ରାୟଗଡା, ୧୭।୩ : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ୟାଙ୍ଗ। ଜଣେ ସୁନା ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ ଓଜନର  ସୁନା ଅଳଙ୍କାର ଲୁଟି ନେଲେ  ଲୁଟେରା। ସହରର ସ୍ବାଗତ ଲେନ୍ ର ଏକ ହୋଟେଲ ନିକଟରେ ଏହି ଘଟଣା ଘଟିଛି। ଲୁଟର  ଶିକାର ହୋଇଛନ୍ତି ସୁନାବ୍ୟବସାୟୀ ସନ୍ତୋଷ ମହାପାତ୍ର।

 ବ୍ୟବସାୟୀ ସନ୍ତୋଷ ସ୍କୁଟିରେ ସୁନା ଅଳଙ୍କାର ରଖି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ।  ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ପରିସରକୁ ଆସି ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ୧୧୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଥିଲେ। ହୋଟେଲରୁ ଖାଇ ସାରି ଆସିବା ପରେ ସ୍କୁଟି ଡିକି ଭଙ୍ଗା ଯାଇଥିବା ଦେଖି ଚକିତ ହେବା ସହ ପାଟି କରିଥିଲେ ସନ୍ତୋଷ। ଏନେଇ ବ୍ୟବସାୟୀ ସନ୍ତୋଷ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲ ବାହାରେ ଲାଗିଥିବା ସିସିଟିଭିକୁ ତନତନ କରି ଯାଞ୍ଚ୍ କରିଛି ପୁଲିସ। ସନ୍ତୋଷ ମହାପାତ୍ରଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଠାରେ। ସେ ରାୟଗଡା ସହରରେ ଥିବା ସୁନା ଦୋକାନୀଙ୍କ ଠାରୁ ବକେୟାରେ ସୁନା ଆଣି ଗାଁ ଠାରେ ବିକ୍ରି କରିଥାନ୍ତି। ଆଜି ମଧ୍ୟ ମେନ୍ ରୋଡ଼ ସ୍ଥିତ ଏକ ଦୋକାନରେ କିଣିବା ପରେ ତାହା ନେଇ ଥେରୁବାଲି ଯାଉଥିଲେ। ତେବେ ରାୟଗଡା ସହରରେ ବାରମ୍ବାର ଲୁଟ୍ ଘଟି ଆସୁଥିବା ବେଳେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥକୁ ଅଧିକ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସଡିପିଓ ଗୌରହରି ସାହୁ କହିଛନ୍ତି ଯେ, ଅଭିଯୋଗ ହସ୍ତଗତ ହେବାପରେ ପୁଲିସ ତଦନ୍ତ କରୁଛି। ଦୁଇଟି ଟିମ୍ ତନାଘନା ଚଳାଇଛନ୍ତି।