ଭୁବନେଶ୍ଵର, ୦୫/୦୮ : ସରକାରଙ୍କ ନିୟମ ଅନୁଯାୟୀ କାମ କରିନପାରିଲେ ବିଦା ହେବେ ସରକାରୀ ବାବୁ। ସଚିବସ୍ତରୀୟ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ରିପୋର୍ଟ ମାଗିଲେ ମୁଖ୍ୟ ଶାସନ ସଚିବ। କେଉଁ ବିଭାଗରେ କେତେ ଅଧିକାରୀ ଓ କର୍ମଚାରୀ ଅପାରଗ ଅଛନ୍ତି ସେମାନଙ୍କ ତଥ୍ୟ ମଗାଯାଇଛି। ଏନେଇ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରୁ ଚିଠି କରାଯାଇଛି। ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦନା କରୁ ନାହାନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବିଦା କରାଯିବ। ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ର ସର୍କୁଲାର ଅନୁଯାୟୀ, ସମ୍ପୃକ୍ତ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।