ନୂଆଦିଲ୍ଲୀ- ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କର ଗତ ବୁଧବାର ରାତିରେ ୮୬ବର୍ଷ ବୟସରେ ହୋଇଛି ମୃତ୍ୟୁ। ତାଙ୍କର ଅନ୍ତିମ ସଂସ୍କାର ମୁମ୍ୱାଇରେ କରାଯିବ। ତାଙ୍କର ଅନ୍ତିମ ଯାତ୍ରା ବେଳେ ଏକ ବିଶେଷ ଦୃଶ୍ୟ ଦେଖିବାକୁ ମିଳିଛି , ଯେଉଁଠି ତାଙ୍କର ନିକଟମ ସହଯୋଗୀ ତଥା ଟାଟା ଟ୍ରଷ୍ଟର ଡେପୁଟୀ ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁ ,ରତନ ଟାଟାଙ୍କ ପାର୍ଥିବ ଶରୀରକୁ ନେଇ ଯାଉଥିବା ଗାଡ଼ିର ଆଗରେ ନିଜର ମୋଟର ସାଇକେଲରେ ଯାଉଥିଲେ। ଶାନ୍ତନୁ ନାଇଡୁ ରତନ ଟାଟାଙ୍କ ସହ ସର୍ବଦା ଛାଇ ଭଳି ରହୁଥିଲେ। ଏହି ଦୃଶ୍ୟ ମୁମ୍ୱାଇ ରାସ୍ତାରେ ଯାଉଥିବା ଲୋକେ ଦେଖି ଥିଲେ ଏବଂ କ୍ୟାମେରାରେ କଏଦ କରି ଥିଲେ।
ସକାଳେ ଶାନ୍ତନୁ ନାଇଡୁଙ୍କୁ ଟାଟାଙ୍କ ଘରୁ ମୋଟରସାଇକେଲରେ ବାହାରିବାର ଦେଖିବାକୁ ମିଳିଛି, ସେ ରତନ ଟାଟାଙ୍କ ପାର୍ଥିବ ଶରୀରକୁ ନେଇଯାଉ ଥିବା ଟ୍ରକ୍ର ଆଗେ ଆଗେ ଯାଉ ଥିବାର ନଜର ଆସିଥିଲେ। ଏହି ସମୟରେ ତାଙ୍କର ଚେହେରାରେ ଖୁବ୍ ଉଦାସ ନଜର ଆସୁଥିଲା। ରତନ ଟାଟାଙ୍କ ନିଧନରେ ନାଇଡୁ ଗଭୀର ଶୋକବ୍ୟସ୍ତ କରିଥିଲେ ଏବଂ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ଉଭୟ ଏକ ଚାର୍ଟର୍ଡ ବିମାନରେ ବସିଥିବା ଦେଖାଯାଉ ଥିଲା। ସେ ଫଟୋ ସହ ଲେଖିଛନ୍ତି- ଭଲ ପାଇବାର ମୂଲ୍ୟ ଦେବାର ମାଧ୍ୟମ ଦୁଃଖ। ଅଲବିଦା , ମୋ ଜୀବନର ଆଲୋକ ବର୍ତ୍ତିକା।
ଶାନ୍ତନୁ ନାଇଡୁ ଓ ରତନ ଟାଟାଙ୍କ ମଧ୍ୟରେ ଖୁବ୍ ଗଭୀର ସଂପର୍କ, କୁକୁରଙ୍କ ପ୍ରତି ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବାରୁ ଗଢି ଉଠି ଥିଲା। ନାଇଡୁ ଥରେ ଏକ ବୁଲା କୁକୁରର ମୃତ୍ୟୁରେ ଦୁଃଖିତ ହୋଇ ରିଫ୍ଲେକ୍ଟିଭ୍ କଲର୍ ନାମକ ଉପକରଣ ଗଢି ଥିଲେ, ଯେଉଁଥିରେ ଗାଡ଼ି ଚାଳକ କୁକୁରମାନଙ୍କୁ ଦେଖି ପାରିବେ । ନାଇଡୁ ଏହି ବିଷୟରେ ରତନ ଟାଟାଙ୍କୁ ଚିଠି ଲେଖିଥିଲେ , ଯାହାକୁ କି ଟାଟା କେବଳ ସ୍ୱୀକୃତି ଦେଇ ନଥିଲେ, ବରଂ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ। ନାଇଡୁଙ୍କୁ ଏହି ଉଦ୍ୟମ ପାଇଁ ଟାଟାଙ୍କ ଠାରୁ ଏକ ନିବେଶ ଓ ସ୍ଥାୟୀ ବଣ୍ଡ ମିଳିଲା।
ଏହାପରେ ଶାନ୍ତନୁ ନାଇଡୁ ନିଜର ମାଷ୍ଟର ଡିଗ୍ରୀ ପାଇଁ ଆମେରିକା ଚାଲି ଗଲେ ଏବଂ ପୁଣି ଫେରିବା ପରେ ତାଙ୍କୁ ରତନ ଟାଟାଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରେ କାମ କରିବାକୁ ସୁଯୋଗ ମିଳିଲା। ନାଇଡୁ କେବଳ ରତନ ଟାଟାଙ୍କ ଅନେକ ମାମଲାକୁ ପରିଚଳାନା କରୁ ନଥିଲେ , ଏହାସହ ତାଙ୍କର ସାମାଜିକ କାର୍ଯ୍ୟ ଗୁଡ଼ିକରେ ମଧ୍ୟ ତାଙ୍କ ସାଥିରେ ରହୁ ଥିଲେ।
ଉଲ୍ଲେଖନୀୟ ଯେ, ରତନ ଟାଟା ମଧ୍ୟ ସର୍ବଦା ନାଇଡୁଙ୍କ ପ୍ରୟାସର ସମର୍ଥନ କରିଛନ୍ତି। ଏଥିରୁ ଗୋଟିଏ ୨୦୨୨ରେ ଆରମ୍ଭ କରାଯାଇ ଥିବା ଗୁଡଫେଲୋ ଷ୍ଟାର୍ଟଅପ୍, ଯାହା ବୟସ୍କଙ୍କ ପାଇଁ ସାହାଯ୍ୟ ସହଯୋଗ ସେବା ପ୍ରଦାନ କରିଥାଏ। ରତନ ଟାଟା ନିଜର ସ୍ୱାସ୍ଥ୍ୟ ଖରାପ ହେବା ସତ୍ତ୍ୱେ ଏହି ଷ୍ଟାର୍ଟଅପ୍ର ଲଞ୍ଚ ଇଭେଣ୍ଟରେ ସାମିଲ ହୋଇଥିଲେ ଏବଂ ଏଥିରେ ନିବେଶ ମଧ୍ୟ କରିଥିଲେ।