ପୁରୀ, ୭/୧୨ : ଆଜି ପ୍ରାବରଣ ଷଷ୍ଠୀ ବା ଓଢଣ ଷଷ୍ଠୀ । ଏହି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।

     ଜଗତର ନାଥ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ବିଭିନ୍ନଯାନିଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ । ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧାମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି। ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ । ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି।

ରବିବାର - ନାଲି ରଙ୍ଗର ଘୋଡ଼ବସ୍ତ୍ର

ସୋମବାର - କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର

ମଙ୍ଗଳବାର - ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର

ବୁଧବାର - ନୀଳ ରଙ୍ଗର ଘୋଡ଼ବସ୍ତ୍ର

ଗୁରୁବାର - ହଳଦିଆ ଘୋଡ଼ବସ୍ତ୍ର

ଶୁକ୍ରବାର - ଧଳା ଘୋଡ଼ବସ୍ତ୍ର

ଶନିବାର - କଳା ଘୋଡ଼ବସ୍ତ୍ର

ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଯାତ୍ରା ଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ।

ପାବୃତଂ ଯେ ଚ ପଶ୍ୟତି ଦେବଦେବଂ ଜନାର୍ଦ୍ଦନମ୍ ।

ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।

        ତିନିଠାକୁରଙ୍କ ପାଇଁ ୧୪ହାତ ଲମ୍ବ ଓ ୩ହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଏ । ମହାପ୍ରଭୁଙ୍କ ଲାଗି କରାଯାଉଥିବା ଘୋଡ଼ପାଟରେ ବୁଣାଯାଉଥିବା ଶ୍ଳୋକଟି ହେଉଛି

ମାର୍ଗଶୀର୍ଷେ ଶୀତ ପକ୍ଷେ ଯା ଷଷ୍ଠି ତିଥିସଂଯୁତା,

ସା ତୁ ପ୍ରାବରଣୀ ନାମ ସର୍ବକାମ ଫଳପ୍ରଦା ।

ବିଜୟତୁ ଜଗନ୍ନାଥ ଦିବ୍ୟବସ୍ତ୍ରେଣାଳଂକୃତ,

ପ୍ରୟଚ୍ଛତୁ ସର୍ବକାମାନ୍‌ ସ୍ୱର୍ଗ ମୋକ୍ଷଂ ଚ ଦୁର୍ଲଭମ୍‌ ।

 ଠାକୁରମାନଙ୍କ ଘୋଡ଼ ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି । ଖରା ସମୟରେ ଶୀତ କମ୍ ରହୁଥିବାରୁ ସାଧାରଣତଃ ଦ୍ବିପ୍ରହର ଧୂପ ପୂଜା ସମୟରେ ଠାକୁରମାନେ ଘୋଡ଼ ବସ୍ତ୍ର ପିନ୍ଧନ୍ତି  ନାହିଁ । ଏହି ଧୂପରେ ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ପୂଜା କରିଥାନ୍ତି ।   ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯାଇଥାଏ । ଏହି ବେଶ ରେ ଠାକୁରମାନେ ୨ଟି ତ୍ରିଶାଖା, ୪ଟି କୁଣ୍ଡଳ ଓ ୨ଟି ତଡ଼ଗି ଏପରି ମୋଟ ୮ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଏ ସକାଳ ଧୂପ ବଢିବା ପରେ ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କର ମଇଲମ କରିଥାନ୍ତି। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଏବଂ ତିନି ଜଣ ପୁଷ୍ପାଳକ ସେବକ ଗରାବଡୁଙ୍କ ଠାରୁ ହତୁଆଣୀ ନେଇ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ସମସ୍ତ ଘୋଡ଼ମାନଙ୍କୁ ଘଂଟାଵ, ଛତ୍ର , କାହାଳୀ ସହ ପାଟୁଆର ରେ ମୁଖ୍ୟ ମନ୍ଦିର ର ୩ ପରିକ୍ରମା କରି ରତ୍ନସିଂହାସନ ଉପରକୁ ବିଜେ କରାଇଥାନ୍ତି। 

