ବିଦାୟୀ ବର୍ଷ ୨୦୨୫ରେ ବିଶ୍ୱ ଅନେକ ଯୁଦ୍ଧ ଓ ସଂଘର୍ଷର ସାମ୍ନା କରିଛି । ଯାହା ଆଞ୍ଚଳିକ ନିରାପତ୍ତାକୁ ବିପନ୍ନ କରିବା ସହ କୂଟନୈତିକ ରୂପରେଖର ପରୀକ୍ଷା ନେଇଛି । ଆଣବିକ ଶକ୍ତି ସମ୍ପନ୍ନ ଦୁଇ ପଡୋଶୀ ରାଷ୍ଟ୍ର ଭିତରେ ସଂଘର୍ଷ ବିଶ୍ୱରେ ଯୁଦ୍ଧ ଉନ୍ମାଦନା ବଢ଼ାଇଥିଲା ବେଳେ ବିଭିନ୍ନ ଦେଶରେ ଗୃହଯୁଦ୍ଧ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ମରଣ ମୁହଁକୁ ଠେଲିଦେଇଛି । ଭାରତ-ପାକ୍ ସଂଘର୍ଷ ଏସିଆ ମହାଦେଶରେ ଉତ୍ତେଜନା ବଢ଼ାଇ ଦେଇଥିଲା । ସେହିଭଳି ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟପ୍ରାଚ୍ୟରେ ତିକ୍ତତା ଭରିଦେଇଥିଲା । ବିଦାୟୀ ବର୍ଷର ଏଭଳି କିଛି ଯୁଦ୍ଧ ଓ ସଂଘର୍ଷକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ।

ଭାରତ-ପାକ୍ ମୁହାଁମୁହିଁ

ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଆତଙ୍କୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିବା ଘଟଣା ଭାରତକୁ ଦୋହଲାଇ ଦେଇଥିଲା । ଆତଙ୍କବାଦୀଙ୍କୁ ଉଚିତ ଶାସ୍ତି ଦେବା ଲାଗି ଭାରତ ମେ ୭ରେ ଆରମ୍ଭ କରିଥିଲା ସାମରିକ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୂର । ଭାରତୀୟ ସେନା ପାକିସ୍ତାନର ବାହାବଳପୁର ଓ ମୁଦିରକେ ଠାରେ ଥିବା ଲସ୍କର ଓ ଜୈସ୍ ଆତଙ୍କୀ ଠିକଣାକୁ ଧ୍ୱଂସ କରିଥିଲା । ଏଥିରେ ପାକିସ୍ତାନ ଉତ୍‌କ୍ଷିପ୍ତ ହୋଇ ଭାରତ ଉପରେ ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଥିଲା । ହେଲେ ଭାରତ ସେସବୁକୁ ଖସାଇବାରେ ସକ୍ଷମ ହୋଇଥିଲା । ଭାରତ ମଧ୍ୟ ପ୍ରତିଆକ୍ରମଣ କରି ପାକିସ୍ତାନର ଅନେକ ସାମରିକ ଘାଟିକୁ ଧ୍ୱଂସ କରିଥିଲା । ଆଣବିକ ଶକ୍ତି ସମ୍ପନ୍ନ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଏଭଳି ଲଢ଼େଇ ସମଗ୍ର ବିଶ୍ୱକୁ ଚିନ୍ତିତ କରିଦେଇଥିଲା । ଶେଷରେ ଦୀର୍ଘ ୪ ଦିନର ସଂଘର୍ଷ ପରେ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ ।

