E-Kyc ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମାରେ ଭୂତ ରାସନ କାର୍ଡ ଚିହ୍ନଟ
୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ ଚିହ୍ନଟ
୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡକୁ ବାତିଲ୍

ଭୁବନେଶ୍ଵର, ୩/୧୨ : ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ ଚିହ୍ନଟ ହୋଇଛନ୍ତି ଭୂତ ରାସନ କାର୍ଡଧାରୀ। ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡ଼ିଛି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି। ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ ରହିଛନ୍ତି।  ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଗୋଟି ଜାଲି ରାସନ କାର୍ଡ ଧରାପଡ଼ିଛ। ସେହିପରି ଦ୍ୱିତୀୟରେ କଟକରୁ ୨୯୦୫ ଗୋଟି ଜାଲି କାର୍ଡ ଧରା ପଡିଛି। ତୃତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ୨୩୫୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। 

ଅନ୍ୟ ଏକ ଲିଖିତ ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି। ସେଥି ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ଟି ଆବେଦନର କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ରହିଛନ୍ତି। ସେହିଭଳି, ୭ ଲକ୍ଷ ୩୭ ହଜାର ୫୩୦ଟି ଆବେଦନ ଗୁଡ଼ିକୁ, 'ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦′ର ବାଦ ଦେବା ମାନଦଣ୍ଡ ଭିତ୍ତିରେ, ଅଗ୍ରାହ୍ୟ କରାଯାଇଛି। ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ରରେ ତର୍ଜମା ଚାଲିଛି।

​​​​​​​