ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଓଡ଼ିଶାକୁ ଘେରିବ ଗ୍ରାଣ୍ଡ୍‌ ରିଙ୍ଗରୋଡ୍, ଖର୍ଚ୍ଚ ହେବ ୧୩ ହଜାର ୫୪୪ କୋଟି ଟଙ୍କା

Published By : Prameya | October 17, 2024 11:44 AM

ଭୁବନେଶ୍ୱର,୧୭/୧୦: ଓଡ଼ିଶାକୁ ଘେରିବ ଗ୍ରାଣ୍ଡ୍‌ ରିଙ୍ଗରୋଡ । ୪ ପଟେ ଲମ୍ବିବ ଏକ୍ସପ୍ରେସ୍‌ ୱେ । ୪  ଥାକିଆ ମୁଖ୍ୟ ରାସ୍ତା ସହ ଦୁଇ ପାଶ୍ୱର୍ରେ ଦୁଇ ଥାକିଆ ଲେଖାଏଁ ସର୍ଭିସ୍‌ ରାସ୍ତା  ନିର୍ମାଣ ହେବ । ଯେଉଁଠି ରାସ୍ତା ଅଛି,  ତାହାକୁ ସମ୍ପ୍ରସାରଣ କରାଯିବ, ବାକି  ନୂଆ କରି ତିଆରି ହେବ । ଓଡ଼ିଶାର  ଚାରିଦିଗକୁ ଲମ୍ବିବ ଏହି ରାସ୍ତା । 

ରାଜ୍ୟ ପୂର୍ତ୍ତ ବିଭାଗ ପ୍ରସ୍ତାବିତ ଗ୍ରାଣ୍ଡ୍‌  ରିଙ୍ଗରୋଡ ପ୍ରକଳ୍ପ ନେଇ ପ୍ରାଥମିକ  ସର୍ବେକ୍ଷଣ କରିଛି । ଲମ୍ବା ବିଚାର  ବିମର୍ଷ ପରେ ରାଜ୍ୟ ସରକାର ଏହି  ପ୍ରକଳ୍ପ ଆଗେଇବାକୁ ସବୁଜ ସଙ୍କେତ  ଦେଖାଇଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏ ଦିଗରେ  ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର  ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ  ସହ ଆଲୋଚନା ବି କରିଛନ୍ତି ।  

ପ୍ରସ୍ତାବିତ ଯୋଜନା ଅନୁସାରେ  ବ୍ରହ୍ମପୁର-ଜୟପୁରକୁ ୨୮୭  କିଲୋମିଟର ରିଙ୍ଗରୋଡ ୪ ଲେନ୍‌  ହେବ । ଉଭୟ ପାଶ୍ୱର୍ରେ ୨ ଲେନ୍‌ ଲେଖାଏଁ ସର୍ଭିସ୍‌ ରାସ୍ତା ରହିବ । ସମ୍ପୂର୍ଣ୍ଣ  ନୂଆ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା  ବ୍ରହ୍ମପୁରରୁ ଦିଗପହଣ୍ଡି, ମୋହନା, ପଦ୍ମପୁର, ରାୟଗଡ଼ା, କାଶୀପୁର,  ଲକ୍ଷ୍ମୀପୁର, ଦଶମନ୍ତପୁର, ଜୟପୁରକୁ  ଯିବ । ଏଥିପାଇଁ ପ୍ରାୟ ୮୯୭୯ କୋଟି  ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । 

ପ୍ରସ୍ତାବିତ ଦ୍ୱିତୀୟ ଯୋଜନାଟି  ହେଲା, ଜୟପୁର-ରାଉରକେଲା  ରିଙ୍ଗରୋଡ୍‌ ପ୍ରସ୍ତାବ । ଏହି ପ୍ରସ୍ତାବିତ  ଯୋଜନାରେ ୬୩୮ କିଲୋମିଟର ରାସ୍ତାକୁ  ସମ୍ପ୍ରସାରଣ ଓ ଉନ୍ନତିକରଣ କରାଯିବ । ଏଥିରେ ୧୮୧ କିମି ଜାତୀୟ ରାଜପଥ ଓ  ୪୫୭ କିମି ପୂର୍ତ୍ତ ବିଭାଗ ରାସ୍ତା ରହିଛି । ୧୮୧ କିମି ଏନ୍‌ଏଚ୍‌କୁ ପ୍ରଶସ୍ତ କରି ୪  ଲେନ୍‌ କରାଯିବ ।

