ନୂଆଦିଲ୍ଲୀ: ଆରବ ଦେଶ ‘କୁଏତ’କୁ ଦୁଇ ଦିବସୀୟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି । ଏହି ସମୟରେ ପିଏମ ମୋଦୀ ସେଠାକାର ଶୀର୍ଷସ୍ତରୀୟ ନେତାଙ୍କ ସହ ଦ୍ବିପାକ୍ଷିକ ସଂପର୍କ ମଜଭୁତ କରିବା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ମୋଦୀ ସେଠାରେ ରହୁଥିବା ଜଣେ ଭାରତର ପୂର୍ବତନ ଆଇଏଫଏସ୍ (ଭାରତୀୟ ବିଦେଶ ସେବା) ଅଧିକାରୀ ମଙ୍ଗଳ ସୈନ ହାଣ୍ଡାଙ୍କୁ ଭେଟିଛନ୍ତି । କିନ୍ତୁ ପୂର୍ବତନ ଆଇଏଫଏସ୍ ଅଧିକାରୀଙ୍କୁ ଭେଟିବେ ବୋଲି ମୋଦୀ ଜଣେ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକୃତରେ ୧୦୧ ବର୍ଷୀୟ ପୂର୍ବତନ ଭାରତୀୟ ଅଧିକାରୀଙ୍କ ନାତୁଣୀ ଶ୍ରେୟା ଜୁନେଜା ମୋଦୀଙ୍କୁ ଟ୍ବିଟ୍ କରି ତାଙ୍କ ଅଜାଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ।
Absolutely! I look forward to meeting @MangalSainHanda Ji in Kuwait today. https://t.co/xswtQ0tfSY
— Narendra Modi (@narendramodi) December 21, 2024
ଶୁକ୍ରବାର ଶ୍ରେୟା ଏକ୍ସ (ପୂର୍ବରୁ ଟ୍ବିଟର)ରେ ଲେଖିଥିଲେ, ‘ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ଆସନ୍ତାକାଲି କୁଏତ ଗସ୍ତ କରିବା ପରେ ଭାରତୀୟ ବଂଶୋଦ୍ଭବଙ୍କୁ ସାକ୍ଷାତ ସମୟରେ ମୋ ଅଜା ଏବଂ ପୂର୍ବତନ ଆଇଏଫଏସ୍ ଅଧିକାରୀ ମଙ୍ଗଳ ସୈନ ହାଣ୍ଡାଙ୍କୁ ଭେଟନ୍ତୁ । ସେ ଆପଣଙ୍କର ଜଣେ ବଡ଼ ପ୍ରଶଂସକ । ବିସ୍ତୃତ ସୂଚନା ଆପଣଙ୍କ କାର୍ଯ୍ୟାଳୟକୁ ମେଲ୍ କରିଛି ।’ ଶ୍ରେୟାଙ୍କ ଏହି ଟ୍ବିଟ୍ରେ ରିପ୍ଲାଏ କରି ପିଏମ ମୋଦୀ ଲେଖିଥିଲେ, ‘ନିଶ୍ଚିତ ! ଆଜି କୁଏତରେ ମଙ୍ଗଳ ସୈନ ହାଣ୍ଡାଙ୍କୁ ଭେଟିବାକୁ ଚେଷ୍ଟା କରିବି।’ ତେବେ ମୋଦୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେ ଆଜି କୁଏତରେ ୧୦୧ ବର୍ଷୀୟ ମଙ୍ଗଳ ସୈନ ହାଣ୍ଡାଙ୍କୁ ସାକ୍ଷାତ କରିଛନ୍ତି ।
ସେପଟେ ମଙ୍ଗଳ ହାଣ୍ଡା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । ସେପ୍ଟେମ୍ବର ୨୦୨୩ରେ ତାଙ୍କର ୧୦୦ତମ ଜନ୍ମଦିନରେ ମୋଦୀ ତାଙ୍କୁ ପତ୍ର ଲେଖି ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଭାରତର କୂଟନୈତିକ ସମ୍ବନ୍ଧ ଦିଗରେ ତାଙ୍କର ଯେଗାଦାନକୁ ପ୍ରଶଂସା କରିବା ସହ ହାଣ୍ଡାଙ୍କ ଉନ୍ନତ୍ତ ସ୍ବାସ୍ଥ୍ୟର କାମନା କରିଥିଲେ ମୋଦୀ । ଏହା ପରେ ମଙ୍ଗଳ ହାଣ୍ଡା ଏକ୍ସରେ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରିକି ମୋଦୀଙ୍କ ନେତୃତ୍ବର ଭାରତର ବିକାଶ ଦେଖିବାକୁ ମିଳିଥିବାରୁ ତାଙ୍କର ୧୦୦ ବର୍ଷର ଜୀବନ ସାର୍ଥକ ହୋଇଛି ବୋଲି ଲେଖିଥିଲେ ମଙ୍ଗଳ ସୈନ ହାଣ୍ଡା ।