           "   ତତ୍ର ତ୍ରିବାରଂ କୃତ୍ୱା ବୈ ଦେବାଗ୍ରେ ସ୍ଥାପ ୟେଚ୍ଚ ତତ୍ ।

              ପୂଜକା ବୀକ୍ଷଣଂ  କୁର୍ଯ୍ୟୁଃ ଦଦ୍ୟୁଃ  ତଚ୍ଚ ଯଥାବିଧି।।  "

                   ତତ୍ପରେ ପୁଷ୍ପାଳକ ମାନେ ଶ୍ରୀଜୀଉମାନଙ୍କର ପାଗ ଓ ଘୋଡ଼ ଲାଗି , ୬ ମୂର୍ତ୍ତି ଅଳଙ୍କାର ଲାଗି କରିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିବା ପରେ ଅନ୍ୟାନ୍ୟ ନୀତି ହୋଇଥାଏ। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଘୋଡ଼ ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍କଣ୍ଠା ଦେଖାଦେଇଥାଏ ଉକ୍ତ ବେଶକୁ ଦର୍ଶନ କରି ଭକ୍ତ ଦୀନକୃଷ୍ଣ ଦାସ ନିଜ ଜଗମୋହନ ଛାନ୍ଦରେ ଲେଖିଲେ

ଏମନ୍ତେ ହିମ ସମୟେ ଜଗନ୍ନାଥ ଦେବରାୟେ

ଦିବ୍ୟ ଘୋଡ଼ମାନ ନିଘୋଡ଼ କରି ସେ ଶ୍ରୀଅଙ୍ଗରେ ଲାଗି ହୁଏ।। 

ଶ୍ରୀ କର୍ପୂର ଗନ୍ଧାଉଛି  ଶ୍ରୀଅଙ୍ଗେ ଫେଟା ଗଉଁଛି

ଶୀତ ପୀତ ନୀଳ  ନୀଳ ଲୋହିତ ବସନ  ଶ୍ରୀମୁଖକୁ ଥାଇ ଗଛି।।

ଅନେକ ମରୁଆ କୁନ୍ଦ କୁସୁମରେ ମାଳ ବୃନ୍ଦ

ମଣ୍ଡିହୋଇ ମହାସୁଖକୁ ଦିଅନ୍ତି ପରମାନନ୍ଦ ଗୋବିନ୍ଦ।। 

ଦିନେ ଦିନେ ଦିବ୍ୟ ବେଶ ହୁଅନ୍ତି ଯେ ପୀତବାସ"

ଦାସର ଦାସ ଦାସ ହୋଇଥିବାରୁ ଦେବତାମାନଙ୍କ ଆଶ।।

ମକରାକୃତି କୁଣ୍ଡଳ ମଣ୍ଡିଥିଲେ ଗଣ୍ଡସ୍ଥଳ

ମୁଖମଣ୍ଡଳକି ଶୋଭା ଦିଶୁଥାଇ ନେତ୍ରକୁ ଦେଇ ସୁଫଳ ।।

  "ଏତଦ୍ ପ୍ରାବରଣୋତ୍ସବଂ ଚ କୁରୁତେ ଯୋ ବା ମୁଦା ପଶ୍ୟତି

   କ୍ଷିପ୍ରଂ ସର୍ବମନୋରଥଂ ଚ ଲଭ୍ୟତେ ପୁତ୍ରପ୍ରପୌତ୍ରୈଃ ସମମ୍ ।  

   ଅନ୍ତେ ବିଷ୍ଣୁପୁରଂ ବ୍ରଜେତ୍ ସ ତୁ ପୁନସ୍ତତ୍ରୈବ ଲବ୍‍ଧ୍ଵା ପରଂ

   ଜ୍ଞାନଂ ମୋକ୍ଷମନନ୍ୟ ଲଭ୍ୟମମରୈସ୍ତଦ୍ ବାଞ୍ଛନୀୟଂ ବ୍ରଜେତ୍।।"