ଏହି ରାସ୍ତା ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର,  ଆମପାଣି, ବୃନ୍ଦାବାହାଲ, ନୂଆପଡ଼ା, ବରଗଡ଼,  ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲା  ଛୁଇଁବ । ଏଥିପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ  ଆକଳନ କରାଯାଇଛି । ପ୍ରସ୍ତାବିତ ତୃତୀୟ  ରିଙ୍ଗରୋଡ୍‌ ପ୍ରକଳ୍ପ ରାଉରକେଲାରୁ ଜଳେଶ୍ୱରକୁ  ଲମ୍ବିବ । ୩୯୧ କିମି ରାସ୍ତାକୁ ପ୍ରଶସ୍ତ କରି ୪ ଲେନ୍‌  କରାଯିବ । ଏଥିପାଇଁ ପ୍ରାୟ ୨୦୬୫ କୋଟି ଟଙ୍କା  ଖର୍ଚ୍ଚ ଆକଳନ କରାଯାଇଛି । ଏଥିମଧ୍ୟରେ ୨୧୫  କିମି ଜାତୀୟ ରାଜପଥ, ୧୬୨ କିମି ପୂର୍ତ୍ତ ରାସ୍ତା  ଓ ଅନ୍ୟ ବିଭାଗର ୩ କିମି ରାସ୍ତା ରହିଛି । ୧୧  କିଲୋମିଟର ସମ୍ପୂର୍ଣ୍ଣ ନୂଆ ସଡ଼କ ନିର୍ମାଣ ହେବ ।  

ଜଳେଶ୍ୱରରୁ ବ୍ରହ୍ମପୁରକୁ ୪୨୨ କିମି  ରିଙ୍ଗରୋଡ୍‌ ପ୍ରସ୍ତାବ ବି ରହିଛି ସରକାରଙ୍କ  ଯୋଜନାରେ । ୧୬ ନମ୍ବର ଜାତୀୟ ରାଜପଥରେ  ଏହି ରାସ୍ତା ରହିଛି । ହେଲେ ବର୍ତ୍ତମାନ ଏହାକୁ  ଆହୁରି ପ୍ରଶସ୍ତ କରାଯିବ । ୪ରୁ ୬ ଲେନ୍‌ ଚଉଡ଼ା  କରାଯିବା ଯୋଜନା ଅଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା ବି  ହୋଇଛି ।  

ନୂଆ ସରକାର ବର୍ତ୍ତମାନ ଭବିଷ୍ୟତକୁ  ଆଖିରେ ରଖି ରାଜ୍ୟରେ ସଡ଼କ ପଥର ବୈପ୍ଳବିକ  ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି । ଏଥିରେ  ଓଡ଼ିଶା ମଝି ଦେଇ ମେରୁଦଣ୍ଡ ଏକ୍ସପ୍ରେସ ଯୋଜନା  ସହ ଏହାକୁ ସଂଯୋଗ କରିବା ଭଳି ୪ଟି କରିଡର  ଯୋଜନା ବି ରହିଛି । ଏହାସହ ପୂରା ଓଡ଼ିଶାକୁ  ଘେରିବା ଭଳି ରିଙ୍ଗରୋଡ୍‌ ପ୍ରସ୍ତାବ ବି ରହିଛି ।  ପୂର୍ତ୍ତ ବିଭାଗ ଏସବୁ ଯୋଜନାକୁ ସାକାର କରିବା  ପାଇଁ ଘନଘନ ତର୍ଜମା ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.