ଥାଇଲାଣ୍ଡ-କମ୍ବୋଡିଆ ସଂଘର୍ଷ

ଜୁଲାଇ ୨୪ରେ ପ୍ରାଚୀନ ମନ୍ଦିରକୁ ନେଇ ପୁଣିଥରେ ଦୁଇ ପଡୋଶୀ ଦେଶ ଥାଇଲାଣ୍ଡ ଓ କମ୍ବୋଡିଆ ମୁହାଁମୁହିଁ ହୋଇଥିଲେ । ଗତ ୧୦ ବର୍ଷ ହେଲା ଦୁଇଦେଶ ମଧ୍ୟରେ ଜଳୁଥିବା ଅସନ୍ତୋଷ ଶେଷରେ ବିସ୍ଫୋରଣର ରୂପ ନେଇଥିଲା । ଜୁଲାଇ ୨୭ରେ ସଂଘର୍ଷ ଚରମ ସୀମାରେ ପହଞ୍ଚିଥିଲା । ସୀମାନ୍ତବର୍ତ୍ତୀ ୧୨ଟି ସ୍ଥାନରେ ଉଭୟ ଦେଶର ସେନା ଭିତରେ ସଂଘର୍ଷ ହୋଇଥିଲା । ଏଥିରେ ୩୮ ଜଣ ପ୍ରାଣ ହରାଇଥିଲା ବେଳେ ୩ ଲକ୍ଷରୁ ଅଧିକ ସାଧାରଣ ଜନତା ବିସ୍ଥାପିତ ହୋଇଥିଲେ । ଜାତିସଂଘ ସୁରକ୍ଷା ପରିଷଦର ଜରୁରି ବୈଠକ ଡକାଯାଇଥିଲା ଏବଂ ମାଲେସିଆର ନେତୃତ୍ୱରେ ଆସିଆନ ରାଷ୍ଟ୍ରମାନେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ଉଭୟ ଦେଶକୁ ପରାମର୍ଶ ଦେଇଥିଲେ । ଜୁଲାଇ ୨୮ରେ ଚୀନ୍ ଓ ଆମେରିକାର ହସ୍ତକ୍ଷେପ ପରେ କ୍ୱାଲାଲମ୍ପୁରରେ ଉଭୟ ଦେଶ ଯୁଦ୍ଧବିରତି ରାଜିନାମା କରିଥିଲେ।

ଇସ୍ରାଏଲ-ଇରାନ ଯୁଦ୍ଧ

ଜୁନ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଇରାନର ଆଣବିକ କେନ୍ଦ୍ର, ସାମରିକ ପ୍ରତିଷ୍ଠାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ସେନା ବୋମା ଓ ମିସାଇଲ ମାଡ଼ କରିଥିଲା । ହିଜବୁଲା ଓ ହମାସ ଭଳି ଉଗ୍ରବାଦୀ ଗୋଷ୍ଠୀଙ୍କୁ ଇରାନ ସମର୍ଥନ କରୁଥିବା ଇସ୍ରାଏଲ ପ୍ରାୟ ୨ ବର୍ଷ ହେଲା ଅଭିଯୋଗ କରିଆସୁଥିଲା । ଶେଷରେ ଧୈର୍ଯ୍ୟଚ୍ୟୁତ ହେବାରୁ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଯୁଦ୍ଧ ବଢ଼ିବା ପରେ ଆମେରିକା ସେଥିରେ ସାମିଲ ହୋଇଥିଲା ।

ଆମେରିକା ସେନା ଇରାନର ଆଣବିକ କେନ୍ଦ୍ର ଉପରେ ପ୍ରଚଣ୍ଡ ବୋମା ବର୍ଷଣ କରିଥିଲା । ଫଳରେ ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ଗୁରୁତର ପ୍ରଭାବିତ ହୋଇଥିଲା। ଇରାନ ମଧ୍ୟ ଇସ୍ରାଏଲର କେତେକ ଅଞ୍ଚଳ ଉପରେ ମିସାଇଲ୍ ଓ ରକେଟ ମାଡ଼ କରିଥିଲା । ଦୀର୍ଘ ୧୨ ଦିନ ଧରି ଏହି ସଂଘର୍ଷ ଲାଗି ରହିଥିଲା । ଶେଷରେ ଜୁନ୍ ୨୪ରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା । ଯଦିଓ ଉଭୟ ଦେଶ ଅତୀତିରେ ଯୁଦ୍ଧବିରତି କରିଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଉଲ୍ଲଂଘନ କରିଥିଲେ । କିନ୍ତୁ ଏଥର ଆମେରିକା ଚାପରେ ଏହି ଯୁଦ୍ଧବିରତି ସମ୍ଭବ ହୋଇଥିଲା ।

ଆଫଗାନିସ୍ତାନ-ପାକିସ୍ତାନ ବିବାଦ

ଅକ୍ଟୋବର ୯ରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଟିଟିପି (ତେହେରିକ ଇ ତାଲିବାନ ପାକିସ୍ତାନ) ମୁଖ୍ୟ ନୁର ଅଲି ମେସୁଦକୁ ଟାର୍ଗେଟ କରି ପାକିସ୍ତାନୀ ସେନା କାବୁଲ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାର ଦିନକ ପରେ ଆଫଗାନିସ୍ତାନ ପାକିସ୍ତାନ ଅଞ୍ଚଳରେ ଆକ୍ରମଣ କରିଥିଲା । ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଯୋଗୁ ୨୩ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ ଓ ୯ ଜଣ ଆଫଗାନ ସୈନ୍ୟ ନିହତ ହୋଇଥିଲେ । ପାକିସ୍ତାନ ଅଭିଯୋଗ କରିଥିଲା କି ଆଫଗାନିସ୍ତାନ ତାର ମାଟିକୁ ଟିଟିପିକୁ ବ୍ୟବହାର କରିବା ଲାଗି ଦେଉଛି । ଫଳରେ ଟିଟିପି ପାକିସ୍ତାନରେ ହିଂସା ଘଟାଉଛି।

