ନୂଆଦିଲ୍ଲୀ : ଦିଲ୍ଲୀ - ଏନସିଆରରେ ଶୁକ୍ରବାର ସମୟ ସକାଳ ୮ଟାରୁ ଗ୍ରାପ୍‌ର ୩ୟ ପର୍ଯ୍ୟାୟ ଲାଗୁ ହୋଇ ଯିବ। କେନ୍ଦ୍ର ସରକାରଙ୍କର ବାୟୁର ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳରେ ବାୟୁର ଖରାପ ଗୁଣବତ୍ତାକୁ ଦେଖି ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି)ର ୩ୟ ପର୍ଯ୍ୟାୟ ଲାଗୁ କରିବାର ନିଷ୍ପତ୍ତି ନେଇଛି। ଶୁକ୍ରବାର ୧୫ ନଭେମ୍ୱର ସକାଳେ ୮ଟାରୁ ଏହାକୁ ଲାଗୁ କରି ଦିଆଯିବ। ସିଏକ୍ୟୁଏମ୍‌ ଏକ ବୟାନ ଜାରି କରି ଏହାର ସୂଚନା ଦେଇଛି। 

ଗ୍ରାଫ୍‌ର ୩ୟ ପର୍ଯ୍ୟାୟ ଅନୁସାରେ, ନିର୍ମାଣ ଓ ଭଙ୍ଗାରୁଜା ସଂପର୍କୀତ କାର୍ଯ୍ୟ ଉପରେ ସଂପୂର୍ଣ୍ଣ ରୂପେ ରୋକ୍‌ ଲାଗିବ। ଏହା ବ୍ୟତୀତ ନିର୍ମାଣ ସାମଗ୍ରୀକୁ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଉପରେ ପ୍ରତିବନ୍ଧନ ରହିବ। ଏହି ସମୟରେ ବିଏସ୍‌-୩ ପେଟ୍ରୋଲ୍ ଓ ବିଏସ-୪ ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ରହିବ। ଏହା ବ୍ୟତୀତ ୫ମ ଶ୍ରେଣୀ ଯାଏ ପିଲାଙ୍କୁ ସ୍କୁଲ ପରିବର୍ତ୍ତେ ଅନଲାଇନ୍‌ରେ ଘରେ ରହି ପାଠପଢା ଯିବ। 

ଗ୍ରାଫ୍‌-୩ ଲାଗୁ ବେଳେ ପେଣ୍ଟିଂ, ପଲିସିଂ ଓ ଭର୍ନିସିଂ ସହ ଜଡ଼ିତ କାର୍ଯ୍ୟରେ ରୋକ୍‌ ଲାଗିବ। ଏହି ସମୟରେ ସଡ଼କ ନିର୍ମାଣ ବା ବଡ଼ ବଡ଼ ରିପେୟାରିଂ ୱାର୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହେବ। କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ସଂପର୍କିତ ଭଗ୍ନାବଶେଷକୁ ବୋହି ନେବାରେ ମଧ୍ୟ ରୋକ୍ ଲାଗିବ।

ଏହି ପର୍ଯ୍ୟାୟ ଅନୁସାରେ, ଧୂଳି ସୃଷ୍ଟି କରୁଥିବା କୌଣସି ପ୍ରକାରର ଜିନିଷ ଯେମିତି ସିମେଣ୍ଟ , ଇଟା , ପଥର ଓ ବାଲି ଆଦିର ଲୋଡିଂ-ଅଲୋଡିଂରେ ପ୍ରତିବନ୍ଧକ ରହିବ। ୱେଲଡିଂ ଓ ଗ୍ୟାସ୍‌ କଟିଂ ସହ ଜଡ଼ିତ ଅନେକ କାର୍ଯ୍ୟରେ ରୋକ୍‌ ରହିବ। ପାଣିର ନୂଆ ଲାଇନ୍‌ ବିଛେଇବା, ସିଭର ଲାଇନ୍‌ ପକାଇବା, ଡ୍ରେନେଜ୍‌ ଓ ମାଟି ଭିତରେ କେବୁଲ ପକାଇବାର କାର୍ଯ୍ୟ ଉପରେ ରୋକ୍‌ ରହିବ। 

