ନୂଆଦିଲ୍ଲୀ ୨୧/୧୦: ପବିତ୍ର ଦୀପାବଳି ଅମାବାସ୍ୟାର ପରଦିନ  ଅର୍ଥାତ୍‌ କାର୍ତ୍ତିକ ଶୁକ୍ଳ ପ୍ରତିପଦାରେ ହୁଏ  ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା । ଏହି ଦିନ  ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବା ବିଶେଷ  ଶୁଭଦାୟୀ ବୋଲି ବିଚାର କରାଯାଏ । ଗୋବର୍ଦ୍ଧନ ଗିରିର ପ୍ରତିଟି ପଥରରେ ଭଗବାନ୍‌ କୃଷ୍ଣ ନିବାସ କରନ୍ତି । ଗୋବର୍ଦ୍ଧନ ପୂଜା ଦିନ  ଏହାର ପରିକ୍ରମା କଲେ କୃଷ୍ଣ କୃପା ସହିତ  ରାଧାରାଣୀଙ୍କର କୃପା ନିଶ୍ଚିତ ପ୍ରାପ୍ତ ହୁଏ  ବୋଲି ଶ୍ରଦ୍ଧାଳୁମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି ।  

ପବିତ୍ର ଗୋବର୍ଦ୍ଧନ ପର୍ବତ ଉତ୍ତରପ୍ରଦେଶର ମଥୁରା ନିକଟରେ ଅବସ୍ଥିତ । ଗୋବର୍ଦ୍ଧନର  ଶୀର୍ଷ ଦେଶ ସର୍ବାଧିକ ୨୫ ମିଟର ଉଚ୍ଚ  ହୋଇଥିବାବେଳେ ଏହାର ଘେର ପ୍ରାୟତଃ ୨୧  କିଲୋମିଟର । ଅର୍ଥାତ୍‌ ଗୋବର୍ଦ୍ଧନ ପରିକ୍ରମା  କରିବାକୁ ହେଲେ ୨୧ କିଲୋମିଟର ପଦଯାତ୍ରା  କରିବାକୁ ହୁଏ । ଶ୍ରୀମଦ ଭାଗବତରେ ଉଲ୍ଲେଖ  ରହିଛ ଯେ, କୃଷ୍ଣ ବାଲ୍ୟଲୀଳା ସମୟରେ  ରାଧାରାଣୀ ଏବଂ ଗୋପାଳଗୋପାଳୁଣୀଙ୍କ  ସହ ଗୋବର୍ଦ୍ଧନ କୋଳରେ ଖେଳିକୁଦି ଦିନ  କାଟିଥିଲେ । ଏକଦା କୃଷ୍ଣ ବ୍ରଜବାସୀଙ୍କୁ  ଗୋବର୍ଦ୍ଧନ ପୂଜା କରିବାକୁ ପରାମର୍ଶ  ଦେଇଥିଲେ । ବ୍ରଜବାସୀ ଗୋବର୍ଦ୍ଧନ ଚାରିପଟେ  ପାଦରେ ଚାଲି ଚାଲି ପରିକ୍ରମା କରି ଗୋବର୍ଦ୍ଧନ  ପୂଜା ଭାବେ କୃଷ୍ଣଙ୍କ ସନ୍ତୋଷବର୍ଦ୍ଧନ କରିଥିଲେ । ଇନ୍ଦ୍ରଙ୍କ କୋପଜନିତ ବର୍ଷା ବିତ୍ପାତରୁ  ବ୍ରଜବାସୀଙ୍କୁ ରକ୍ଷା କରିବା ଲାଗି କୃଷ୍ଣ ଏକ  ଅଙ୍ଗୁଳିରେ ଗୋବର୍ଦ୍ଧନଙ୍କୁ ୭ ଦିନ ବ୍ୟାପି ଟେକି  ଧରିଥିଲେ । ଏହାତଳେ ସମସ୍ତ ବ୍ରଜବାସୀ  ଆଶ୍ରୟ ନେବାରୁ ରକ୍ଷା ପାଇପାରିଥିଲେ ।

