ବ୍ରହ୍ମପୁର ୨୪/୦୬: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା । ୬ ଅଭିଯୁକ୍ତଙ୍କୁ ରିମାଣ୍ଡ ନେବ କ୍ରାଇମ୍‌ବ୍ରାଞ୍ଚ । ଦିନିକିଆ ରିମାଣ୍ଡ ନେବାକୁ ବ୍ରହ୍ମପୁର SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଜି (ମଙ୍ଗଳବାର) ଅଭିଯୁକ୍ତ କୁନାଲ ପ୍ରଧାନ, ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ଓମ୍ ପ୍ରଧାନ, ଦୀପକ ତରାଇ ଓ ପ୍ରମୋଦ ନାୟକଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଅଧିକ ତଥ୍ୟ ଓଗାଳିବ କ୍ରାଇମ୍‌ବ୍ରଞ୍ଚ ଟିମ୍ । ପରେ କ୍ରାଇମ୍ ସ୍ପଟ୍‌କୁ ନେଇ ସିନ୍ ରିକ୍ରିଏସନ୍ କରିପାରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟା (୧୫ ତାରିଖ)ରେ ପୁରୁଷବନ୍ଧୁଙ୍କ ସହ ଜଣେ ଯୁବତୀ ଗୋପାଳପୁର ବେଳାଭୂମି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ରାତି ୮ଟାରେ ପାନ୍ଥ ନିବାସ ପଛରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ରାତି ୧୧ଟାରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୁଲିସ ସେହି ରାତିରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୬ ଜଣ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍‌ରେ ଥିବାବେଳେ ୪ ଜଣ ନାବାଳକ ବାଳସୁଧାର ଗୃହରେ ଅଛନ୍ତି । 

ଶୁକ୍ରାବର କେବଳ ବ୍ରହ୍ମପୁର ଜେଲ୍‌ରେ ଥିବା ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ରେ ଚିହ୍ନଟ କରିଥିଲେ ପୀଡ଼ିତା । ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ନାବାଳକଙ୍କ ମାମଲା ରହିଛି । ଜଘନ୍ୟ ଅପରାଧ ହୋଇଥିବାରୁ ଏହା ଚିଲ୍‌ଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚ୍‌ର ୯ ଜଣିଆ ଟିମ୍‌ ଭୁବନେଶ୍ୱରରୁ ବ୍ରହ୍ମପୁରରେ ରହି କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କରିବାରେ ଲାଗିଛନ୍ତି । ସେପଟେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ ହୋଇସାରିଛି । ଗୋପାଳପୁରର ଜଣେ ରେଷ୍ଟୁରାଣ୍ଟ୍‌ ମାଲିକଙ୍କ ବୟାନ ବି ରେକର୍ଡ ହୋଇଛି । ସୋମବାର ଅଭିଯୁକ୍ତଙ୍କ ଡିଏନଏ ସହ ୭୦ ନମୁନାକୁ ଷ୍ଟେଟ୍‌ ଫରେନସିକ୍‌ ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଯାଇଛି । ସମସ୍ତ ରିପୋର୍ଟ ଆସିବା ପରେ ମାସକ ଭିତରେ କ୍ରାଇମ୍‌ବ୍ରାଞ୍ଚ୍‌ ଚାର୍ଜସିଟ୍‌ ଦାଖଲ କରିବ ବୋଲି ସୂଚନା ମିଳିଛି ।