ନୂଆଦିଲ୍ଲୀ,୪।୭: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଡିଜିଟାଲ୍ ପାଇରେସି ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି ମିନିଷ୍ଟ୍ରି) ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ଏକ ନୋଟିସ ଜାରି କରି ଏହାର ପ୍ଲାଟଫର୍ମରୁ ବେଆଇନ ଏବଂ ପାଇରେଟେଡ୍ କଣ୍ଟେଣ୍ଟ ତୁରନ୍ତ ହଟାଇବାକୁ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି, ଟେଲିଗ୍ରାମରେ ସେୟାର କରାଯାଉଥିବା ପାଇରେଟେଡ୍ ଫିଲ୍ମ, ଓ୍ବେବ ସିରିଜ୍ ଓ ଓଟିଟି କଣ୍ଟେଣ୍ଟ ଉପରେ ତୁରନ୍ତ ରୋକ ଲଗାଯାଉ। ଏହା ସହ ସରକାର ପ୍ଳାଟଫର୍ମକୁ ଏହା ବି କହିଛନ୍ତି ଯେ, ସେ ଏହି ଦିଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପୁରା ରିପୋର୍ଟ ଆଗାମୀ ୧୫ ଦିନ ଭିତରେ ଉପସ୍ଥାପନ କରୁ।

ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି, କାରଣ ପାଇରେସି ଭାରତର ଚଳଚ୍ଚିତ୍ର ଶିଳ୍ପ ଏବଂ ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରକୁ ଯଥେଷ୍ଟ ଆର୍ଥିକ କ୍ଷତି ପହଞ୍ଚାଉଛି। ଅନେକ ନୂତନ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ମୁକ୍ତିଲାଭ ପରେ ବେଆଇନ ଭାବରେ ପ୍ରସାର ହୋଇଥାଏ, ଯାହା ନିର୍ମାତାଙ୍କ ରାଜସ୍ୱକୁ ପ୍ରଭାବିତ କରେ। ଏହି ନୂଆ ନୋଟିସ୍ ସେହି ଅଭିଯୋଗ ପରେ ଜାରି କରାଯାଇଛି, ଯାହାକି ବହୁ ଓଟିଟି ପ୍ଳାଟଫର୍ମ ଓ କଣ୍ଟେଣ୍ଟ ମାଲିକଙ୍କୁ ଦିଆଯାଇଥିଲା। ଏହି ଅଭିଯୋଗରେ କୁହାଯାଇଛି ଯେ, ଟେଲିଗ୍ରାମରେ ବିନା ଅନୁମତିରେ ଫିଲ୍ମ ଓ ଓ୍ବେବ ସିରିଜ୍ ବହୁ ପରିମାଣରେ ସେୟାର କରାଯାଉଛି। ଯାଞ୍ଚ ପରେ ମନ୍ତ୍ରଣାଳୟ ପ୍ରାୟ ୩,୧୪୨ ଟେଲିଗ୍ରାମ୍ ଚ୍ୟାନେଲ ଚିହ୍ନଟ କରିଛି, ଯାହାକି କଥିତ ଭାବରେ ପାଇରେଟେଡ୍ କଣ୍ଟେଣ୍ଟ ସୃଷ୍ଟି କରୁଥିଲା।

ସରକାର ଏହି ନୋଟିସ୍ ସୂଚନା ପ୍ରାଦ୍ୟୋଗିକ ଅଧିନିୟମ୍ ୨୦୦୦ ଅନୁସାରେ, ଜାରି କରିଛନ୍ତି। ଟେଲିଗ୍ରାମ୍କୁ ନିର୍ଦେଶ ଦିଆ ଯାଇଛି ଯେ, ଏଭଳି ସବୁ ବେଆଇନ୍ କଣ୍ଟେଣ୍ଟକୁ ତୁରନ୍ତ ହଟାଇ ଦିଆଯାଉ ଓ ନିଜ ନିୟମକୁ ଆହୁରି କଡା କରାଯାଉ। ଏହା ସହିତ ୨୦୨୧ ର ଆଇଟି ନିୟମ ଅନୁସାରେ, ଅନଲାଇନ୍ ପ୍ଲାଟଫର୍ମକୁ ସରକାର କିମ୍ବା କୋର୍ଟଙ୍କ ନିର୍ଦେଶ ମିଳିବା ଉପରେ ବେ-ଆଇନ କଣ୍ଟେଣ୍ଟ ହଟାଇବା ଜରୁରୀ।

ଏହି ପୁରା କାର୍ଯ୍ୟାନୁଷ୍ଠାନ ସରକାରଙ୍କ ସେହି ବଡ଼ ଅଭିଯାନର ଅଂଶ, ଯାହାର ଉଦେଶ୍ୟ ଦେଶରେ ଅନଲାଇନ୍ ପାଇରେସିକୁ ରୋକିବା ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟରଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ସୁନିଶ୍ଚିତ କରିବା। ଏହି ସମୟରେ, ସରକାର ମେସେଜିଂ ଆପ୍ସରେ ୟୁଜରନେମ୍ ଫିଚରର ଯାଞ୍ଚକୁ ମଧ୍ୟ ଦ୍ରୁତ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏହି ଫିଚର ବିଷୟରେ ସୂଚନା ମାଗିବା ପାଇଁ ଟେଲିଗ୍ରାମ ଏବଂ ସିଗନାଲକୁ ନୋଟିସ୍ ପଠାଇ ଏହି ଫିଚର ବିଷୟରେ ସୂଚନା ମାଗିଛି। ସରକାରଙ୍କ କହିବା ଅନୁସାରେ, ଏହି ଫିଚରର ଭୁଲ ବ୍ୟବହାର ହୋଇପାରେ। ଯେପରିକି କାହା ପରିଚୟର ଚୋରି, ନକଲି ଆକାଉଣ୍ଟ ତଆରି କରିବା କିମ୍ବା ଅନଲାଇନ୍ ଠକେଇ। ଏଭଳି ଭାବରେ ଚିନ୍ତା ପୂର୍ବରୁ ହ୍ବାଟସଆପ୍ର ନୂଆ ଫିଚକୁ ନେଇ ମଧ୍ୟ ରହିଥିଲା। କମ୍ପାନୀକୁ ପଚରାଯାଇଥିଲା ଯେ, ସେମାନେ ନିଜର ୟୁଜରନେମ୍ ସିଷ୍ଟମରେ ସୁରକ୍ଷାର କ’ଣ ଉପାୟ ରଖୁଛନ୍ତି, ଯାହାଫଳରେ ଏହାର ଦୁରୁପଯୋଗ ହୋଇନପାରିବ।

ଆହୁରି ପଢନ୍ତୁ : କଂଗ୍ରେସରେ କଳହ ! ରାହୁଲ ଭାରତ ଫେରିବା ପରେ ହୋଇପାରେ ଫାଟ ? ଶାହଙ୍କୁ ଭେଟିଲେ ରନ୍ଧାୱା