ୱାଶିଂଟନ୍‌, ୨୮/୦୩: ଇରାନ ସହ ଯୁଦ୍ଧ ଲଢ଼ିବା ଯେତେ ସହଜ ହେବ ବୋଲି ଆମେରିକା ଭାବୁଥିଲା ତାହା ହୋଇପାରିନାହିଁ । ଶକ୍ତିଶାଳୀ ଆମେରିକା ଏବଂ ଇସ୍ରାଏଲକୁ ଇରାନ ଦୃଢ଼ତାର ସହ ପ୍ରାୟ ମାସେ ହେଲା ପ୍ରତିଜବାବ ଦେଇଚାଲିଛି । ଏହାକୁ ନେଇ ଆମେରିକା ଏବଂ ଇସ୍ରାଏଲ ନେତୃତ୍ୱଙ୍କ ମଧ୍ୟରେ ତିକ୍ତତାପୂର୍ଣ୍ଣ ସ୍ଥିତି ଉପୁଜିଛି ।

ଆହୁରି ପଢନ୍ତୁ-ଥମୁନି ହମଲା; ସାଉଦି ଆରବରେ ଆମେରିକା ସେନା ଘାଟି ଉପରେ ଇରାନର ମିସାଇଲ ମାଡ଼, ୧୦ ସେନା ଆହତ

ସଦ୍ୟ ରିପୋର୍ଟ ଅନୁସାରେ, ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଉପରେ ଭୀଷଣ ଅସନ୍ତୋଷ ଝାଡ଼ିଛନ୍ତି ଏବଂ ନେତନ୍ୟାହୁ ଅତ୍ୟଧିକ ଆଶାବାଦୀ ହୋଇ ଯୁଦ୍ଧ ପୂର୍ବରୁ ଯେଉଁ ଆକଳନ କରିଥିଲେ ତାହା ଭୁଲ୍‌ ପ୍ରମାଣିତ ହୋଇଥିବା ଭାନ୍ସ କହିବା ସହ ତାଙ୍କୁ ସମାଲୋଚନା କରିଛନ୍ତି । ଆକ୍ସିଓସ୍‌ର ଏକ ରିପୋର୍ଟ ଅନୁସାରେ, ନିକଟରେ ଭାନ୍ସ ଏବଂ ନେତନ୍ୟାହୁ ଇରାନ ଯୁଦ୍ଧ ରଣନୀତିକୁ ନେଇ ଫୋନ୍‌ ଯୋଗେ କଥା ହୋଇଥିଲେ । ତେବେ ଏହି ଫୋନ୍‌ କଲ୍‌ ଉତ୍ତେଜନାପୂର୍ଣ୍ଣ ଥିଲା । ଫଳରେ ଇରାନ ସହ ଯୁଦ୍ଧକୁ ନେଇ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଥିବା ମତାନ୍ତର ସାମ୍‌ନାକୁ ଆସିଛି । ଇରାନରେ ଶାସନ ପରିବର୍ତ୍ତନ ସହଜ ହେବ ଏବଂ ଯୁଦ୍ଧ ମଧ୍ୟ ବେଶୀ ଲମ୍ବିବ ନାହିଁ ବୋଲି ନେତନ୍ୟାହୁ ଯେଉଁ ପୂର୍ବ ଆକଳନ କରିଥିଲେ ତାହାକୁ ନେଇ ଭାନ୍ସ ‘ବିବି’(ନେତନ୍ୟାହୁ)ଙ୍କୁ କଡ଼ା ସମାଲୋଚନା କରିଥିଲେ । ଯୁଦ୍ଧ ଅଧିକ ଦିନ ଲମ୍ବିଲେ ଏହାର ପରିଣାମକୁ ନେଇ ୱାଶିଂଟନ୍‌ ଚିନ୍ତିତ ଥିବା ଏଥିରୁ ସ୍ପଷ୍ଟ ହେଉଛି । ଭାନ୍ସ ଏକାଧିକ ଥର ନେତନ୍ୟାହୁଙ୍କ ସମେତ ଉପସାଗରୀୟ ଦେଶଗୁଡ଼ିକ ସହ ଏ ନେଇ ଆଲୋଚନା ଜାରି ରଖିଛନ୍ତି ।