ଭୁବନେଶ୍ବର, ୨୯/୧୧ : ରାଜ୍ୟ ସରକାର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ହେବ ବୋଲି ଘୋଷଣା କରିଛନ୍ତି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭଦ୍ରକ, ଯାଜପୁର, ଜଗତସିଂହପୁର ଓ ଢେଙ୍କାନାଳରେ ସରକାରୀ ମେଡ଼ିକାଲ କଲେଜ ହେବ ବୋଲି ଘୋଷଣା କରିଛନ୍ତି । ଆମ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ସରକାରୀ ମେଡ଼ିକାଲ କଲେଜ ହେଉଥିବାବେଳେ କେନ୍ଦ୍ରାପଡ଼ାକୁ ବାଦ ଦିଆଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ମହାକାଳପଡ଼ା ଗସ୍ତବେଳେ କେନ୍ଦ୍ରାପଡ଼ାରେ ସରକାରୀ ମେଡ଼ିକାଲ କଲେଜ ହେବ ବୋଲି କହିଥିଲେ । ହେଲେ ଏବେ ପାଶୋରି ଦେଲେ । କେନ୍ଦ୍ରାପଡ଼ା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି । ଶୀଘ୍ର କେନ୍ଦ୍ରାପଡ଼ାରେ ସରକାରୀ ମେଡ଼ିକାଲ କଲେଜ ଘୋଷଣା କରାଯାଉ ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଗୃହରେ ନିବେଦନ କରିଛନ୍ତି ।
ଅନୁରୂପ ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା ନୟାଗଡ଼ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ହେଉ ବୋଲି ନିବେଦନ କରିଥିଲେ । ଏହା ସହ ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜମି ସମସ୍ୟା ଦୂର କରିବାକୁ ଅନୁରୋଧ କରିଥିଲେ । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଗାଁରେ ବାସନ୍ଦ ଓ ଏକଘରିଆ ଭଳି ଘୃଣ୍ୟ ପ୍ରଥା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜେଡି ବିଧାୟକ ଧ୍ରୁବ ସାହୁ କଟକ -ଚାନ୍ଦବାଲି ରାସ୍ତାକୁ ସ୍ୱତନ୍ତ୍ର ଟୁରିଜିମ୍ କରିଡର କରିବାକୁ ନିବେଦନ କରିଥିଲେ ।