ବ୍ରହ୍ମପୁର,୨୩/୦୬:  ଗୋପାଳପୁର ବେଳାଭୂମିରେ ଗତ ୧୫  ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍‌ କରି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି । ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ  ଏବଂ କେତେବେଳେ ସେମାନେ ସେଠାରେ ପହଞ୍ଚିଥିଲେ ସବୁ ବିଷୟ ପଚରାଉଚରା କରିଛି । ଏହି ମାମଲାରେ  ୪ ଜଣ ନାବାଳକଙ୍କ ସହ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନେ କେତେବେଳେ ବେଳାଭୂମିରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ  କେଉଁମାନେ ଦେଖିଥିଲେ ତାହା ମଧ୍ୟ ଯାଞ୍ଚ ଚାଲିଛି । ଅଭିଯୁକ୍ତମାନେ ମଦ୍ୟପାନ  କରିଥିଲେ । ଏଣୁ ସ୍ଥାନୀୟ ମଦ ଦୋକାନ  ଓ ବେଳାଭୂମିରେ ଲାଗିଥିବା କିଛି ସିସିଟିଭି  ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି ।  ଅଭିଯୁକ୍ତମାନେ ଘଟଣା ପରେ କିଭଳି ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ  ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ । ଅଭିଯୁକ୍ତମାନଙ୍କ‌ୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ସିନ୍‌ ରିକ୍ରିଏସନ୍ କରିପାରେ ବୋଲି ସୂଚନା ମିଳିଛି। 

ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ବୟାନ ପୂର୍ବରୁ ରେକର୍ଡ ହୋଇଥିବା ବେଳେ  ଅନ୍ୟ ସାକ୍ଷୀମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌  ପଚରାଉଚରା କରୁଛି । କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍‌.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ  ଜାରି ରଖିଛି । ରାଜ୍ୟ ସରକାର ମାମଲାର  ତଦନ୍ତ ଶୀଘ୍ର ସାରି ଦୋଷୀଙ୍କୁ ଦଣ୍ଡ ଦେବା  ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ  ଆଉ ଗୋଟିଏ ମାମଲା ରୁଜୁ କରି ତଦନ୍ତ  ଚଳାଇଛି । ପୀଡ଼ିତା ଏବଂ ଅଭିଯୁକ୍ତଙ୍କ  ଡାକ୍ତରୀମାଇନା ସରିଛି । ବିଏନ୍‌ଏସ୍‌ଏସ୍‌  ୧୮୩ ଅନୁସାରେ ସମସ୍ତଙ୍କ ବୟାନ  ରେକର୍ଡ ହୋଇସାରିଛି । ଅଭିଯୁକ୍ତ ଏବଂ  ଘଟଣାସ୍ଥଳରୁ ମିଳିଥିବା ୭୦ରୁ ଊର୍ଦ୍ଧ୍ବ ନମୁନା କୋର୍ଟରେ ଦାଖଲ ହେବା ପରେ  ଷ୍ଟେଟ୍‌ ଫରେନ୍ସିକ୍‌ ସାଇନ୍ସ ଲ୍ୟାବ୍‌କୁ  ପଠାସରିଛି । ଏବେ ରିପୋର୍ଟକୁ ଅପେକ୍ଷା ।  ଶୀଘ୍ର ମାମଲାରେ ତଦନ୍ତ ଅଧିକାରୀ  ତଥା କ୍ରାଇମ୍‌ବ୍ରାଞ୍ଚ୍‌ ଚାର୍ଜସିଟ୍‌ ଦାଖଲ  କରିବ ବୋଲି ଜଣାପଡ଼ିଛି । ଏହି ଘଟଣା  ଦେଶରେ ଚର୍ଚ୍ଚିତ ହୋଇଥିବା ବେଳେ  ବିରୋଧୀ ସରକାରଙ୍କୁ ଘେରିଛନ୍ତି ।