ବେଗୁନିଆପଡ଼ା - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ଛୁରା ମାଡ଼ରେ ୪ ଜଣ ଆହତ ହୋଇଥିବା ବେଳେ, ସେଥିମଧ୍ୟରୁ ଜଣେ ଅତି ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମର ମୁଖ୍ୟ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। କିଛି ବ୍ଯକ୍ତି ଅଚାନକ ଗାଁରେ ପହଞ୍ଚି ଗୋଟିଏ ପରିବାରର ବାପା ଓ ୨ ପୁଅକୁ ଛୁରାମାଡ଼ କରି ଥିଲେ। ପରେ ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଘଟଣାରେ ଫାଶୀ ଗ୍ରାମର ରାଜେଶ କୁମାର ପଲେଇ ଗୁରୁତର ହୋଇଛନ୍ତି। ତାଙ୍କ ବଡ଼ ଭାଇ ରାକେଶ କୁମାର ପଲେଇ ଓ ବାପା ଭାବଗ୍ରାହୀ ପଲେଇ ମଧ୍ୟ ଆକ୍ରମଣରେ ଆହତ ହୋଇଥିବା ବେଳେ, ବାହାର ଗାଁରୁ ୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆସି ଗଣ୍ଡଗୋଳ ଘଟାଇ ଥିଲେ।

ସେମାନଙ୍କ ମଧ୍ୟରୁ ବାଦପଲ୍ଲୀ ଗ୍ରାମର ଭଗବାନ ସ୍ବାଇଁ ନାମକ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି। ଅନ୍ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସମସ୍ତ ୪ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।