ଇସ୍ରାଏଲର ହମାସ ନିପାତ ଅଭିଯାନ

ଗତ ଦୁଇବର୍ଷ ତଳେ ଇସ୍ରାଏଲ ଆରମ୍ଭ କରିଥିବା ହମାସ ନିପାତ ଅଭିଯାନ ବିଦାୟୀ ବର୍ଷରେ ମଧ୍ୟ ଦେଖିବାକୁ ମିଳିଥିଲା । ଇସ୍ରାଏଲ ଚଳିତବର୍ଷ ଗାଜାରେ ଅନେକ ହମାସ ନେତାଙ୍କୁ ନିପାତ କରିଥିଲା । କିନ୍ତୁ ଇସ୍ରାଏଲ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଗତ ଦୁଇବର୍ଷରେ ଇସ୍ରାଏଲର ଗାଜା ଆକ୍ରମଣ ଯୋଗୁ ପ୍ରାୟ ୮୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ୨ ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ବିଦାୟୀ ବର୍ଷରେ ଏକାଧିକ ଥର ଯୁଦ୍ଧବିରତି ହୋଇଛି । ଯାହାଫଳରେ ହମାସ୍ କିଛି ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି । ପ୍ରତିବଦଳରେ ଇସ୍ରାଏଲ ବନ୍ଦୀ କରିଥିବା କିଛି ପାଲେଷ୍ଟାନୀୟଙ୍କୁ ମଧ୍ୟ ଛାଡିଛି । ପ୍ରଥମ ଯୁଦ୍ଧବିରତି ଜାନୁଆରୀରେ ହୋଇଥିଲା । ମାତ୍ର ତାହା ବିଫଳ ହେବାରୁ ମାର୍ଚ୍ଚରେ ଇସ୍ରାଏଲ ପୁଣି ଆକ୍ରମଣ କରିଥିଲା । ସେପ୍ଟେମ୍ବରରେ ଦ୍ୱିତୀୟ ଯୁଦ୍ଧବିରତି ହେଲା । ତାହା ଡିସେମ୍ବର ଯାଏ ବଳବତ୍ତର ରହିଥିଲା । ଇସ୍ରାଏଲର ଗାଜା ଯୁଦ୍ଧ କେବଳ ପାଲେଷ୍ଟାଇନ ଭିତରେ ସୀମିତ ନଥିଲା । ତାହା ଲେବାନନ ଓ ଇରାନ ପର୍ଯ୍ୟନ୍ତ ମଧ୍ୟ ସମ୍ପ୍ରସାରିତ ହୋଇଥିଲା । ଲେବାନନରେ ଥିବା ହିଜବୁଲା ଆତଙ୍କୀଙ୍କ ଉପରେ ଇସ୍ରାଏଲ ପ୍ରଚଣ୍ଡ ବୋମା ବର୍ଷଣ କରିଥିଲା । ସେହଭଳି ଇରାନ ଉପରେ ମଧ୍ୟ ଆକ୍ରମଣ କରିଥିଲା।

