ନୂଆଦିଲ୍ଲୀ/ଭୁବନେଶ୍ବର,୧୦।୬ : ଭାରତ ସହାନୁଭୂତିଶୀଳ, ନୈତିକ ଏବଂ ସମାନତାପୂର୍ଣ୍ଣ ବିଜ୍ଞାନରେ ବିଶ୍ବାସ କରେ । ମଙ୍ଗଳବାର ଆଇଆଇଟି ହ୍ରାଇଦ୍ରାବାଦରେ ବିଶ୍ବ ଯୁବ ବୈଜ୍ଞାନିକ ସମ୍ମିଳନୀ ଓ ଗ୍ଲୋବାଲ ୟଙ୍ଗ ଏକାଡେମୀର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଶ୍ରୀ ପ୍ରଧାନ କହିଥିଲେ, ଏହି ସମ୍ମିଳନୀ କେବଳ ବୈଜ୍ଞାନିକମାନଙ୍କର ଏକ ସମାବେଶ ନୁହେଁ ବରଂ ଆଶା, ଉଦ୍ଦେଶ୍ୟ ଏବଂ ଏକ ସହଭାଗୀତାକୁ ପ୍ରତିନିଧିତ୍ବ କରୁଥିବା ଏକ ମଞ୍ଚ ଅଟେ। ଭାରତ ଏପରି ବିଜ୍ଞାନରେ ବିଶ୍ବାସ କରେ ଯାହା ସହାନୁଭୁତିଶୀଳ, ନୈତିକ ଏବଂ ନ୍ୟାୟସଙ୍ଗତ ହୋଇଥିବ। ଭାରତର ବୈଶ୍ବିକ ଭାଗିଦାରୀ ଏକ ବ୍ୟାପକ ମୂଲ୍ୟବୋଧରେ ଅନ୍ତର୍ନିହିତ। ଅନ୍ତରାଷ୍ଟ୍ରୀୟ ସୌର ଗଠବନ୍ଧନ, ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ପାଇଁ ପଦକ୍ଷେପ, ମିଶନ ଲାଇଭ ଏବଂ ଭାରତ ବିଜ୍ଞାନ ଓ ଗବେଷଣା ଛାତ୍ରବୃତ୍ତି ଭଳି ପଦକ୍ଷେପଗୁଡିକ ଭାରତର ବିଶ୍ବ ବନ୍ଧୁତ୍ବ ତଥା ବିଜ୍ଞାନ ମାଧ୍ୟମରେ ବିଶ୍ବ ବନ୍ଧୁତାର ପ୍ରତିଫଳନ।ଏହି ଅବସରରେ ଏକ ପେଡ୍ ମା’ କେ ନାମ ୨.୦ ଅଭିଯାନ ଅଧୀନରେ ଆଇଆଇଟି ହାଇଦ୍ରାବାଦ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ।
ଆଇଆଇଟି, ହାଇଦ୍ରାବାଦ ନିର୍ଦେଶକ ପ୍ରଫେସର ବି.ଏସ.ମୂର୍ତ୍ତି, ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ଆଶୁତୋଷ ଶର୍ମା, ଆଇଆଇଟି ହାଇଦ୍ରାବାଦର ବୋର୍ଡ ଅଫ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ବି.ଭି.ଆର ମୋହନ ରେଡ୍ଡୀ ଉପସ୍ଥିତ ଥିଲେ।
ଏହା ବ୍ୟତୀତ ଶ୍ରୀ ପ୍ରଧାନ ତେଲେଙ୍ଗାନା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ ୧୧ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ସେ କହିଥିଲେ ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ସମାଜର ସମସ୍ତ ବର୍ଗର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକ ସଂସ୍କୃତି ହୋଇଛି।