ନୂଆଦିଲ୍ଲୀ, ୭।୨: ସୁନା ଓ ରୁପା ଦର ଆଉ କେତେ ଖସିବ ? ଏହାକୁ କେବେ କିଣିବା ସଠିକ୍ ହେବ ? ଆମ ପାଖରେ ଯେଉଁ ସୁନା-ରୁପା ଅଛି, ତାହାକୁ କ’ଣ ବିକିଦେବା ଉଚିତ୍ ? କ’ଣ ତମ୍ବାରେ ନିବେଶ ନିଷ୍ପତ୍ତି ସଠିକ୍ ହେବ ? ଏଗୁଡ଼ିକ ଏମିତି କିଛି ପ୍ରଶ୍ନ, ଯାହା ଆଜିକାଲି ପ୍ରାୟ ସମସ୍ତେ ପରସ୍ପରକୁ ପଚାରୁଛନ୍ତି । ଜୁଏଲର୍ସମାନଙ୍କ ପାଖକୁ ମଧ୍ୟ ସୁନା-ରୁପା ଦରକୁ ନେଇ କ୍ରମାଗତ ଭାବେ ଫୋନ୍ କଲ୍ ଆସୁଛି । ପ୍ରକୃତରେ, ବର୍ତ୍ତମାନ ସୁନା, ରୁପା ଏବଂ ତମ୍ବା ଦରରେ ବହୁତ ଅସ୍ଥିରତା ଦେଖାଯାଉଛି । ଗତ ବର୍ଷ ଏହି ଧାତୁଗୁଡ଼ିକର ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଥିଲା । ୨୦୨୫ ମସିହାରେ ସୁନା ପ୍ରାୟ ୭୦%, ରୁପା ପ୍ରାୟ ୧୭୦% ଏବଂ କପର ୫୦% ରୁ ଅଧିକ ରିଟର୍ଣ୍ଣ ଦେଇଥିଲା । ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଏହି ତିନୋଟି ଧାତୁର ମୂଲ୍ୟ ବଢ଼ିଥିଲା । କିନ୍ତୁ, ଜାନୁଆରୀ ଶେଷରେ ଏବଂ ବର୍ତ୍ତମାନ ଫେବୃଆରୀରେ ଏଥିରେ ଏଭଳି ହ୍ରାସ ଘଟିଛି ଯେ, ସବୁକିଛି ବଦଳି ଯାଇଛି । କହିବାକୁ ଗଲେ ଗଲା ୮ ଦିନ ଭିତରେ ଏହି ତିନି ଧାତୁଙ୍କ ଦୁନିଆ ବଦଳିଯାଇଛି । ଆସନ୍ତୁ ସଟରଡେ ସ୍ପେଶାଲରେ ଜାଣିବା ସୁନା, ରୁପାର ଭବିଷ୍ୟତ କ’ଣ ହେବାକୁ ଯାଉଛି ? ଏହି ଦୁଇ ଧାତୁରେ କେବେ ଓ କେମିତି କରିବେ ନିବେଶ…
ଜୋରର ବଢ଼ିଥିଲା, ଜୋରରେ ଖସୁଛି
୨୯ ଜାନୁଆରୀରେ ତିନୋଟି ଯାକ ଧାତୁ (ସୁନା, ରୁପା ଏବଂ କପର)ର ମୂଲ୍ୟ ଶିଖରରେ ଥିଲା । ଏମସିଏକ୍ସ (MCX) ରେ ସୁନା ପ୍ରତି ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କା, ରୁପା ପ୍ରତି କିଲୋଗ୍ରାମ ୪.୨୦ ଲକ୍ଷ ଟଙ୍କା ଏବଂ କପର ପ୍ରତି କିଲୋଗ୍ରାମ ୧୪୮୦ ଟଙ୍କା ଥିଲା । ଗତ ଏକ ବର୍ଷ ମଧ୍ୟରେ ଏହି ତିନୋଟି ଧାତୁର ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବଢ଼ିଥିଲା ଏବଂ ଏହା ନିବେଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଲୋକେ ଏହି ଧାତୁଗୁଡ଼ିକରେ ବହୁଳ ଭାବେ ନିବେଶ କରିବାକୁ ଲାଗିଲେ । ରୁପାର ଦର ବୃଦ୍ଧିକୁ ଏହି କଥାରୁ ଅନୁମାନ କରାଯାଇପାରେ ଯେ, ଏହାକୁ ୨ ରୁ ୩ ଲକ୍ଷରେ ପହଞ୍ଚିବା ପାଇଁ ପ୍ରାୟ ୧ ମାସ ଲାଗିଥିବା ବେଳେ ୩ ରୁ ୪ ଲକ୍ଷ ଟଙ୍କାରେ ପହଞ୍ଚିବା ପାଇଁ ମାତ୍ର ୧୦ ଦିନ ଲାଗିଥିଲା ।
ଏହା ବି ପଢ଼ନ୍ତୁ... ୩ଟି କାରଣ ପାଇଁ ହୁହୁ ହୋଇ ବଢୁଛି ସୁନା ଦର; ଗୋଟିଏ କାରଣ ପାଇଁ କମୁଛି, ଜାଣନ୍ତୁ ଗୋଟିଏ କ୍ଲିକ୍ରେ
ଆଉ ତିନି ଦିନରେ ହେଲା ଧଡ଼ାମ୍….