ଆଫ୍ରିକାରେ ଗୃହଯୁଦ୍ଧ

ବିଦାୟୀ ବର୍ଷରେ ବିଭିନ୍ନ ଆଫ୍ରିକୀୟ ଦେଶରେ ସଂଘର୍ଷ ଓ ଗୃହଯୁଦ୍ଧ ଦେଖିବାକୁ ମିଳିଥିଲା । ସୁଦାନରେ ଗୃହଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା । ଦେଶରେ ଘୋର ମାନବୀୟ ସଙ୍କଟ ସହ ଖାଦ୍ୟାଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ସେହିଭଳି କଙ୍ଗୋରେ ରୁଆଣ୍ଡା ସମର୍ଥିତ ବିଦ୍ରୋହୀମାନେ ଉତ୍ତର କିଭୁ ପ୍ରଦେଶର ରାଜଧାନୀ ଗୋମା ଦଖଲ କରିବା ଲାଗି ଜାନୁଆରୀ ୨୩ରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ । ବ୍ୟାପକ ସଂଘର୍ଷ ପରେ ସେମାନେ ୨୭ରେ ଗୋମା ଦଖଲ କରିଥିଲେ । ଆମେରିକା ସମର୍ଥନରେ ଉଭୟ ପକ୍ଷର ଡିସେମ୍ବର ୪ରେ ଯୁଦ୍ଧବିରତି କରିଥିଲେ ମଧ୍ୟ ପରେ ତାହା ବିଫଳ ହୋଇଥିଲା । ଗୃହଯୁଦ୍ଧ ଯୋଗୁ କଙ୍ଗୋରେ ହିଂସା ଓ ଘୋର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ସେହିଭଳି ସାହେଲ ଅଞ୍ଚଳ (ମାଲି, ବୁର୍କିନା ଫାସୋ ଓ ନାଇଜର)ରେ ବିଚ୍ଛିନ୍ନତାବାଦୀ ମୁଣ୍ଡ ଟେକିବା ପରେ ସେଠାରେ ବର୍ଷ ତମାମ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିଦାୟୀ ବର୍ଷରେ ସୋମାଲିଆରେ ସଂଘର୍ଷ ଓ ଗୃହଯୁଦ୍ଧ ଯୋଗୁ ଲୋକମାନେ ଘୋର ସଙ୍କଟର ସମ୍ମୁଖୀନ ହୋଇଥିଲେ । ଦେଶରେ ମରୁଡି ପରିସ୍ଥିତି ସେମାନଙ୍କୁ ଆହୁରି ଦୋହଲାଇ ଦେଇଥିଲା।

ମ୍ୟାଁମାରରେ ହିଂସା

ମ୍ୟାଁମାରରେ ୨୦୨୧ରେ ସାମରିକ ସରକାର ଗଠନ ହେବା ଦିନରୁ ହିଂସାକାଣ୍ଡ ଲାଗି ରହିଛି । ବିଦାୟୀ ବର୍ଷରେ ଏହି ହିଂସାକାଣ୍ଡ ସାମରିକ ଜୁଣ୍ଟା ସରକାର ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ବିଦ୍ରୋହୀ ଆରାକାନ ଆର୍ମି ଓ ଅନ୍ୟ ସିଭିଲ ଆର୍ମି ପକ୍ଷରୁ ଗଠିତ ଥ୍ରି-ବଦର ଆର୍ମି ଜୁଣ୍ଟା ସରକାର ବିରୋଧରେ ବିଦ୍ରୋହ କରିଥିଲେ । ସାଗାଇଙ୍ଗ, ମାଣ୍ଡଲେ ଓ ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳରେ ବିଦ୍ରୋହୀମାନେ ଗୋଟିଏ ପଟେ ଗୋଟିଏ ସହର କବ୍ଜା କରିବା ସହ ଜୁଣ୍ଟା ସରକାରକୁ କଡା ଚାଲେଞ୍ଜ ଦେଇଥିଲେ । ସେମାନଙ୍କୁ ଦମନ କରିବା ଲାଗି ସରକାର ବାୟୁସେନା ଓ ସ୍ଥଳସେନାକୁ ବ୍ୟବହାର କରିବାକୁ ପଡିଛି । କେତେକ ସ୍ଥାନରେ ବିଦ୍ରୋହୀଙ୍କୁ ଦମନ କରିବାକୁ ଯାଇ ସରକାର ବିମାନ ଆକ୍ରମଣ କରିଛନ୍ତି । ଏଥିରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସଂଘର୍ଷ ଯୋଗୁ ହଜାର ହଜାର ଲୋକ ଘରଦ୍ୱାର ଛାଡି ପଳାଇଛନ୍ତି । ଲକ୍ଷାଧିକ ଲୋକ ଖାଦ୍ୟ, ପାନୀୟ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇପାରୁ ନାହାନ୍ତି । ସେମାନେ ବାହାରୁ ଆସୁଥିବା ସହାୟତାକୁ ଅପେକ୍ଷା କରିଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ସରକାର ଯୁଦ୍ଧବିରତି କରିବାକୁ ରାଜି ହୋଇଛନ୍ତି ।

