ବ୍ରହ୍ମପୁର,୦୭/୦୯: ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତ ଓମ୍‌ ପ୍ରଧାନଙ୍କୁ ମାମଲାରୁ ବାଦ୍‌ ଦେବାକୁ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌କୁ ଶନିବାର ଖାରଜ କରିଛନ୍ତି କୋର୍ଟ । ଏଡିଜେ-୨ କୋର୍ଟରେ ଏହାର ଶୁଣାଣି ପୂର୍ବରୁ ହୋଇଥିବାବେଳେ ଶନିବାର ରାୟରେ ଖାରଜ କରାଯାଇଥିବା କୋର୍ଟ ଦର୍ଶାଇଥିଲେ । ପୂର୍ବରୁ ଓମ୍‌ଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଥିଲେ କୋର୍ଟ । ଶନିବାର ଚାର୍ଜଫ୍ରେମ୍‌ ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ଚାର୍ଜଫ୍ରେମ୍‌ ହୋଇପାରି ନାହିଁ । ଆସନ୍ତା ୮ ତାରିଖ (ସୋମବାର) ଚାର୍ଜଫ୍ରେମ୍‌ କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ସରକାରୀ ଓକିଲ ଇସ୍‌ମାଇଲ୍‌ ମହମ୍ମଦ କହିଛନ୍ତି ।

କ୍ରାଇମ୍‌ବ୍ରାଞ୍ଚ୍‌ ଏହି ମାମଲାର ଚାର୍ଜସିଟ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ଦାଖଲ କରିଥିଲେ । ଚାର୍ଜସିଟ୍‌ ପରେ ଜେଏମ୍‌ଏଫ୍‌ସି ଓମ୍‌କୁ ଅଭିଯୁକ୍ତ ଭାବେ ଗ୍ରହଣ କରି ଜିଲ୍ଲା କୋର୍ଟକୁ କେସ୍‌ ଫାଇଲ୍‌ ସ୍ଥାନାନ୍ତର କରିଥିଲେ । ଜିଲ୍ଲା କୋର୍ଟ ଏହି ମାମଲାର ବିଚାରଣା ପାଇଁ ଏଡିଜେ-୨କୁ ପଠାଇଥିଲେ । ଏହି ମାମଲା ଏଡିଜେ-୨ରେ ଥିବାବେଳେ ପ୍ରଥମେ ଓମ୍‌ଙ୍କ ପାଇଁ ଜାମିନ୍‌ ଆବେଦନ ହୋଇଥିଲା । ଜାମିନ୍‌ ଆବେଦନକୁ କୋର୍ଟ ଖାରଜ୍‌ କରିବା ପରେ ଓମ୍‌ଙ୍କ ଓକିଲ ତାଙ୍କୁ ଏହି ମାମଲାରୁ ବାଦ୍‌ ଦେବାକୁ ଡିସ୍‌ଚାର୍ଜ ପିଟିସନ୍‌ କରିଥିଲେ । ଏହାର ବି ଶୁଣାଣି କରି ଖାରଜ କରିଛନ୍ତି । ୬ ଜଣ ଅଭିଯୁକ୍ତଙ୍କ ମାମଲା ଏବଂ ଅନ୍ୟ ୩ ଜଣ (୧୭-୧୮ ବର୍ଷ ବୟସ)ଙ୍କ କେସ୍‌ ଜୁନିୟର କୋର୍ଟ ତଥା ଏଡିଜେ-୨ରେ ବିଚାରଣା ପାଇଁ ରହିଛି ।

ଅନ୍ୟପକ୍ଷରେ ୧୬ ବର୍ଷର କମ୍‌ ବୟସର ଜଣେ ନାବାଳକ ଥିବାବେଳେ ତାଙ୍କ ମାମଲାର ବିଚାରଣା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ (ଜେଜେବି)ରେ ହେବ । ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । ସେମାନେ ପାନ୍ଥ ନିବାସ ପଛରେ ବସିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଗୋପାଳପୁର ଥାନା ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଏହି କେସ୍‌ର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ୍‌ ନେଇଥିଲା ।