ସୁନା, ରୁପା ଏବଂ କପର ମୂଲ୍ୟରେ ହୋଇଥିବା ପ୍ରବଳ ବୃଦ୍ଧି ଯୋଗୁଁ ସେହି ନିବେଶକମାନେ ଖୁସି ଥିଲେ, ଯେଉଁମାନେ ଏଥିରେ ନିବେଶ କରିଥିଲେ । କିନ୍ତୁ ଯେଉଁମାନେ ଏହାକୁ କିଣିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ଏହା କ୍ରମାଗତ ଭାବେ ପହଞ୍ଚ ବାହାରକୁ ଚାଲିଯାଉଥିଲା । ୨୯ ଜାନୁଆରୀର ଠିକ୍ ପରଦିନ ଅର୍ଥାତ୍ ୩୦ ଜାନୁଆରୀରୁ ଏହାର ମୂଲ୍ୟରେ ଏକ ମୋଡ଼ ଆସିଲା ଏବଂ ଏହା ହଠାତ୍ ତଳକୁ ଖସିଗଲା । ଲଗାତାର ତିନି ଦିନ ଧରି ମୂଲ୍ୟ ହ୍ରାସ ପାଇଲା । ନିବେଶକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଗଲା । ଯେଉଁ ସମୟରେ ଏହି ଧାତୁର ମୂଲ୍ୟ କମିଲା, କିଛି ନୂଆ ନିବେଶକ ଏହାକୁ କିଣି ନେଲେ । ୨ ଫେବୃଆରୀରେ ଏଥିରେ କିଛିଟା ସୁଧାର ଆସିଲା । ନିବେଶକଙ୍କ ଆଶା ଫେରିଲା ସତ, କିନ୍ତୁ ଏହି ଧାତୁଗୁଡ଼ିକ ପୁରୁଣା ମୂଲ୍ୟକୁ ଫେରିପାରିଲେ ନାହିଁ । ଦୁଇ ଦିନର ସାମାନ୍ୟ ବୃଦ୍ଧି ପରେ ପୁଣି ଥରେ ମୂଲ୍ୟରେ ହ୍ରାସ ଘଟିଲା ।
୮ ଦିନରେ ବଦଳିଗଲା ତିନି ଧାତୁର ଦୁନିଆ:
ସୁନା, ରୁପା ଏବଂ କପରର ମୂଲ୍ୟରେ ୮ ଦିନ ମଧ୍ୟରେ ବଡ଼ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନର କାହାଣୀ ୨୯ ଜାନୁଆରୀ ୨୦୨୬ରୁ ହିଁ ଆରମ୍ଭ ହୋଇଥିଲା, ଯେତେବେଳେ ଏହି ଧାତୁଗୁଡ଼ିକର ମୂଲ୍ୟ ଶୀର୍ଷରେ ଥିଲା । ସେହି ଦିନ ଅର୍ଥାତ୍ ୨୯ ଜାନୁଆରୀ ରାତିରୁ ହିଁ ଏଥିରେ ହ୍ରାସ ଆରମ୍ଭ ହୋଇଗଲା । ପରବର୍ତ୍ତୀ ତିନି ଦିନ ମଧ୍ୟରେ ସୁନା ଖସି ଆସି ୧.୪୦ ଲକ୍ଷ ଟଙ୍କାରୁ ତଳକୁ ଆସିଗଲା । ରୁପା ମଧ୍ୟ କମିଯାଇ ପ୍ରାୟ ୨.୨୫ ଲକ୍ଷ ଟଙ୍କାରେ ପହଞ୍ଚିଲା । କପର ମଧ୍ୟ ପ୍ରତି କିଲୋ ପିଛା ୧୧୫୬ ଟଙ୍କା ପର୍ଯ୍ୟନ୍ତ ଖସିଲା । ଗତକାଲି ଶୁକ୍ରବାର ଦିନ ଏମସିଏକ୍ସରେ ସୁନା ୧.୫୫ ଲକ୍ଷ ଟଙ୍କା, ରୁପା ୨.୪୯ ଲକ୍ଷ ଟଙ୍କା ଏବଂ କପର ୧୨୪୨ ଟଙ୍କାରେ ବନ୍ଦ ହୋଇଥିଲା । ଶୁକ୍ରବାର ଦିନ କାରବାର ସମୟରେ ସୁନା ୧.୪୯ ଲକ୍ଷ, ରୁପା ୨.୨୯ ଲକ୍ଷ ଏବଂ କପର ପ୍ରାୟ ୧୨୧୩ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସି ଯାଇଥିଲା । ଏହିପରି ଭାବେ ଗତ ୮ ଦିନ ମଧ୍ୟରେ ସୁନା ପ୍ରାୟ ୨୩%, ରୁପା ପ୍ରାୟ ୪୬% (ଅର୍ଥାତ୍ ପାଖାପାଖି ଅଧା) ଏବଂ କପର ପ୍ରାୟ ୧୮% ଶସ୍ତା ହୋଇଛି ।
କାହିଁକି ହ୍ରାସ ପାଉଛି ସୁନା-ରୁପା ଦର ?
