ନୂଆଦିଲ୍ଲୀ: ବିବାହ ମଣ୍ଡପରେ ବର-କନ୍ୟାଙ୍କ ମଧ୍ୟରେ ଅନେକ ରୋମାଣ୍ଟିକ ମୁହୂର୍ତ୍ତ ଦେଖିବାକୁ ମିଳେ। ଭିନ୍ନ ଭିନ୍ନ ଢ଼ଙ୍ଗରେ ଫଟୋ ଉଠାନ୍ତି ଆଉ ନିଜର ପ୍ରେମକୁ ଦର୍ଶାନ୍ତି । ସ୍ତ୍ରୀଙ୍କ ସାମ୍ନାରେ ନିଜର ଭାବନାକୁ ଲୋକେ ଭିନ୍ନ ଭିନ୍ନ ଉପାୟରେ ମଧ୍ୟ ଦର୍ଶାଉଥିବେ ଆପଣମାନେ ଦେଖିବାକୁ ପାଇଥିଲେ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି । ଏହି ଭିଡିଓରେ ବର କନ୍ୟାକୁ କେକ୍ ଖୁଆଇବା ପୂର୍ବରୁ ନିଜ ମାଆଙ୍କୁ ଦେଇଛନ୍ତି । ଯାହାକି ଏକ ଭାବବିହ୍ବଳ ଭିଡିଓ ଭଳି ଲାଗିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ଏହାକୁ ନେଇ ସକରାତ୍ମକ କମେଣ୍ଟ ଦେଇଛନ୍ତି । ଆଉ କିଛି ୟୁଜର୍ସ ଏହା ବିପକ୍ଷରେ ଯୁକ୍ତି ମଦ୍ୟ ବାଢ଼ିଥିବା ଦେଖିବାକୁ ମିଳିଛି ।

'ଣ ରହିଛି ଭିଡିଓରେ?

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବର-କନ୍ୟା ମଣ୍ଡପରେ ବସିଛନ୍ତି । ବର ହାତରେ କେକ୍ ଧରି କନ୍ୟାକୁ ଖୁଆଇବା ପାଇଁ ବଢ଼ାଇଲେ, କିନ୍ତୁ ହଠାତ୍ ସେ ଅଟକି ଯାଇଥିଲେ । ବର ପ୍ରଥମେ ନିଜ ପାଖରେ ଥିବା ମାଆଙ୍କୁ ଖୁଆଇଦେଲେ । ବରର ଏହି ନିଷ୍ପତ୍ତିକୁ ଦେଖି ମାଆଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା । ଏହାପରେ ସେ ନିଜ ପତ୍ନୀଙ୍କୁ ଖୁଆଇଥିଲେ।

ଏହି ମୁହୂର୍ତ୍ତଟି କେବଳ ଉପସ୍ଥିତ ଅତିଥିଙ୍କ ପାଇଁ ନୁହେଁ, ବରଂ ନବବଧୂଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗର୍ବର ବିଷୟ ଥିଲା । କନ୍ୟା ଜଣକ ମଧ୍ୟ ସ୍ୱାମୀଙ୍କ ଏହି ଭାବନାକୁ ସମ୍ମାନ ଜଣାଇଥିଲେ । ବରର ଏଭଳି ଆଚରଣ ସ୍ପଷ୍ଟ କରୁଛି ଯେ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ମଧ୍ୟ ସେ ନିଜ ମାଆଙ୍କୁ କେତେ ଭଲପାଏ ।

ୟୁଜର୍ସଙ୍କ ପ୍ରତିକ୍ରିୟା କ’ଣ ?

ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ନିଜ ନିଜ ମତ ରଖିଛନ୍ତି । କମେଣ୍ଟରେ କିଏ ଲେଖିଛି ଏହା ହେଉଛି ପ୍ରକୃତ ସଂସ୍କାର ତ ଆଉ କିଏ ଲେଖିଛି ଜଣେ ପୁଅ ପାଇଁ ସବୁବେଳେ ମାଆଙ୍କ ସ୍ଥାନ ପ୍ରଥମେ ରହିବା ଉଚିତ୍ । ଏଭଳି ଭାବେ ଅନେକ ଏହାକୁ ନେଇ ସକରାତ୍ମକ କମେଣ୍ଟମାନ ଦେଉଛନ୍ତି ।ଅନ୍ୟଜଣେ ୟୁଜର୍ସ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି କି, ବାହାଘରରେ ବର କନ୍ୟା ଉପାସ ରହିଥାନ୍ତି । ତେଣୁ ସେମାନେ ନିଜେ ପ୍ରଥମେ ନଖାଇ ମାଆଙ୍କୁ ଖୁଆଇଛନ୍ତି ।