ନୂଆଦିଲ୍ଲୀ ୧୪/୦୫: ସୁନାର ଆମଦାନି ଶୁଳ୍କ ବୃଦ୍ଧି ଦ୍ୱାରା ଘରୋଇ ବଜାରରେ ସୁନା ଦର ବଢ଼ିବ । କାରଣ ଭାରତ ଆମଦାନି ସୁନା ଉପରେ ଅଧିକ ମାତ୍ରାରେ ନିର୍ଭର କରେ । ଉଚ୍ଚ ଲ୍ୟାଣ୍ଡେଡ୍ କଷ୍ଟ ଯୋଗୁ ଗହଣା, ମୁଦ୍ରା ଏବଂ ବାର୍ ପାଇଁ ଲୋକଙ୍କ ପକେଟରୁ ଅଧିକ ଟଙ୍କା ଯିବ । ସ୍ୱଳ୍ପ ଅବଧି ପାଇଁ ମଧ୍ୟମ ବର୍ଗ ଉପଭୋକ୍ତାଙ୍କ କ୍ଷେତ୍ରରେ ଚାହିଦା କମିପାରେ ବୋଲି କୁହନ୍ତି ୱାଲେଟ୍ ୪ୱେଲ୍‌ଥର ଏମ୍‌ଡି ତ୍ରିନାଥ ଲେଙ୍କା ।

ଶ୍ରୀ ଲେଙ୍କା କୁହନ୍ତି, ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ଗହଣା ଶିଳ୍ପ ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଗହଣା ବ୍ୟବସାୟୀ ଉଚ୍ଚ ଇନ୍‌ଭେଣ୍ଟୋରୀ ଖର୍ଚ୍ଚ ଏବଂ ସଂକୁଚିତ ଉପଭୋକ୍ତା ଚାହିଦା ଯୋଗୁ ଚାପର ସାମ୍ନା କରିବେ । କମ୍ ଲାଭରେ କାରବାର କରୁଥିବା କ୍ଷୁଦ୍ର ଗହଣା ବ୍ୟବସାୟୀମାନେ କାର୍ଯ୍ୟକାରୀ ପୁଞ୍ଜି ଏବଂ ନିମ୍ନ ବିକ୍ରି ଯୋଗୁ ଚାପଗ୍ରସ୍ତ ହେବେ । ବଡ଼ ବଡ଼ ସଂଗଠିତ ବ୍ରାଣ୍ଡଗୁଡ଼ିକ ସ୍ଥିତିକୁ ଭଲ ଭାବେ ପରିଚାଳନା କରିପାରନ୍ତି କାରଣ ସେମାନଙ୍କ ଆର୍ଥିକ କ୍ଷମତା ଅଧିକ ଏବଂ ବ୍ୟାପକ ଉତ୍ପାଦକୁ ନେଇ ସେମାନେ ବ୍ୟବସାୟ କରୁଛନ୍ତି ।

ଅନ୍ୟପକ୍ଷରେ, ଉଚ୍ଚ ଆମଦାନି ଶୁଳ୍କ ଦ୍ୱାରା ସୁନାର ଚୋରାଚାଲାଣ ବଢ଼ିବ ଏବଂ ଅବୈଧ ଚ୍ୟାନେଲଗୁଡ଼ିକ ସକ୍ରିୟ ହେବେ । ଫଳରେ ସରକାରଙ୍କ ଟିକସ ସଂଗ୍ରହ କମିବ । ସୁନା ଆମଦାନି ଶୁଳ୍କ ବଢ଼ାଇବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସୁନା ଆମଦାନିକୁ କମାଇବା ଏବଂ ବିଦେଶୀ ମୁଦ୍ରା ସଞ୍ଚୟ କରିବା ଓ ବାଣିଜ୍ୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା । ଯେହେତୁ ସୁନା ଆମଦାନି ଦ୍ୱାରା ଭାରତର ଡଲାର ରିଜର୍ଭ ଏବଂ ଟଙ୍କା ଚାପରେ ରହିଛି, ଆମଦାନି କମିବା ଦ୍ୱାରା ଚଳନ୍ତି ଖାତା ନିଅଣ୍ଟରେ ସୁଧାର ଆସିବ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବଳ ମିଳିବ ବୋଲି କହିଛନ୍ତି ଶ୍ରୀ ଲେଙ୍କା । ଆଗକୁ ଭାରତର ସୁନା ବଜାର ଧୀରେ ଧୀରେ ନିବେଶ-ଭିତ୍ତିକ ଉତ୍ପାଦ ଯେପରି ଗୋଲ୍ଡ ଇଟିଏଫ୍, ଡିଜିଟାଲ ଗୋଲ୍ଡ, ସୋଭରେନ୍ ଗୋଲ୍ଡ ବଣ୍ଡ୍ ଏବଂ ଇଲେକ୍ଟ୍ରୋନିକ୍ ଗୋଲ୍ଡ ରିସିପ୍ଟ(ଇଜିଆର୍) ଆଡ଼କୁ ସ୍ଥାନାନ୍ତର ହେବ । ଗ୍ରାହକ ହାଲୁକା ଗହଣା ଆଡ଼କୁ ଢଳିବେ । ସୁନା ବଦଳ ସ୍କିମ୍ ଏବଂ ପୁନଃପ୍ରକ୍ରିୟାକୃତ ସୁନାର ଚାହିଦା ବଢ଼ିବ । ଆଗାମୀ ବର୍ଷଗୁଡ଼ିକରେ ସଂଗଠିତ ଗହଣା ବ୍ୟବସାୟୀ ଏବଂ ଡିଜିଟାଲ ନିବେଶ ପ୍ଲାଟ୍ଫର୍ମଗୁଡ଼ିକର ବଜାର ଅଂଶ ବଢ଼ିବ ।