ସୁନା-ରୁପା ଦର କମିବାର ସବୁଠାରୁ ବଡ଼ କାରଣ ହେଉଛି ଆମେରିକୀୟ ଡଲାର ମଜବୁତ ହେବା ଏବଂ ପ୍ରଫିଟ୍ ବୁକିଂ । ୨୯ ଜାନୁଆରୀ ରାତିରୁ ଯେଉଁ ହ୍ରାସ ଆସିଲା, ତାର ମୁଖ୍ୟ କାରଣ ଥିଲା ପ୍ରଫିଟ୍ ବୁକିଂ । ଅନ୍ୟପଟେ ବର୍ତ୍ତମାନର ହ୍ରାସ ପାଇଁ ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ଏବଂ ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ନୂଆ ମୁଖ୍ୟଙ୍କ ନିଯୁକ୍ତି ଦାୟୀ । ଡଲାରରେ କାରବାର ହେଉଥିବା କମୋଡିଟିଜ୍ ଅନ୍ୟ ମୁଦ୍ରା ବ୍ୟବହାର କରୁଥିବା ଦେଶଗୁଡ଼ିକ ପାଇଁ ମହଙ୍ଗା ହୋଇଯାଏ, ଫଳରେ ସେମାନେ କ୍ରୟ କମାଇ ଦିଅନ୍ତି । ଏହା ସହିତ ଏମସିଏକ୍ସ କ୍ରିମତି ଧାତୁର କଣ୍ଟ୍ରାକ୍ଟ ଉପରେ ମାର୍ଜିନ (ଜମା ରାଶି) ମଧ୍ୟ ବୃଦ୍ଧି କରିଦେଇଛି ।
ନିବେଶକମାନେ ଏବେ କ’ଣ କରିବା ଉଚିତ୍ ?
ବିଶ୍ଳେଷକଙ୍କ କହିବା ଅନୁଯାୟୀ, ରୁପାର ମୂଲ୍ୟରେ ହୋଇଥିବା ଦ୍ରୁତ ହ୍ରାସ ଏହାର ଉଚ୍ଚ ମୂଲ୍ୟାଙ୍କନ ଏବଂ ଅସ୍ଥିରତାକୁ ନେଇ ଚିନ୍ତା ବଢ଼ାଇ ଦେଇଛି । ତଥାପି, ଦୀର୍ଘ ଅବଧି ପାଇଁ ରୁପାର ଚାହିଦା ଏବଂ ମୂଲ୍ୟର ମୂଳ କାରକଗୁଡ଼ିକ ଏବେ ବି ମଜବୁତ ରହିଛି ବୋଲି ସେମାନେ ମତ ଦେଇଛନ୍ତି । ଜେ.ପି. ମୋର୍ଗାନର ନିବେଶ ବ୍ୟାଙ୍କରମାନେ ସତର୍କ କରାଇଛନ୍ତି ଯେ, ରୁପାର ଅତ୍ୟଧିକ ମୂଲ୍ୟାଙ୍କନ ଯୋଗୁଁ ବଜାରରେ ଚାପ ସମୟରେ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିପାରେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ମୂଲ୍ୟରେ କିଛିଟା ସ୍ଥିରତା ଆସିପାରେ ଏବଂ ଆସନ୍ତା ବର୍ଷ ସୁଦ୍ଧା ସୁଧାର ହେବାର ଆଶା ରହିଛି । ବଜାର ବିଶେଷଜ୍ଞମାନେ ନିବେଶକମାନଙ୍କୁ ଏକକାଳୀନ ଅର୍ଥ ନିବେଶ ନକରି କିସ୍ତିରେ (SIP ମାଧ୍ୟମରେ) ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ବଜାରରେ ପ୍ରବେଶ କରିବାର ବିପଦ କମ୍ ହୋଇପାରିବ । ଯେପର୍ଯ୍ୟନ୍ତ ବଜାରରେ ସ୍ଥିରତା ନ ଆସିଛି, ସେପର୍ଯ୍ୟନ୍ତ ଏହି ମୂଲ୍ୟବାନ ଧାତୁ ବଜାରଠାରୁ ଦୂରେଇ ରୁହନ୍ତୁ ।