ଇସ୍‌ଲାମାବାଦ,୦୮/୧୦: ପ୍ରେମିକଙ୍କ ସହ ବିବାହ  କରାଇବା ଲାଗି ଘର ଲୋକ ରାଜି ନ ହେବାରୁ ନାରକୀୟ  କାଣ୍ଡ ଘଟାଇଛନ୍ତି ପାକିସ୍ତାନର ଜଣେ ଯୁବତୀ । ସିନ୍ଧ ପ୍ରଦେଶର ଯୁବତୀ ଜଣକ ନିଜ ବାପାମା’ଙ୍କ ସହ ପରିବାରର ୧୩ ଜଣଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଛନ୍ତି । ଘଟଣା  ଅଗଷ୍ଟ ୧୯ର ହୋଇଥିବାବେଳେ ରବିବାର ତାଙ୍କୁ ଗିରଫ  କରାଯାଇଛି । ନିଜ ପ୍ରେମିକ ସହ ମିଶି ସେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ବିଷମିଶ୍ରିତ ଖାଦ୍ୟ ଖାଇବା ପରେ  ପରିବାର ଲୋକେ ଅସୁସ୍ଥ ହୋଇପଡ଼ିଥିଲେ । ହସ୍ପିଟାଲରେ  ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶବ  ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିଥିଲା ।  

ପୁଲିସ କହିଛି, ଯୁବତୀ ଜଣକ ତାଙ୍କ ଘର ଲୋକଙ୍କୁ ବିବାହ  ପାଇଁ ମନାଇବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ପରିବାର  ଲୋକେ ଏଥିରେ ରାଜି ହୋଇ ନ ଥିଲେ । ରାଗରେ ଯୁବତୀ  ଜଣକ ଅଟାରେ ବିଷ ମିଶାଇ ରୁଟି ବନାଇଥିଲେ ଏବଂ  ସଭିଁଙ୍କୁ ଖାଇବାକୁ ଦେଇଥିଲେ ବୋଲି ସ୍ୱୀକାର କରିଛନ୍ତି ।