ଭୁବନେଶ୍ବର: ବାତ୍ୟା ‘ଦାନା’ର ବିପଦ ଟଳିଯାଇଛି । କେତେକ ଜିଲ୍ଲାରେ ବର୍ଷା ଏବଂ ହାଲୁକା ପବନ ଜାରି ରହିଥିଲେ ସୁଦ୍ଧା ଆଉ ଭୟ ନାହିଁ । ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବାଦିକ ସମ୍ମିଳନୀରେ ବିସ୍ତୃତ୍ବ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରାଥମିକତା ଥିଲା ‘ଜିରୋ କାଜୁଆଲିଟି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଆମେ ସମୀକ୍ଷା କରିଥିଲୁ । ରିପୋର୍ଟ ଅନୁସାରେ ଆମେ ଜ଼ିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିଛୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସରକାରଙ୍କ ଟିମ ୱାର୍କ ସଫଳ ହୋଇଛି ।
ଏହା ସହ ବାତ୍ୟା ସମୟରେ ଲୋକଙ୍କୁ ଟିକିନିଖି ସୂଚନା ଦେଉଥିବା ଗଣମାଧ୍ୟମକୁ ଖୁବ ପ୍ରଶଂସା କରିଛନ୍ତି ମୋହନ ମାଝୀ । ସେପଟେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏହି ସଂଖ୍ୟା ୮ ଲକ୍ଷରେ ପହଞ୍ଚିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଏବେବି କିଛି ଲୋକ ଆଶ୍ରୟସ୍ତଳୀରେ ଅଛନ୍ତି । ଅନ୍ୟମାନେ ଘରକୁ ଫେରିଛନ୍ତି । ସେହିଭଳି ବିଜୁଳି ଏବଂ ରାସ୍ତ କାମ କରାଯାଉଛି । ୪୨ ଲକ୍ଷ ୪୩ ହଜାର ଘରେ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଥିଲା । ଏବେ ସୁଦ୍ଧା ୧୪ କ୍ ଲ୪ ୮୦ ହଜାର ଘରକୁ ବିଜୁଳି ପୁନଃ ସଂଯୋଗ କରାଯାଇଛି । ବାକି ଘରଗୁଡ଼ିକୁ ଆଜି ରାତି ଏବଂ ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ବିଜୁଳି ଆସିଯିବ ବୋଲି ମୋହନ ମାଝୀ କହିଛନ୍ତି ।
ସେ ଆହୁରି କହିଛନ୍ତି, ୧ ଲକ୍ଷ ୭୫ ହଜାର ଏକର ଚାଷ ଜମି ପ୍ରଭାବିତ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି । ସଂପୂର୍ଣ୍ଣ ରିପୋର୍ଟ ଆସିଲା ପରେ କ୍ଷତି ପୂରଣ ଦିଆଯିବ । କେତେ ଘର ଭାଙ୍ଗିଛି ସେନେଇ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ଏବଂ କ୍ଷତିପୂରଣ ନେଇ ଆଲୋଚନା ହେବ । ସେହିଭଳି ବାତ୍ୟାକୁ ନିଜରରେ ରଖି ରୋଗୀମାନଙ୍କୁ ମେଡିକାଲରେ ରଖାଯାଇଥିଲା । ବିଶେଷ କରି ଗର୍ଭବତୀ ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ବାତ୍ୟା ଦିନ ପ୍ରାୟ ୨୨୦୦ ଜଣ ମହିଳା ପ୍ରସବ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ଜାଆଁଳା ଶିଶୁ ଜନ୍ମ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିଭଳି ପାଣି ଜମିଥିବା ଅଞ୍ଚଳକୁ ଆଶ୍ରୟ ସ୍ଥଳରେ ଥିବା ଲୋକମାନଙ୍କୁ ଯିବାକୁ ଅନୁମତି ଦିଆଯାଇ ନାହଁ । ସେମାନଙ୍କୁ ୭ ଦିନ ଯାଏଁ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି । ସ୍ୱାଭାବିକ ଅବସ୍ଥା ଆସିଯାଇଥିଲେ ସେମାନେ ଘରକୁ ଯାଇପାରିବେ । ୧୫୮ ପ୍ଲାଟୁନ ପୋଲିସ ଫୋର୍ସ କାମ ଜାରି ରଖିବେ । ସରକାରଙ୍କ ସମସ୍ତ ଅଧିକାରୀ, ଭଲ କାମ କରି ବାତ୍ୟା ମୁକାବିଲା କରିଥିବାରୁ ସେମାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆହୁରି ଅନେକ କାମ ବାକି ଅଛି । ଘଡ଼ିସନ୍ଧି ମୁହୂର୍ତ୍ତରେ ଆଉ ଟିକେ ଯତ୍ନବାନ ହୋଇ କାମ କରିବାକୁ ପଡ଼ିବ । ଯେଉଁଠି ସମସ୍ୟା ରହୁଛି ବାତ୍ୟା ପରବର୍ତ୍ତୀ କାମକୁ ମଧ୍ୟ ସଫଳ କରିପାରିବା । ପୋଲିସ ବଡ ଭୂମିକା ଅଛି, ସେମାନେ ନିଶ୍ଚିତ ଭାବରେ ଭଲ କାମ କରିଛନ୍ତି । ପୋଲିସ ମାନବିକତା ଦେଖାଇଛି । ଏହା ସହ ବାଲେଶ୍ୱର ଓ ମୟୁରଭଞ୍ଜରେ ବର୍ଷା ହୋଇଛି । ବୁଢାବଳଙ୍ଗ ଫୁଲି ଥିଲେ ସୁଦ୍ଧା ବିପଦ ସଂକେତ ଉପରକୁ ଯାଇନାହିଁ । ବାଲେଶ୍ୱରବାସୀ ଭୟଭୀତ ହେବାର ନାହିଁ । ବାତ୍ୟା ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଛି । ପବନ ବର୍ଷା କମିଗଲାଣି, ନୂଆ ବିପଦର ଆଶଙ୍କା ନାହିଁ । ଓଡ଼ିଶା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।