ସିଏକ୍ୟୁଏମ୍‌ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ସବ୍‌ କମିଟିର ବୈଠକ ବେଳେ ଆଇଏମଡି ଓ ଆଇଆଇଟିଏମ୍ ଦ୍ୱାରା ସୂଚିତ କରାଯାଇଛି ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଅଦ୍ଭୂତପୂର୍ବ ଭାବେ ଅତ୍ୟଧିକ ଘନ କୁହୁଡ଼ି ଛାଇ ରହିଛି। ଏହି କାରଣରୁ ଗୁରୁବାର ସକାଳ ୮ଟାରୁ ସାଢେ ୯ଟା ବେଳେ ଦୃଶ୍ୟତା ଶୂନ୍ୟ ରହିଛି। ଦିଲ୍ଲୀର ସମଗ୍ର ଏକ୍ୟୁଆଇ ଗମ୍ଭୀର ସ୍ତରରେ ପହଞ୍ଚି ଯାଇଛି। ଆଗାମୀ ଦିନରେ ଏକ୍ୟୁଆଇର ଖୁବ୍‌ ଖରାପ ଶ୍ରେଣୀକୁ ଫେରିବାର ସମ୍ଭାବନା ରହିଛି। 

କମିଟି କହିଛି କି, ଗ୍ରାପ୍‌-୩ ରହିବା ବେଳେ ମେସିନ ମାଧ୍ୟମରେ ସଡକର ସଫେଇର କାମକୁ ଦ୍ରୁତତର କରାଯାଉ। ଟ୍ରାଫିକ୍‌ର ପିକ୍ ଓଭର ପୂର୍ବରୁ ସଡ଼କରେ ପାଣିର ଛିଞ୍ଚନ କାମକୁ ସୁନିଶ୍ଚିତ କରାଯାଉ। ଏହାସହ ସାର୍ବଜନିକ ପରିବହନ ଉପରେ ପ୍ରାଧ୍ୟାନ୍ୟ ଦିଆ ଯାଉ। 

ଗ୍ରାପ୍‌ର ୩ୟ ପର୍ଯ୍ୟାୟ ବେଳେ ବିଏମ୍‌-୩ ପେଟ୍ରୋଲ ଓ ବିଏମ୍‌ ୪ ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧର ରହିବ। ଏହିସବୁ ଗାଡ଼ିର ପରିଚାଳନରେ ଦିଲ୍ଲୀ ସହ ଗୁରୁଗ୍ରାମ, ଫରିଦାବାଦ, ଗାଜିଆାବାଦ ଓ ଗୌତମବୁଦ୍ଧ ନଗରରେ ମଧ୍ୟ ରୋକ୍‌ ଲାଗିବ। ବିଏସ୍‌-୩ ଓ ଏହାର ତଳ ଶ୍ରେଣୀର ମାଲ୍‌ ପରିବହନ କରୁଥିବା ଗାଡ଼ିକୁ ଦିଲ୍ଲୀରେ ପ୍ରବେଶର ଅନୁମତି ହେବ ନାହିଁ। ଏହାସହ ଇଲେକ୍ଟ୍ରିକ୍‌ ଗାଡ଼ି, ସିଏନଜି ଓ ବିଏସ୍‌-୬ ଡିଜେଲ ଗାଡ଼ି, ଯାହା ଅଲ୍‌ ଇଣ୍ଡିଆ ପରମିଟ୍ ହେବ, ସେଗୁଡିକୁ ହିଁ ଦିଲ୍ଲୀରେ ପ୍ରବେଶ ଅନୁମତି ରହିବ।