ନୂଆଦିଲ୍ଲୀ,୦୪/୦୯:  ଜିଏସଟି ପରିଷଦର ୫୬ତମ ବୈଠକରେ  ବଡ଼ ନିଷ୍ପତ୍ତି। ଦୀପାବଳି ପୂର୍ବରୁ ଦେଶର ସାଧାରଣ ଲୋକ, ଛୋଟ ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି  । ଏଣିକି ଆଉ ୪ଟି ସ୍ଲାବ ନୁହେଁ ବରଂ ୨ ଟି ସ୍ଲାବରେ ଜିଏସଟି ଆଦାୟ କରାଯିବ । କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ସେହିପରି ବୈଠକରେ ରୋଟିଠୁ ଆରମ୍ଭ କରି କ୍ଷୀର ,ପନିର୍ ପର୍ଯ୍ୟନ୍ତ ଜିରୋ ଜିଏସଟି ହୋଇଛି।

ଟିକସ ସ୍ଲାବରେ ପରିବର୍ତ୍ତନ ବିଷୟରେ ସୂଚନା ଦେବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୋଟି, ପରଟା, , ପିଜା,ପାଉଁରୁଟି,UHT କ୍ଷୀର, ଛେନା ଉପରେ ଜିଏସଟି ଲାଗୁ ହେବ ନାହିଁ କହିଛନ୍ତି। ପୂର୍ବରୁ ଏଗୁଡ଼ିକ ଉପରେ ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା, କିନ୍ତୁ ଏବେ ଏହା ଶୂନ୍ୟ GST ହୋଇଯାଇଛି। ସେହିପରି ସରକାର ଶିକ୍ଷାଗତ ସାମଗ୍ରୀକୁ  ଜିଏସଟି ମୁକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପେନସିଲ୍, ଇରେଜର ଏବଂ କଟର ଭଳି ଅନେକ ସାମଗ୍ରୀ ଉପରେ କର ଲାଗୁଥିଲା, କିନ୍ତୁ ଏବେ ସେଗୁଡ଼ିକ GST ପରିସର ବାହାରେ।

ଅନ୍ୟପଟେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସରକାର ଅନେକ ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ-ଜୀବନ ନୀତିଗୁଡ଼ିକୁ ମଧ୍ୟ GST ପରିସର ବାହାରେ ରଖାଯାଇଛି। ପରିଷଦ ବୈଠକରେ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସଟି ଉଠାଯାଇଛି।  ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଟିକସ ଲାଗୁ କରାଯାଇଥିଲା।  ପ୍ରକାଶ ଥାଉକି, ଟୁଥ ପାଉଡର, କ୍ଷୀର ବୋତଲ, ରୋଷେଇ ପାତ୍ର, ଛତା, ସାଇକେଲ, ବାଉଁଶ ଫର୍ଣ୍ଣିଚର  ଭଳି ସାମଗ୍ରୀ ଉପରେ ଟିକସ ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ସାମ୍ପୁ, ଟାଲକମ୍ ପାଉଡର, ଟୁଥପେଷ୍ଟ, ଟୁଥବ୍ରଶ୍, ଫେସ୍ ପାଉଡର, ସାବୁନ ଏବଂ କେଶ ତେଲ ଉପରେ ଟିକସ ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।