ରାଉରକେଲା,୨୮/୧୦: ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯିବା ହେଲା କାଳ। ଆଇଇଡି ବିସ୍ଫୋରଣରେ ଯୁବତୀଙ୍କ ମୃତ୍ୟୁ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଯାରେଇକେଲା ଥାନା ଅନ୍ତର୍ଗତ ଦୀଘା ଅଞ୍ଚଳରୁ ଏଭଳି ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଉଛି । ଯାହାକୁ ନେଇ ଯବାନମାନଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସେପଟେ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଜଙ୍ଗଲରେ ଆଇଇଡି ବିଛାଇଛନ୍ତି । ତେବେ ଆଜି ସକାଳେ ଦୀଘା ଗାଁର ଜଣେ ୧୮ ବର୍ଷୀୟା ଯୁବତୀ ଶୁଖିଲା କାଠ ଆଣିବାକୁ ଜଙ୍ଗଲକୁ ଯାଉଥିବାବେଳେ ତାଙ୍କ ଗୋଡ଼ ଆଇଇଡି ଉପରେ ପଡ଼ିଯାଇଥିଲା । ଯାହା ଫଳରେ ଆଇଇଡିଟି ବିସ୍ଫୋରଣ ହୋଇଥିଲା । ଏଥିରେ ଯୁବତୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା । ସେପଟେ ଏହି ଘଟଣା ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।