ନୂଆଦିଲ୍ଲୀ,୨୧/୧୨: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି(ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ପାତି)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁ ଅନୁମୋଦନ ଦେଇଛି । କୃଷକମାନଙ୍କୁ  ଲାଭଜନକ ମୂଲ୍ୟ ପ୍ରଦାନ ପାଇଁ ଏ  ନିଷ୍ପତ୍ତି ନିଆଯାଇଛି । ୨୦୨୫ ଋତୁ  ପାଇଁ ଉପଯୁକ୍ତ ହାରାହାରି ମାନର  ମିଲିଂ କୋପ୍ରାର ଏମ୍‌ଏସ୍‌ପି କୁଇଣ୍ଟାଲ  ପିଛା ୧୧୫୮୨ ଟଙ୍କା ଏବଂ ବଲ୍‌  କୋପ୍ରା ପାଇଁ କୁଇଣ୍ଟାଲ ପିଛା ୧୨୧୦୦  ଟଙ୍କା ଧାର୍ଯ୍ୟ କରାଯାଇଛି । 

୨୦୧୪  ବିପଣନ ଋତୁରେ ମିଲିଂ କୋପ୍ରା ଓ  ବଲ୍‌ କୋପ୍ରାର ଏମ୍‌ଏସ୍‌ପି ଯଥାକ୍ରମେ  କୁଇଣ୍ଟାଲ ପିଛା ୫୨୫୦ ଟଙ୍କା ଏବଂ  ୫୫୦୦ ଟଙ୍କା ଥିବାବେଳେ ୨୦୨୫  ବିପଣନ ଋତୁରେ ଏହାକୁ ଯଥାକ୍ରମେ ୧୧,୫୮୨ ଟଙ୍କା ଏବଂ ୧୨,୧୦୦ ଟଙ୍କାକୁ  ବୃଦ୍ଧି କରାଯାଇଛି । ଏଥିରେ ଯଥାକ୍ରମେ  ୧୨୧% ଏବଂ ୧୨୦% ବୃଦ୍ଧି କରାଯାଇଛି ।  ଉଚ୍ଚ ଏମ୍‌ଏସ୍‌ପି କେବଳ ନଡ଼ିଆ  ଚାଷୀଙ୍କୁ ଉନ୍ନତ ପାରିଶ୍ରମିକ ସୁନିଶ୍ଚିତ  କରିବ ନାହିଁ ବରଂ ଉଭୟ ଘରୋଇ ଓ  ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର  ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ  କୃଷକମାନଙ୍କୁ କୋପ୍ରା ଉତ୍ପାଦନ ବୃଦ୍ଧି  କରିବାକୁ ଉତ୍ସାହିତ କରିବ ।