ନୂଆଦିଲ୍ଲୀ, ୨୮/୦୩ : ଚର୍ଚ୍ଚାରେ କୁଖ୍ୟାତ ଯୌନ ଅପରାଧୀ ଜେଫରୀ ଏପ୍‌ଷ୍ଟିନ୍‌ ର ମୁଖ୍ୟ ମହିଳା ସହଯୋଗୀ ଘିସ୍ଲେନ ମ୍ୟାକ୍ସୱେଲର ହାର୍ମହାଉସ୍। ଆମେରିକାର ଏକ ଗାଉଁଲି ଅଞ୍ଚଳରେ ତିଆରି କରିଛନ୍ତି ଆଲିଶାନ୍ ଫାର୍ମହାଉସ୍ 'Tucked Away'। ସାରା ଦୁନିଆ ନଜରରୁ ଖସି ସୁଦୂର ଶାନ୍ତ ବାତାବରଣ ଭିତରେ ତିଆରି କରିଥିଲେ ଘର। ୧୫୬ ଏକର ଜମିରେ ବ୍ୟାପିଥିବା ଏହି ଫାର୍ମହାଉସ୍ ତିଆରି କରିବାକୁ ସାହାଯ୍ୟ କରିଥିଲା ସ୍ଵିସ୍ ବ୍ୟାଙ୍କ। ମ୍ୟାକ୍ସୱେଲର ଏହା ଥିଲା ଏକମାତ୍ର ଗୁପ୍ତ ଠିକଣା। ଯେଉଁଠୁ ୨୦୨୦ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା। 

ଏହି ଘର କିଣିବା ପାଇଁ ମ୍ୟାକ୍ସୱେଲ ନିଜ ପରିଚୟ ଲୁଚାଇ ଜଣେ ସାମ୍ବାଦିକ ପରିଚୟ ଦେଇଥିଲେ। ଏକ ଶାନ୍ତ ବାତାବରଣ ଏକାନ୍ତ ସ୍ଥାନରେ ଘର ଖୋଜୁଥିବା କାରଣ ଦର୍ଶାଇ ୨୦୧୯ରେ ଏହି ଘରକୁ ୧.୧ ମିଲିୟନ ଡଲାର କ୍ୟାସ୍ ଦେଇ କିଣିଥିଲେ। ୨୦୨୦ରେ ଏଫବିଆଇ ଏହି ଘରେ ରେଡ୍ କରିବା ବେଳେ ତାଜୁବ୍ ହୋଇଯାଇଥିଲେ। ଫାର୍ମହାଉସ୍‌ ର ନଜାରା କୌଣସି ଜାସୁସ ଫିଲ୍ମ ଠାରୁ କମ୍ ନଥିଲା। ମ୍ୟାକ୍ସୱେଲ୍ ଏଠାକୁ ଆସିବା ପରେ ତାର ମୋବାଇଲକୁ ଆଲୁମିନିୟମ ଫଏଲରେ ଗୁଡ଼ାଇ ରଖୁଥିଲା। ଯାହାଦ୍ଵାରା ସହଜରେ ତାକୁ ଟ୍ରାକ୍ସ କରାଯାଇ ପାରିବ ନାହିଁ। ଏହା ସହ ନିଜ ସୁରକ୍ଷା ପାଇଁ ବ୍ରିଟିଶ୍ ସେନାର ଅବସରପ୍ରାପ୍ତ ଯବାନଙ୍କୁ ନିୟୋଜିତ କରିଥିଲା।   

