ଉତ୍ତରପ୍ରଦେଶ, ୨୩।୩: ୨୫ ବାହାଘର, ନୀଳବତୀ ଗାଡ଼ି ଓ ନକଲି ଆଇଏଏସ୍ । ଜଣେ ମହାଠକର ‘୨୬ ନମ୍ବର’ କାଣ୍ଡ ! ଯାହା ପରେ ପୁଲିସ ପଞ୍ଝାରେ ଧରାପଡ଼ିଲେ । କାହାଣୀଟି କୌଣସି ବଲିଉଡ୍ ସିନେମାର ସ୍ପାଇ-ଥ୍ରୀଲର୍ଠାରୁ କମ୍ ନୁହେଁ । ନୀଳବତୀ ଗାଡ଼ି ସହ ବଡ଼ ଅଫିସରଙ୍କ ଭଳି ଚାଲିଚଳନ, ଆଉ ସାଙ୍ଗରେ 'ଭାରତ ସରକାର' ଲେଖାଥିବା କାର୍ । ନିଜକୁ ଜଣେ ଦବଙ୍ଗ ଆଇଏଏସ ଅଫିସରର ପରିଚୟ ଦେଇ ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୨୫ ଜଣ ଝିଅଙ୍କ ଜୀବନ ସହ ଖେଳିଛି ଏହି ମହାଠକ । ଏବେ ୨୬ ନମ୍ବର ବାହାଘର ବେଳେ ଧରାପଡ଼ିଛି ୟୁପି ଇଟାୱାର ‘ନକଲି ଆଇଏଏସ’ ପ୍ରୀତମ ନିଷାଦ । ପୂରା ଘଟଣାଟି କ’ଣ ଆସନ୍ତୁ ଜାଣିବା । ଗୋରଖପୁରର ଜଣେ ପକ୍ଷାଘାତ ପୀଡ଼ିତ ବୃଦ୍ଧ, ଯିଏ ନିଜ ଝିଅ ପାଇଁ ବର ଖୋଜୁଥିଲେ । ଦିଲ୍ଲୀରେ ରହୁଥିବା ତାଙ୍କ ବଡ଼ ଝିଅ ସୋସିଆଲ ମିଡିଆରେ ଏକ ପ୍ରୋଫାଇଲ୍ ଦେଖିଲେ । ନାଁ ପ୍ରୀତମ ନିଷାଦ, ପଦବୀ- ମାଣିକପୁରର ଏସଡିଏମ୍ । ବାସ୍, ପରିବାର ଲୋକେ ଖୁସି ହୋଇଗଲେ ଯେ ଝିଅକୁ ଜଣେ ଆଇଏଏସ୍ ଅଫିସର ବର ମିଳିଗଲା । କିନ୍ତୁ, ସେମାନେ ଜାଣି ନଥିଲେ ଯେ ସେମାନେ ଦେଖୁଥିବା ସେହି ବ୍ୟକ୍ତି ଜଣକ ଜଣେ ବୃତ୍ତିଗତ ଠକ ।
ଏହା ବି ପଢ଼ନ୍ତୁ... ଶିକ୍ଷକ ପ୍ରେମିକ ପାଇଁ ଚାଷୀ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ଭିଡିଓ ଓ ଫଟୋର ମାୟାଜାଲରେ ଝିଅଙ୍କୁ ଫସାଉଥିଲା ଏହି ମହାଠକ । ନିଜକୁ ପ୍ରମାଣିତ କରିବା ପାଇଁ ପ୍ରୀତମ ନିଜର କିଛି ପୁରୁଣା ଫେକ୍ ଇଣ୍ଟରଭ୍ୟୁ ଭିଡିଓ ଏବଂ ନେତାମାନଙ୍କ ସହ ଥିବା ଫଟୋ ଝିଅ ଘରକୁ ପଠାଇଥିଲା । ବାହାଘରର ୪ ଦିନ ପୂର୍ବରୁ ସେ 'ଭାରତ ସରକାର' ଲେଖାଥିବା ଗାଡ଼ି ଓ ଜଣେ ଆସିଷ୍ଟାଣ୍ଟଙ୍କୁ ଧରି ଗୋରଖପୁର ପହଞ୍ଚିଥିଲା । କହିଥିଲା- "ମନ୍ତ୍ରୀ ଓ ବଡ଼ ପୋଲିସ ଅଧିକାରୀଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ।" ବାହାଘର ଖର୍ଚ୍ଚ ନାଁରେ ପ୍ରୀତମ ଝିଅ ଘରୁ ପ୍ରାୟ ୧୫ ଲକ୍ଷ ନଗଦ ଟଙ୍କା ହଡ଼ପ କରିଥିଲା । ମୋଟ୍ ଉପରେ ପରିବାରର ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । କିନ୍ତୁ, ମାତ୍ର ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ସବୁକିଛି । ଗତ ୧୧ ମାର୍ଚ୍ଚ ୨୦୨୬ରେ ବଡ଼ ଧୁମଧାମରେ ବାହାଘର ସରିଲା । କିନ୍ତୁ କିଛି ଦିନ ପରେ ଝିଅ ଘରକୁ ଏକ ଅଜଣା ନମ୍ବରରୁ କଲ୍ ଆସିଲା । ପ୍ରୀତମଙ୍କ ଗାଁର ଜଣେ ବ୍ୟକ୍ତି କହିଲେ, "ସାବଧାନ ! ସେ କୌଣସି ଆଇଏଏସ୍ ନୁହେଁ, ସେ ଜଣେ ବଡ଼ ଠକ । ସେ ପୂର୍ବରୁ ୨୫ଟି ବାହାଘର କରିସାରିଛି ।" ଏହା ଶୁଣି ଝିଅ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା ।
ଯେତେବେଳେ ସେମାନେ ଇଟାୱାସ୍ଥିତ ପ୍ରୀତମର ଗାଁରେ ପହଞ୍ଚିଲେ, ଦେଖିଲେ ଯେଉଁ ଲୋକ ନିଜକୁ SDM କହୁଥିଲା, ତା’ ଘରେ ଗୋଟିଏ ପାଇଖାନା ପର୍ଯ୍ୟନ୍ତ ନାହିଁ ! ସେ ଏକ ସାଧାରଣ ଝୁମ୍ପୁଡ଼ି ଘରେ ରହୁଥିଲା । ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ପ୍ରୀତମ ନିଷାଦ ଫେରାର୍ ହୋଇଯାଇଛି । ଗୋରଖପୁର କେଣ୍ଟ୍ ପୁଲିସ ଏହି ମାମଲାରେ ପ୍ରୀତମ, ତା’ର ଭଉଣୀ, ଭିଣୋଇ ଓ ପରିବାର ବିରୋଧରେ ମାମଲା ରୁଜୁ କରିଛି । ପୁଲିସର ଏକ ଟିମ୍ ଏବେ ଇଟାୱା ଅଭିମୁଖେ ବାହାରିଛି ଏହି 'ଲଭର ବୟ' ତଥା ମହାଠକକୁ ଗିରଫ କରିବା ପାଇଁ । ତେଣୁ ସୋସିଆଲ ମିଡିଆ ବା ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ କାହାକୁ ଦେଖି ବିଶ୍ୱାସ କରିବା ପୂର୍ବରୁ ଭଲ ଭାବେ ତଦନ୍ତ କରନ୍ତୁ, ନଚେତ୍ ଏଭଳି ଠକ ହାବୁଡ଼ରେ କାଲି ଆପଣ ହୁଅନ୍ତୁ କିମ୍ୱା ଆପଣଙ୍କ କୌଣସି ସମ୍ପର୍କୀୟ ବି ଏମିତି କୌଣସି ଜାଲିଆତିର ଶିକାର ହୋଇପାରନ୍ତି ।