ଭୁବନେଶ୍ୱର,୨୮/୧୦: ସମ୍ପତ୍ତି ତାଲିକା ଦାଖଲ ନ କଲେ ପଦୋନ୍ନତିରୁ ବଞ୍ଚିତ ହେବେ ସରକାରୀ କର୍ମଚାରୀ । ୨୦୨୪ ବର୍ଷ ପାଇଁ ଯେଉଁ ସରକାରୀ କର୍ମଚାରୀମାନେ ନିଜର ସମ୍ପତ୍ତି ତାଲିକାକୁ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ଦାଖଲ କରିନାହାନ୍ତି ସେମାନଙ୍କ ପଦୋନ୍ନତି ବନ୍ଦ କରାଯିବ । କୌଣସି ବି ପରିସ୍ଥିତିରେ ସେମାନଙ୍କୁ ଅଧିକ ସମୟ ଦିଆଯିବ ନାହିଁ । ଏପରିକି ସମ୍ପତ୍ତି ତାଲିକା ଦାଖଲ କରିବାକୁ ପୋର୍ଟାଲ ଖୋଲିବ ନାହିଁ । ଏପରି କଡ଼ା ପଦକ୍ଷେପ ନେଇଛି ସାଧାରଣ ପ୍ରଶାସନ ବିଭାଗ । ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ୨୦୨୫ ବର୍ଷର ସମ୍ପତ୍ତି ତାଲିକା ଆସନ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ଦାଖଲ କରିବେ । ଏହି ସମୟ ସୀମା ମଧ୍ୟରେ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ହୋଇଛି ।
ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାରେ କୁହାଯାଇଛି, ୨୦୨୪ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାକୁ ଅଧିକ ସମୟ ଦିଆଯାଇଥିଲା । ଏହି ସମୟ ସୀମା ମଧ୍ୟରେ ଅନେକ ନିଜର ସମ୍ପତ୍ତି ତାଲିକାକୁ ଦାଖଲ କରିନାହାନ୍ତି । ଅନେକ ଏହି ତାଲିକା ଦାଖଲ କରିବା ନେଇ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ ଖୋଲିବାକୁ ଅନୁରୋଧ କରିଥିଲେ । ହେଲେ ସରକାର ଏହାର ଉଚ୍ଚସ୍ତରୀୟ ତର୍ଜମା କରିଛନ୍ତି । ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ସମ୍ପତ୍ତି ତାଲିକା ଦାଖଲ କରିବା ନେଇ କୌଣସି ପରିସ୍ଥିତିରେ ଆଉ ସୁଯୋଗ ଦିଆଯିବ ନାହିଁ । ଯେଉଁମାନେ ନିଜର ତାଲିକା ଦାଖଲ କରିନାହାନ୍ତି ସେମାନଙ୍କୁ ବିଭାଗୀୟ ପଦୋନ୍ନତି କମିଟି ଦ୍ୱାରା ପଦୋନ୍ନତି ପାଇଁ ସୁଯୋଗ ମିଳିବ ନାହିଁ ।