ୟୁବିଏସ୍ ବ୍ୟାଙ୍କ ମାୟାଜାଲ

ଏହି ଘର କିଣିବା ପାଇଁ ସ୍ଵିସ୍ ବ୍ୟାଙ୍କିଂ ଦିଗଜ ୟୁବିଏସ୍ ଜରିଆରେ ଟଙ୍କା ପଠାଯାଇଥିଲା। ୨୦୧୯ ଅଗଷ୍ଟରେ ଆମେରିକା ଯାଞ୍ଚକର୍ତ୍ତା ୟୁବିଏସ୍ ବ୍ୟାଙ୍କକୁ ଏକ ଗୁପ୍ତ ସମନ ପଠାଇଥିଲେ। ଏଥିରେ ମ୍ୟାକ୍ସୱେଲର ସମସ୍ତ ନେଣଦେଣ ତଥ୍ୟ ମଗାଯାଇଥିଲା। ଏହାର କିଛି ଦିନ ପରେ ଅଗଷ୍ଟ ୧୦ ତାରିଖରେ ଜେଫ୍ରି ଏପଷ୍ଟିନର ମୃତ୍ୟୁ ଜେଲରେ ହୋଇଗଲା। ଏହାର ୩ ମାସ ପରେ ନଭେମ୍ଵର ମାସରେ ୟୁବିଏସ୍ ମ୍ୟାକ୍ସୱେଲ ସହ ଜଡ଼ିତ ଏକ ଖାତାରୁ ପ୍ରାୟ ୮ ମିଲିୟନ ଡଲାର ଟ୍ରାନ୍ସଫର୍ କରିଥିଲା। ଏହି ଟଙ୍କା ଟ୍ରଷ୍ଟ ଏବଂ ବ୍ୟାଙ୍କର ଏକ ଜଟିଳ ପ୍ରକ୍ରିୟା ଦେଇ ଏହି ଫାର୍ମହାଉସ୍ କିଣିବାରେ ଉପଯୋଗ ହୋଇଥିଲା। 

ସିକ୍ରେଟ୍ ଘରୁ କାହାଣୀର ଅନ୍ତ

୨୦୨୧ରେ ମ୍ୟାକ୍ସୱେଲ ଯୁବତୀମାନଙ୍କୁ ଫସାଇବା ଏବଂ ସେମାନଙ୍କୁ ଶୋଷଣ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏବେ ସେ ୨୦ ବର୍ଷ ପାଇଁ ସଜା କାଟୁଛି। ଯେଉଁ ସିକ୍ରେଟ୍ ଫାର୍ମହାଉସ୍ ସେ ପୁରା ଦୁନିଆ ନଜରରୁ ଲୁଚି କିଣିଥିଲା। ସେହି ଘର ଏବେ ବଜାରରେ ବିକ୍ରି ହେବ ବୋଲି ସୂଚନା ମିଳିଛି। ରିୟଲ ଇଷ୍ଟେଟ୍ କମ୍ପାନୀମାନେ ଏହାର ପ୍ରଚାର ପ୍ରସାର କରୁଥିବା ଜଣାପଡ଼ିଛି। 

ଧନୀଙ୍କ ପାଇଁ ବ୍ୟାଙ୍କର ଅଲଗା ନିୟମ
ଏପଷ୍ଟିନ୍ ର କଳାଧନ ତାଲିକା ଯାଞ୍ଚ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଏପଷ୍ଟିନ୍ ଏବଂ ତାର ଅନ୍ୟ ସହଯୋଗୀଙ୍କ ମାମଲାରେ ବ୍ୟାଙ୍କ ଆଖି ବୁଜି ଦେଇଥିଲା। କାରଣ ବ୍ୟାଙ୍କ ଜାଣିଛି ଧନୀ ଗ୍ରାହକମାନେ କେତେବେଳେ ବି ନିଜ ଫଣ୍ଡ ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫର କରିପାରନ୍ତି। କେବଳ ୟୁବିଏସ୍ ନୁହେଁ ଡାୟଚେ ବ୍ୟାଙ୍କ ଏବଂ ମାର୍ଗନ ଷ୍ଟେନଲି ଭଳି ବଡ଼ ବ୍ୟାଙ୍କ ଏପଷ୍ଟିନ୍ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ଵେ ୨୦୦୮ରେ ତାକୁ ସେବା ଦେବା ଜାରି ରଖିଥିଲେ। ଏତଦ୍ ବ୍ୟତୀତ ବ୍ରିଟିଶ୍ ବ୍ୟାଙ୍କ ବାର୍କଲେଜ ମଧ୍ୟ ମ୍ୟାକ୍ସୱେଲର ଟଙ୍କା ରଖିଥିଲା। 

ଏହି ଖବରଟିକୁ ପଢନ୍ତୁ-  ଆମେରିକା ପାଇଁ ସହଜ ହେଉନି ଇରାନ ଯୁଦ୍ଧ, ନେତନ୍ୟାହୁଙ୍କ ଉପରେ ଚିଡ଼ିଲେ ଭାନ୍ସ

 

​​​​​​​