ଭୁବନେଶ୍ଵର, ୧୨/୦୩ : ଅଂଶୁଘାତ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର। ଗ୍ରୀଷ୍ମ ଆରମ୍ଭରୁ ପ୍ରସ୍ତୁତି ଜୋରଦାର୍। ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ୍। ଖରାଦିନେ ହେବନି ବିଦ୍ୟୁତ୍ କାଟ। ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ୧୦ ପୌରାଞ୍ଚଳ ହିଟୱେଭ୍ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। ୩୦ ଜିଲ୍ଲା ଓ ଟ୍ଵିନ୍ ସିଟି ପାଇଁ ମଧ୍ୟ ଯୋଜନା କରାଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି। ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭ୍ ସାମିଲ ହେବ। ଏଥିପାଇଁ ୧୬ତମ ଅର୍ଥ କମିଶନ ସୁପାରିଶ କରିଛନ୍ତି।  

ଅଂଶୁଘାତ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି
-ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ ଷ୍ଟାଣ୍ଡ ଓ ଜନଗହଳି ସ୍ଥାନରେ ପାନୀୟଜଳ ସେବା କେନ୍ଦ୍ର ରହିବ। ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। 
-ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଗୁଡ଼ିକର ତୁରନ୍ତ ମରାମତି କରି ଶତପ୍ରତିଶତ କାର୍ଯ୍ୟକ୍ଷମ ପାଇଁ ବିଭାଗ ଗୁଡ଼ିକ ପଦକ୍ଷେପ ନେଉଛନ୍ତି। 
-ରାଜ୍ୟର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ ରଖାଯାଇଛି। 
-ଅତିଶୟ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଗୁଡ଼ିକରେ ଯାତାୟାତ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ପୂର୍ବକ ଖରାବେଳେ ଯାତ୍ରୀବାହୀ ଯାନ ଚଳାଚଳ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ।
-ଶ୍ରମିକମାନଙ୍କର କାର୍ଯ୍ୟ ସମୟ ନିର୍ଘଣ୍ଟ କରିବା ସହ ଦ୍ଵିପ୍ରହରରେ କୌଣସି କାମରେ ନିୟୋଜିତ ନକରିବାକୁ ନିର୍ଦ୍ଦେଶ।କାର୍ଯ୍ୟସ୍ଥଳୀରେ ଥଣ୍ଡା ପାନୀୟ ଏବଂ ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ।

-ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁଙ୍କ ପାଇଁ ସ୍ଵତନ୍ତ୍ର ଜଳପୂର୍ଣ୍ଣ ପାତ୍ର ବ୍ୟବସ୍ଥା କରିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। 
-ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ପଦକ୍ଷେପ ନେବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
-ଲୋକଙ୍କ ମଧ୍ୟରେ ଅଂଶୁଘାତ ସଚେତନତା ପାଇଁ ପୋଷ୍ଟର କରି ଜିଲ୍ଲା ସ୍ତରରେ ବଣ୍ଟନ ଏବଂ ଗଣମାଧ୍ୟମରେ ଗ୍ରୀଷ୍ମପ୍ରବାହ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରସାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 
-୩୦ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଂଶୁଘାତ ପ୍ରଭାବରୁ କିପରି ନିଜକୁ ରକ୍ଷା କରିବେ ଏଥିପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ କୁହାଯାଇଛି।
-ପାଣିପାଗ ବିଭାଗ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗମାନଙ୍କୁ ତାପମାତ୍ରା ଓ ଆଦ୍ରତା ସମ୍ବନ୍ଧୀୟ ପୂର୍ବ ସୂଚନା ପ୍ରଦାନ କରାଯାଉଛି। ସମସ୍ତ ଜିଲ୍ଲାପାଳଙ୍କୁ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ଉପରେ ନଜର ରଖି ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

-ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। 
--୩୦ ଜିଲ୍ଲାରେ ଅଂଶୁଘାତ ପ୍ରଭାବରୁ ପ୍ରଶମନ ଓ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନଙ୍କୁ ବିଭିନ୍ନ କୌଶଳ ଶିଖାଯାଉଛି। 
-୩୦ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଅଂଶୁଘାତ, ମାନସିକ ଉତ୍ତେଜନା ଓ ତତ୍ ଜନିତ ଶାରିରୀକ ଅସୁସ୍ଥତା ବିଷୟରେ ତାଲିମ ଦିଆଯାଇଛି। 
-୩୦ଟି ଜିଲ୍ଲା ଓ ଟ୍ଵିନ୍ ସିଟିରେ ଅଂଶୁଘାତ ପ୍ରଭାବକୁ ପ୍ରତିହତ କରିବା ପାଇଁ ହିଟ୍ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
-୧୦ଟି ପୌରାଞ୍ଚଳରେ ହିଟ୍ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତି ସରିଛି ଆଉ ୩୧ଟି ପୌରାଞ୍ଚଳ ପାଇଁ ଯୋଜନା ଚାଲିଛି। 
-ଅଂଶୁଘାତ ଜନିତ ମୃତ୍ୟୁକୁ ରାଜ୍ୟ ନିର୍ଦ୍ଦିଷ୍ଟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି। 
-୧୬ତମ ଅର୍ଥ କମିଶନ ୨୦୨୬-୩୧, ଗ୍ରୀଷ୍ମ ପ୍ରବାହକୁ ଜାତୀୟ ବିପର୍ଯ୍ୟୟରେ ସାମିଲ କରିବାକୁ ସୁପାରିଶ କରିଛନ୍ତି।
-ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।
 

ଏହି ଖବରଟିକୁ ପଢନ୍ତୁ- ଓଡ଼ିଶା-ଆସାମ-ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ୍, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