ଭୁବନେଶ୍ୱର, ୧୩/୦୧: ବିଶ୍ବ ବଜାରରେ ରାଜନୈତିକ ଅସ୍ଥିରତା କାରଣରୁ ଉପମୁହାଁ ସୁନା ଓ ରୁପା ଦର। ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ ବଢ଼ିଚାଲିଛି ରୁପା ଦର ।

ସୋମବାର ଭୁବନେଶ୍ୱରରେ ସୁନା ଓ ରୁପା ଦର ବୃଦ୍ଧି ହୋଇଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧୬୯୦ ଟଙ୍କା ବୃଦ୍ଧି ହୋଇ ୧,୪୨,୧୫୦ ଟଙ୍କା ଛୁଇଁଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧୫୫୦ ଟଙ୍କା ବୃଦ୍ଧି ହୋଇ ୧,୩୦,୩୩୦ ଟଙ୍କା ଛୁଇଁଛି । ସେହିଭଳି ରୁପା କିଲୋ ପିଛା ଦର ୧୨ ହଜାର ଟଙ୍କା ବୃଦ୍ଧି ହୋଇ ୨.୮୭ ଲକ୍ଷ ଟଙ୍କା ରହିଛି । ଦେଶର ବିଭିନ୍ନ ପ୍ରାନ୍ତ କଥା ଦେଖିଲେ ସୁନା ଓ ରୁପା ଦର ରେକର୍ଡ ଉଚ୍ଚ ସ୍ତରରେ ରହିଛି । ଇଣ୍ଡିଆ ବୁଲିଅନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ ଡାଟା ମୁତାବକ, ୧୦ ଗ୍ରାମ ପିଛା ସୁନା ୩୩୨୭ ଟଙ୍କା ବୃଦ୍ଧି ହୋଇ ୧,୪୦,୪୪୯ ଟଙ୍କା ରହିଛି । ୨୦୨୫ରେ ସୁନା ୭୫% ଏବଂ ରୁପା ୧୭୬% ମହଙ୍ଗା ହୋଇଛି । ଡଲାରର ଦୁର୍ବଳତା, ଯୁଦ୍ଧ ଏବଂ ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁନା କିଣା ବଢ଼ାଉଥିବାରୁ ଏହାର ଦର ଉପର ମୁହାଁ ହୋଇଛି । ସେହିଭଳି ଶିଳ୍ପ ଚାହିଦା, ଟ୍ରମ୍ପଙ୍କ ଟାରିଫ, ବିନିର୍ମାଣକାରୀଙ୍କ ଦ୍ୱାରା ରୁପା ମହଜୁଦ ବଢ଼ିବାରୁ ଏହାର ଦର ବଢ଼ି ଚାଲିଛି ।