କୁହାଯାଏ, ଦ୍ୱାପର ଯୁଗରୁ ବ୍ରଜଭୂମି, ଯମୁନା  ଏବଂ ଗୋବର୍ଦ୍ଧନ ଆଜି ଯାଏ ରହିଛନ୍ତି ।  ଶାସ୍ତ୍ର କହେ ଗୋଲକରେ ଚୀର ଲୀଳାରତ  ରାଧାରାଣୀଙ୍କ ଇଚ୍ଛା କ୍ରମେ କୃଷ୍ଣ ନିଜ ହୃଦୟରୁ  ଗୋବର୍ଦ୍ଧନଙ୍କୁ ସୃଷ୍ଟି କରି ମର୍ତ୍ତ୍ୟରେ ସ୍ଥାପନ  କରିଥିଲେ । ଯାହା ତାଙ୍କର ଲୀଳା ଭୂମିର  ଅଂଶବିଶେଷ ହୋଇଥିଲା । ଗୋବର୍ଦ୍ଧନ ପର୍ବତ  ଗିରିରାଜ ନାମରେ ମଧ୍ୟ ପୂଜିତ। ଚୈତନ୍ୟ  ମହାପ୍ରଭୁ ଏବଂ ତାଙ୍କର ପରମଶିଷ୍ୟମାନେ  ଗୋବର୍ଦ୍ଧନ ପରିକ୍ରମା କରିଥିଲେ । ଚୈତନ୍ୟ  ମହାପ୍ରଭୁ ଯେଉଁ ବାଟ ଦେଇ ଗୋବର୍ଦ୍ଧନ  ଚାରିପଟେ ବୁଲିଥିଲେ ସେହି ପଥକୁ ଶ୍ରେଷ୍ଠ  ଯାତ୍ରାପଥ ଭାବେ ବିଚାର କରାଯାଏ । ଗୋବର୍ଦ୍ଧନ  ପରିକ୍ରମା ପଥରେ ପଡ଼େ ଜଟିପୁରା, ମୁଖାରବିନ୍ଦ  ମନ୍ଦିର, ରାଧାକୁଣ୍ଡ, କୁସୁମ ସରୋବର, ମାନସୀ  ଗଙ୍ଗା, ଗୋବିନ୍ଦ କୁଣ୍ଡ, ପଞ୍ଚରୀ ଇତ୍ୟାଦି ।   ମାନସୀ ଗଙ୍ଗାରେ ସ୍ନାନ ପରେ ଶ୍ରୀଗିରିରାଜଙ୍କୁ  ପୂଜାର୍ଚ୍ଚନା କରି ଭକ୍ତଶ୍ରଦ୍ଧାଳୁମାନେ ଗୋବର୍ଦ୍ଧନ  ପରିକ୍ରମାରେ ବାହାରିଥାନ୍ତି । ଯେଉଁଠୁ ଯାତ୍ରା ଆରମ୍ଭ କରାଯାଏ ସେହିଠାରେ ହିଁ ଶେଷ  ସହିତ ପରିକ୍ରମା ପୂର୍ଣ୍ଣ ହୁଏ । ପରିକ୍ରମା  ଅଧାରେ ଛାଡ଼ିବା ଅନୁଚିତ । ବିଶେଷ ପରିସ୍ଥିତିରେ ଛାଡ଼ିବାକୁ ହେଲେ ଗିରିରାଜଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଛାଡ଼ିବା ଉଚିତ ।  

ପରିକ୍ରମା କରିବା ସମୟରେ ଗୋବର୍ଦ୍ଧନ ଯେପରି ଦକ୍ଷିଣ ପଟରେ ରହିବେ ସେଥିପ୍ରତି  ଧ୍ୟାନ ଦେବାକୁ ହୁଏ । ପ୍ରତି ମାସର ଶୁକ୍ଳ ଏକାଦଶୀ ତଥା ପୂର୍ଣ୍ଣିମାରେ ଗୋବର୍ଦ୍ଧନ ପରିକ୍ରମା କରିବା ଅଧିକ ଫଳପ୍ରଦ ବୋଲି ବିଚାର କରାଯାଏ । ଏହି ଦିନଗୁଡ଼ିକରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋବର୍ଦ୍ଧନ ପରିକ୍ରମା ଯାତ୍ରା କରୁଥିବାର ଦେଖିବାକୁ ମିଳେ ।  ଗୋବର୍ଦ୍ଧନ ଗିରି ପରିକ୍ରମା କଲେ ଭକ୍ତଙ୍କର ସମସ୍ତ ପାପ ଖଣ୍ଡନ ସହିତ ମୋକ୍ଷ ପ୍ରାପ୍ତି  ହୋଇଥାଏ । ଏହି ପୁଣ୍ୟମୟ ଯାତ୍ରାରେ  ବାହାରିବା ସମୟରେ କେବଳ ଶରୀର ନୁହେଁ  ମନ ମଧ୍ୟ ଶୁଦ୍ଧ, ପୂତ ରଖିବା ଉଚିତ । କାରଣ  ଗୋବର୍ଦ୍ଧନ ପରିକ୍ରମା ହେଉଛି ଆଧ୍ୟାତ୍ମିକ ଯାତ୍ରା ।