ଅଧିକ ପଢ଼ନ୍ତୁ :-  Gold Black Marketing : ସୁନାରେ ଆମଦାନି ଶୁଳ୍କ ବୃଦ୍ଧି ପ୍ରଭାବ, ବିକ୍ରି କମିବ, ବଢ଼ିବ ଅବୈଧ କାରବାର

ଆର୍ଣ୍ଣିକା ସିଇଓ ନିଶିତ ନନ୍ଦ କୁହନ୍ତି, ସୁନା ଉପରେ ଭାରତୀୟଙ୍କ ଭାବନାତ୍ମକ ସଂଯୋଗ ରହିଛି । ତେଣୁ ଉଚ୍ଚ ଦର ଯୋଗୁ ସେମାନେ ଅଧିକ ଓଜନ ଗହଣା କିଣି ନ ପାରନ୍ତି । କିନ୍ତୁ ହାଲୁକା ଏବଂ କମ୍ ଓଜନରେ ସୁନ୍ଦର ଡିଜାଇନ ଗହଣାର ଚାହିଦା ବଢ଼ିପାରେ । ଆମଦାନି ଶୁଳ୍କ ବୃଦ୍ଧି ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣ ଗହଣା ବ୍ୟବସାୟୀ ଚାପଗ୍ରସ୍ତ ହୋଇପାରନ୍ତି । ଅଧିକ ଶୁଳ୍କ ଅର୍ଥାତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ବୃଦ୍ଧି । ଏସ୍ଏମ୍ଇଗୁଡ଼ିକୁ ନିଜ କାରବାରକୁ କଡ଼ାକଡ଼ି କରିବାକୁ ପଡ଼ିବ । ଡିଜାଇନରେ ନୂତନତ୍ୱ ଆଣିବାକୁ ହେବ । ଏହା ହେଲେ ହିଁ ସେମାନେ ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ତିଷ୍ଠିପାରିବେ । ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ଅଧିକ ପ୍ରଭେଦ ରହିଲେ ଅବୈଧ ଚ୍ୟାନେଲଗୁଡ଼ିକ ସକ୍ରିୟ ହୋଇଯାଆନ୍ତି । ଅଧିକ ଶୁଳ୍କ ଯୋଗୁ ସୁନାର ଚୋରା କାରବାର ବଢ଼ିବ । ତେବେ ଉଚ୍ଚ ଆମଦାନି ଶୁଳ୍କ ମାଧ୍ୟମରେ କେନ୍ଦ୍ର ସରକାର ଅଣ-ଜରୁରୀ ଆମଦାନିଗୁଡ଼ିକୁ କମ୍ କରିବା ପାଇଁ ଉଦ୍ୟମ କରିଛନ୍ତି । ବିଶ୍ୱ ଅସ୍ଥିରତା ସମୟରେ ଏହା ମାକ୍ରୋ- ଅର୍ଥନୈତିକ ସ୍ଥିରତାକୁ ବଜାୟ ରଖିବ ବୋଲି କୁହନ୍ତି ଶ୍ରୀ ନନ୍ଦ ।