ନୂଆଦିଲ୍ଲୀ ୨୧/୧୧: ଗତ ମଙ୍ଗଳବାର ଅଷ୍ଟ୍ରିଆର ପ୍ରସିଦ୍ଧ ଚିତ୍ରକର ଗୁସ୍ତାଭ କ୍ଲିମଟଙ୍କ ଚିତ୍ରକଳା ୨୦୮୯ କୋଟିରେ ନିଲାମ ହୋଇଥିଲା, ଯାହା ମଡର୍ନ ଆର୍ଟ ଜଗତରେ ସବୁଠୁ ମହଙ୍ଗା ନିଲାମ । ସେହି ନିଲାମରେ ସୁନାରେ ନିର୍ମିତ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଶୌଚାଳୟ ୧୦୭ କୋଟିରେ ନିଲାମ ହୋଇଛି । ଇଟାଲୀ କଳାକାର ମୌରିଜିଓ କ୍ୟାଟଲନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଶୌଚାଳୟ ଗତ ମଙ୍ଗଳବାର ସନ୍ଧ୍ୟାରେ ନ୍ୟୁୟର୍କର ସୋଥବାଇଜରେ ନିଲାମ ହୋଇଥିଲା । ୧୦୧ କିଲୋ ଓଜନ, ୧୮ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଶୌଚାଳୟର ନିଲାମ ଲାଗି ୧ କୋଟି ଡଲାରରୁ ବୋଲି ଆରମ୍ଭ ହୋଇଥିଲା । ଏହି ବହୁମୂଲ୍ୟ ଶୌଚାଳୟର ନାଁ ‘ଆମେରିକା’ । ଏହା କେବଳ ଏକ ଶୌଚାଳୟ ନୁହେଁ, ବରଂ ସୁନାରେ ପ୍ରସ୍ତୁତ ଏକ ଚମତ୍କାର କଳାକୃତି । ଏହାର ନିର୍ମାଣରେ ୧୦୧ କିଲୋରୁ ଅଧିକ ସୁନା ଲାଗିଛି । ବର୍ତ୍ତମାନର ମୂଲ୍ୟ ହିସାବରେ କେବଳ ସୁନାର ମୂଲ୍ୟ ହାରାହାରି ୧ କୋଟି ଡଲାର ହେବ ।
ନିଲାମ ପୂର୍ବରୁ ‘ଆମେରିକା’ ସୋଥବାଇଜ୍ ନିଲାମଗୃହର ନ୍ୟୁୟର୍କ ମୁଖ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାଁ ଘୋଷଣା କରାଯାଇ ନାହିଁ । ୨୦୧୬ରେ କ୍ୟାଟଲନ ପ୍ରସ୍ତୁତ କରିଥିବା ଦୁଇଟି ଶୌଚାଳୟ ମଧ୍ୟରୁ ଏହା ଅନ୍ୟତମ ଥିଲା । ଅନ୍ୟଟି ୨୦୧୬ରେ ନ୍ୟୁୟର୍କର ଗୁଗେନହିମ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଥିଲା, ଯାହାକୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଧାର ଦେବାକୁ ଅଫର୍ କରାଯାଇଥିଲା । ଏହା ପରେ ଇଂଲଣ୍ଡର ବ୍ଲେନହିମ୍ ପ୍ୟାଲେସରେ ପ୍ରଦର୍ଶନ ସମୟରେ ଶୌଚାଳୟଟି ଚୋରି ହୋଇଥିଲା । ଏ ମାମଲାରେ ଦୁଇଜଣ ଦୋଷୀ ପ୍ରମାଣିତ ହୋଇଥିଲେ । କିନ୍ତୁ ସେମାନେ ଏହାକୁ କ’ଣ କଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ସୁନା ଶୌଚାଳୟକୁ ତରଳାଇ ଦେଇଥିବେ ବୋଲି ଯାଞ୍ଚକର୍ତ୍ତାଙ୍କ ଅନୁମାନ ।