ଭୁବନେଶ୍ୱର,୧୭/୧୦: ଓଡ଼ିଶାକୁ ଘେରିବ ଗ୍ରାଣ୍ଡ୍‌ ରିଙ୍ଗରୋଡ । ୪ ପଟେ ଲମ୍ବିବ ଏକ୍ସପ୍ରେସ୍‌ ୱେ । ୪  ଥାକିଆ ମୁଖ୍ୟ ରାସ୍ତା ସହ ଦୁଇ ପାଶ୍ୱର୍ରେ ଦୁଇ ଥାକିଆ ଲେଖାଏଁ ସର୍ଭିସ୍‌ ରାସ୍ତା  ନିର୍ମାଣ ହେବ । ଯେଉଁଠି ରାସ୍ତା ଅଛି,  ତାହାକୁ ସମ୍ପ୍ରସାରଣ କରାଯିବ, ବାକି  ନୂଆ କରି ତିଆରି ହେବ । ଓଡ଼ିଶାର  ଚାରିଦିଗକୁ ଲମ୍ବିବ ଏହି ରାସ୍ତା । 

ରାଜ୍ୟ ପୂର୍ତ୍ତ ବିଭାଗ ପ୍ରସ୍ତାବିତ ଗ୍ରାଣ୍ଡ୍‌  ରିଙ୍ଗରୋଡ ପ୍ରକଳ୍ପ ନେଇ ପ୍ରାଥମିକ  ସର୍ବେକ୍ଷଣ କରିଛି । ଲମ୍ବା ବିଚାର  ବିମର୍ଷ ପରେ ରାଜ୍ୟ ସରକାର ଏହି  ପ୍ରକଳ୍ପ ଆଗେଇବାକୁ ସବୁଜ ସଙ୍କେତ  ଦେଖାଇଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏ ଦିଗରେ  ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର  ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ  ସହ ଆଲୋଚନା ବି କରିଛନ୍ତି ।  

ପ୍ରସ୍ତାବିତ ଯୋଜନା ଅନୁସାରେ  ବ୍ରହ୍ମପୁର-ଜୟପୁରକୁ ୨୮୭  କିଲୋମିଟର ରିଙ୍ଗରୋଡ ୪ ଲେନ୍‌  ହେବ । ଉଭୟ ପାଶ୍ୱର୍ରେ ୨ ଲେନ୍‌ ଲେଖାଏଁ ସର୍ଭିସ୍‌ ରାସ୍ତା ରହିବ । ସମ୍ପୂର୍ଣ୍ଣ  ନୂଆ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା  ବ୍ରହ୍ମପୁରରୁ ଦିଗପହଣ୍ଡି, ମୋହନା, ପଦ୍ମପୁର, ରାୟଗଡ଼ା, କାଶୀପୁର,  ଲକ୍ଷ୍ମୀପୁର, ଦଶମନ୍ତପୁର, ଜୟପୁରକୁ  ଯିବ । ଏଥିପାଇଁ ପ୍ରାୟ ୮୯୭୯ କୋଟି  ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । 

ପ୍ରସ୍ତାବିତ ଦ୍ୱିତୀୟ ଯୋଜନାଟି  ହେଲା, ଜୟପୁର-ରାଉରକେଲା  ରିଙ୍ଗରୋଡ୍‌ ପ୍ରସ୍ତାବ । ଏହି ପ୍ରସ୍ତାବିତ  ଯୋଜନାରେ ୬୩୮ କିଲୋମିଟର ରାସ୍ତାକୁ  ସମ୍ପ୍ରସାରଣ ଓ ଉନ୍ନତିକରଣ କରାଯିବ । ଏଥିରେ ୧୮୧ କିମି ଜାତୀୟ ରାଜପଥ ଓ  ୪୫୭ କିମି ପୂର୍ତ୍ତ ବିଭାଗ ରାସ୍ତା ରହିଛି । ୧୮୧ କିମି ଏନ୍‌ଏଚ୍‌କୁ ପ୍ରଶସ୍ତ କରି ୪  ଲେନ୍‌ କରାଯିବ ।

ଏହି ରାସ୍ତା ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର,  ଆମପାଣି, ବୃନ୍ଦାବାହାଲ, ନୂଆପଡ଼ା, ବରଗଡ଼,  ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲା  ଛୁଇଁବ । ଏଥିପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ  ଆକଳନ କରାଯାଇଛି । ପ୍ରସ୍ତାବିତ ତୃତୀୟ  ରିଙ୍ଗରୋଡ୍‌ ପ୍ରକଳ୍ପ ରାଉରକେଲାରୁ ଜଳେଶ୍ୱରକୁ  ଲମ୍ବିବ । ୩୯୧ କିମି ରାସ୍ତାକୁ ପ୍ରଶସ୍ତ କରି ୪ ଲେନ୍‌  କରାଯିବ । ଏଥିପାଇଁ ପ୍ରାୟ ୨୦୬୫ କୋଟି ଟଙ୍କା  ଖର୍ଚ୍ଚ ଆକଳନ କରାଯାଇଛି । ଏଥିମଧ୍ୟରେ ୨୧୫  କିମି ଜାତୀୟ ରାଜପଥ, ୧୬୨ କିମି ପୂର୍ତ୍ତ ରାସ୍ତା  ଓ ଅନ୍ୟ ବିଭାଗର ୩ କିମି ରାସ୍ତା ରହିଛି । ୧୧  କିଲୋମିଟର ସମ୍ପୂର୍ଣ୍ଣ ନୂଆ ସଡ଼କ ନିର୍ମାଣ ହେବ ।  

ଜଳେଶ୍ୱରରୁ ବ୍ରହ୍ମପୁରକୁ ୪୨୨ କିମି  ରିଙ୍ଗରୋଡ୍‌ ପ୍ରସ୍ତାବ ବି ରହିଛି ସରକାରଙ୍କ  ଯୋଜନାରେ । ୧୬ ନମ୍ବର ଜାତୀୟ ରାଜପଥରେ  ଏହି ରାସ୍ତା ରହିଛି । ହେଲେ ବର୍ତ୍ତମାନ ଏହାକୁ  ଆହୁରି ପ୍ରଶସ୍ତ କରାଯିବ । ୪ରୁ ୬ ଲେନ୍‌ ଚଉଡ଼ା  କରାଯିବା ଯୋଜନା ଅଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା ବି  ହୋଇଛି ।  

ନୂଆ ସରକାର ବର୍ତ୍ତମାନ ଭବିଷ୍ୟତକୁ  ଆଖିରେ ରଖି ରାଜ୍ୟରେ ସଡ଼କ ପଥର ବୈପ୍ଳବିକ  ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି । ଏଥିରେ  ଓଡ଼ିଶା ମଝି ଦେଇ ମେରୁଦଣ୍ଡ ଏକ୍ସପ୍ରେସ ଯୋଜନା  ସହ ଏହାକୁ ସଂଯୋଗ କରିବା ଭଳି ୪ଟି କରିଡର  ଯୋଜନା ବି ରହିଛି । ଏହାସହ ପୂରା ଓଡ଼ିଶାକୁ  ଘେରିବା ଭଳି ରିଙ୍ଗରୋଡ୍‌ ପ୍ରସ୍ତାବ ବି ରହିଛି ।  ପୂର୍ତ୍ତ ବିଭାଗ ଏସବୁ ଯୋଜନାକୁ ସାକାର କରିବା  ପାଇଁ ଘନଘନ ତର୍ଜମା ଚଳାଇଛି ।