ଢେଙ୍କାନାଳ,୯।୩ : ଢେଙ୍କାନାଳ ସ୍ଥିତ ୧୨ ଓଡିଶା ଏନସିସି ବାଟାଲିୟନର କର୍ଣ୍ଣେଲ ନେଇଥିବା ଭଡାଘରୁ ତାଙ୍କ ୧୩ବର୍ଷ ଝିଅର ମୃତ ଦେହକୁ ଉଦ୍ଧାର କରାଯାଇଛି। ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଟାଉନ ପୁଲିସ ଉଦ୍ଧାର କରିଛି। ଢେଙ୍କାନାଳ ସହରର ମହିଷାପାଟ ସ୍ଥିତ ହାଉସିଂ କଲୋନୀ ଫେଜ-୨ର ଏକ ଭଡା ଘରୁ ଏହି ନାବାଳିକାର ମୃତଦେହକୁ ଜବତ କରିଛି ପୁଲିସ । ମୃତା ବାଳିକା ୧୩ବର୍ଷର ବୈଷ୍ଣବୀ ନାଗ ଓ ସେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି ।
ବୈଷ୍ଣବୀଙ୍କ ବାପା କର୍ଣ୍ଣେଲ ଛବିଳ ଚନ୍ଦ୍ର ନାଗନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଳ । ସେ ଢେଙ୍କାନାଳ ୧୨ଓଡିଶା NCC ବାଟାଲିୟନରେ କାର୍ଯ୍ୟରତ ଥିବାବେଳେ ଏହି ଘରକୁ ଭଡାନେଇ ଏକୁଟିଆ ରହୁଥିଲେ । ବୈଷ୍ଣବୀଙ୍କ ନିଜ ମାଆଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଛି। ତେବେ ବାପା ଦ୍ୱିତୀୟ ବିବାହ କରିଥିଲେ। ଉତ୍ତର ପ୍ରଦେଶର ଲକ୍ଷ୍ମୌ ରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଥିବା ଅଞ୍ଜୁ ଅସ୍ଥାନଙ୍କ ପାଖରେ ବୈଷ୍ଣବୀ ରୁହନ୍ତି । ମାତ୍ର ଗତ ୧୦/୧୨ଦିନ ହେଲା ବୈଷ୍ଣବୀ ତାଙ୍କ ସାବତ ମା' ଅଞ୍ଜୁ ଙ୍କ ସହିତ ଢେଙ୍କାନାଳ ବାପାଙ୍କ ପାଖକୁ ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି । ସୋମବାର ସକାଳୁ ତାଙ୍କ ଶୋଇବା ଘରୁ ସନ୍ଦେହ ଜନକ ଭାବେ ବୈଷ୍ଣବୀଙ୍କ ମୃତଦେହ ଠାବ ହୋଇଛି। ମୃତ୍ୟୁର ସଠିକ କାରଣ କ'ଣ ତାହା ଜଣାପଡିନାହିଁ। ବୈଷ୍ଣବୀଙ୍କ ଏକ ସୁଇସାଇଡ଼ ନୋଟ ମୃତଦେହ ନିକଟରୁ ପୁଲିସ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ କାରଣ କଣ ଜଣାପଡିବ ବୋଲି ଜିଲ୍ଲା ଅତିରିକ୍ତ ଏସ ପି ପ୍ରକାଶ କରିଛନ୍ତି ।