍ନୀଙ୍କ ଅତ୍ୟାଚାରରେ ଜଣେ ଶିକ୍ଷିତ ଯୁବକ ଏଭଳି ପଦକ୍ଷେପ ନେବା ସମାଜରେ ପୁରୁଷ ନିର୍ଯାତନାର ଏକ କରାଳ ଚିତ୍ରକୁ ପଦାରେ ପକାଇଛି ।