ନୂଆଦିଲ୍ଲୀ, ୨୩।୧୦: ଆଇସଲ୍ୟାଣ୍ଡ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଆଦୌ ମଶା ଦେଖାଯାଏ ନାହିଁ । କିନ୍ତୁ, ଏବେ ବିଶ୍ୱ ଉଷ୍ମତା ଏହାକୁ ଭୁଲ୍ ପ୍ରମାଣିତ କରିଛି । ପ୍ରଥମ ଥର ପାଇଁ ଆଇସଲ୍ୟାଣ୍ଡରେ ମଶା ଚିହ୍ନଟ ହୋଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ବିଶ୍ୱ ଉଷ୍ମତା ଯୋଗୁଁ, ଦେଶ ପୂର୍ବ ଅପେକ୍ଷା କୀଟପତଙ୍ଗ ପାଇଁ ଅଧିକ ଅନୁକୂଳ ହେଉଛି । ଏପର୍ଯ୍ୟନ୍ତ, ଆଇସଲ୍ୟାଣ୍ଡ ବିଶ୍ୱର ଏପରି କିଛି ଦେଶ ମଧ୍ୟରୁ ଗୋଟିଏ ଥିଲା ଯେଉଁଠାରେ ମଶା ନଥିଲା, ଆଇସଲ୍ୟାଣ୍ଡ ଭଳି ଅନ୍ୟ ଦେଶଟି ହେଉଛି ଆଣ୍ଟାର୍କଟିକା, ଯେଉଁଠାରେ ମଶା ନାହାନ୍ତି । ବୈଜ୍ଞାନିକମାନେ ପୂର୍ବରୁ କହିଥିଲେ ଯେ, ଆଇସଲ୍ୟାଣ୍ଡରେ ମଶା ବଂଶବୃଦ୍ଧି କରିପାରିବେ ଏବଂ ପୋଖରୀ ପରି ପ୍ରଜନନସ୍ଥଳ ଥିବାରୁ ମଶା ବଢ଼ିପାରିବେ । ଅନେକ ପ୍ରଜାତି ଆଇସଲ୍ୟାଣ୍ଡର ଥଣ୍ଡା ଜଳବାୟୁରେ ବଞ୍ଚି ରହିପାରିବେ ନାହିଁ ।

ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆଇସଲ୍ୟାଣ୍ଡର ତାପମାତ୍ରା: 

ଆଇସଲ୍ୟାଣ୍ଡର ତାପମାତ୍ରା ଏବେ ଉତ୍ତର ଗୋଲାର୍ଦ୍ଧର ହାରାହାରି ତୁଳନାରେ ୪ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହିମଖଣ୍ଡ ତରଳିବାରେ ଲାଗିଛି ଏବଂ ଦକ୍ଷିଣର ଉଷ୍ମ ଅଞ୍ଚଳରୁ ମାଛ ଯେପରିକି ମ୍ୟାକେରେଲ, ଏବେ ଏହାର ନଦୀ ଏବଂ ହ୍ରଦରେ ଦେଖିବାକୁ ମିଳୁଛି । ପୃଥିବୀ ଉଷ୍ମ ହେବା ସହିତ ମଶା ପ୍ରଜାତିସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ, ୟୁକେରେ ଏଡିସ୍ ଏଜିପ୍ଟି (ମିଶରର ମଶା)ର ଅଣ୍ଡା ମିଳିଥିଲା, ଯେତେବେଳେ କେଣ୍ଟରେ ଏଡିସ୍ ଆଲବୋପିକ୍ଟସ୍ (ଏସିଆନ୍ ଟାଇଗର ମଶା)ର ନମୁନା ମିଳିଥିଲା । ଏହି ମଶାଗୁଡ଼ିକ ବିପଦପୂର୍ଣ୍ଣ ପ୍ରଜାତି ଯାହା ଦ୍ୱାରା ଡେଙ୍ଗୁ , ଚିକୁନଗୁନିଆ ଏବଂ ଜିକା ଭାଇରସ ଭଳି ରୋଗ ବ୍ୟାପିଥାଏ ।

ଆଇସଲାଣ୍ଡର ପ୍ରାକୃତିକ ବିଜ୍ଞାନ ପ୍ରତିଷ୍ଠାନର କୀଟତତ୍ତ୍ୱବିତ୍ ମ୍ୟାଥିଆସ୍ ଆଲଫ୍ରେଡସନ୍ ଆଇସଲାଣ୍ଡରେ ମଶା ଆବିଷ୍କାର ହେବା କଥା ନିଶ୍ଚିତ କରିଛନ୍ତି । ଜଣେ ନାଗରିକ ତାଙ୍କୁ ମଶା ପଠାଇଥିଲେ ଏବଂ ସେ ନିଜେ ଏହାକୁ ଚିହ୍ନଟ କରିଥିଲେ । ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ସହିତ ଆଲୋଚନା ପରେ ସେ କହିଛନ୍ତି, " ଆଇସଲ୍ୟାଣ୍ଡରେ କ୍ୟୁଲିସେଟା ଆନୁଲାଟା ପ୍ରଜାତିର ତିନୋଟି ମଶା ମିଳିଛି, ଦୁଇଟି ମାଈ ଏବଂ ଗୋଟିଏ ପୁରୁଷ ।" ଏହି ମଶା ପ୍ରଜାତି ଥଣ୍ଡା ସ୍ଥାନରେ ବଞ୍ଚିପାରିବେ ଏବଂ ଶୀତ ଋତୁରେ ବେସ୍‌ମେଣ୍ଟ ଏବଂ ଗୋଦାମରେ ଆଶ୍ରୟ ନେଇ ବଞ୍ଚିପାରିବେ ।

ଆଇସଲ୍ୟାଣ୍ଡରେ କିଏ ପ୍ରଥମେ ମଶା ଦେଖିଥିଲେ ?

ବିଜର୍ଣ୍ଣ ହଜଲ୍ଟାସନ୍ ପ୍ରଥମେ ଏହି ମଶାଗୁଡ଼ିକୁ ଦେଖିଥିଲେ ଏବଂ 'ଇନସେକ୍ଟସ୍ ଇନ୍ ଆଇସଲ୍ୟାଣ୍ଡ' ନାମକ ଏକ ଫେସବୁକ୍ ଗ୍ରୁପରେ ଏନେଇ ସୂଚନା ସେୟାର କରିଥିଲେ । ସେ କହିଥିଲେ, "ଅକ୍ଟୋବର ୧୬ ତାରିଖ ସନ୍ଧ୍ୟାରେ, ମୁଁ ୱାଇନର ଲାଲ ରିବନରେ ଏକ ଅଜବ ମାଛି ପରି ଜିନିଷ ଦେଖିଥିଲି । ମୁଁ ତୁରନ୍ତ ସନ୍ଦେହ କରିଥିଲି ଏବଂ ଏହାକୁ ଧରିଥିଲି । ଏହା ଏକ ମାଇ ମଶା ବୋଲି ଜଣାପଡ଼ିଥିଲା ।" ଏହା ପରେ, ସେ ଆଉ ଦୁଇଟି ମଶା ଧରି ବିଜ୍ଞାନ ପ୍ରତିଷ୍ଠାନକୁ ପଠାଇଲେ, ଯେଉଁଠାରେ ବୈଜ୍ଞାନିକମାନେ ସେଗୁଡ଼ିକୁ ନିଶ୍ଚିତ କରିଥିଲେ ।