ଆମେରିକା-ଭେନେଜୁଏଲା ବିବାଦ

ଆମେରିକା ଓ ଭେନେଜୁଏଲା ମଧ୍ୟରେ ଗତ ବର୍ଷ ତମାମ ବିବାଦ ଦେଖିବାକୁ ମିଳିଥିଲା । ଜାନୁଆରୀରେ ଦ୍ୱିତୀୟଥର ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡେନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ଉଚିତ ଶିକ୍ଷା ଦେବାକୁ ଚାହିଁଥିଲେ । ସେ ଅଭିଯୋଗ କରିଥିଲେ ଯେ ଭେନେଜୁଏଲା ଆମେରିକା ସମେତ ଅନ୍ୟ କେତେକ ଦେଶକୁ ବେଆଇନ ଭାବେ ଡ୍ରଗ୍ସ ଚାଲାଣ କରୁଛି । ଗୋଟିଏ ପଟେ ଡ୍ରଗ୍ସ ସେବନ କରି ଲୋକେ ହିଂସା ଓ ଅପରାଧରେ ସାମିଲ ହେଉଥିବା ବେଳେ ଅନ୍ୟପଟେ ଏଥରୁ ମିଳୁଥିବା ଅର୍ଥକୁ ଭେନେଜୁଏଲା ଆତଙ୍କୀ କାର୍ଯ୍ୟରେ ବ୍ୟବହାର କରୁଛି । ଏହି କାରଣରୁ ଆମେରିକା ଗତ ଅଗଷ୍ଟରେ କାରବିୟାନ ସାଗରରେ ଯୁଦ୍ଧପୋତ ମୁତୟନ କରିଥିଲା । ଭେଜେଜୁଏଲାରୁ ଡ୍ରଗ୍ସ ଧରି ଆସୁଥିବା କେତେକ ଜାହାଜକୁ ଧ୍ୱଂସ କରିଥିଲା । ଏପରିକି ଏକ ତୈଳ ଟ୍ୟାଙ୍କରକୁ ମଧ୍ୟ ଜବତ କରିଥିଲା । ଟ୍ରମ୍ପ ଅଭିଯୋଗ କରିଥିଲେ କି ଭେନେଜୁଏଲା ବେଆଇନ ଭାବେ ତେଲ ବିକ୍ରି କରି ଯେଉଁ ଅର୍ଥ ପାଉଛି ତାକୁ ଆତଙ୍କୀ କାର୍ଯ୍ୟରେ ଲଗାଉଛି ।

ଥରହର ୟୁରୋପ

 

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବର୍ଷ ତମାମ ୟୁରୋପରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବ୍ରିଟେନ ସମେତ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ, ପୋଲାଣ୍ଡ, ନେଦରଲାଣ୍ଡ, ହଙ୍ଗେରୀ ଭଳି ରାଷ୍ଟ୍ରମାନେ ୟୁକ୍ରେନକୁ ଦୃଢ଼ ସମର୍ଥନ ଜଣାଇବା ସହ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା କରିଥିଲେ । ସେପଟେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ପ୍ରଥମେ ସେ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତାକୁ ବନ୍ଦ କରିଦେଇଥିଲେ । ଏଭଳି କରି ସେ ୟୁକ୍ରେନ ଉପରେ ଯୁଦ୍ଧବିରତି ଲାଗି ଚାପ ପକାଇବାକୁ ଚେଷ୍ଟା କରିଥିଲେ । ଏଥିସହ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କୁ ହ୍ୱାଇଟ୍ହାଉସ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ସେଠାରେ ଉଭୟ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଘଟିଥିଲା । ସେହିଭଳି ଟ୍ରମ୍ପ ରୁଷରୁ ତୈଳ କିଣୁଥିବା ଦେଶମାନଙ୍କ ଉପରେ ଉଚ୍ଚ ଟାରିଫ ଲାଗୁ କରିଥିଲେ । କହିଥିଲେ ସେମାନେ ରୁଷ ଠାରୁ ତେଲ କିଣି ଯୁଦ୍ଧକୁ ପ୍ରୋତ୍ସାହନ ଦେଉଛନ୍ତି । ସେ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରି ଯୁଦ୍ଧ ବନ୍ଦ ଲାଗି ଚେଷ୍ଟା କରିଥିଲେ । ଉଭୟ ପୁଟିନ ଓ ଜେଲେନ୍ସ୍କିଙ୍କୁ ଏକାଠି ଆଲୋଚନା ଟେବୁଲକୁ ଆଣିବାକୁ ଚାହିଁଥିଲେ । ଏଥିପାଇଁ ସେ ଏକ ଶାନ୍ତି ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ଯାହାକୁ ୟୁକ୍ରେନ ସମର୍ଥନ କରିଥିଲେ ମଧ୍ୟ ୟୁରୋପୀୟ ନେତାମାନେ ଏଥିରେ ରାଜି ହୋଇନଥିଲେ । ଯାହାଫଳରେ ଟ୍ରମ୍ପ ଯୁଦ୍ଧ ବନ୍ଦ ଦିଗରେ ୟୁରୋପୀୟ ନେତାମାନେ ବାଧକ ସାଜିଥିବା ମଧ୍ୟ କହିଥିଲେ ।