ନୂଆଦିଲ୍ଲୀ,୨୨/୧୨: ଦେଶର ବ୍ୟବହୃତ ବା ୟୁଜ୍‌ଡ କାର ବଜାର ଢ଼େର୍‌ ମାତ୍ରାରେ ବଢ଼ିଯାଇଛି । ପୁରୁଣା ଗାଡ଼ିକୁ କମ୍‌ ଦାମରେ ପାଉଛନ୍ତି ଉପଭୋକ୍ତା । କିନ୍ତୁ ଏବେ ଏହି ବ୍ୟବହୃତ ବା ପୁରୁଣା ଗାଡ଼ି ମହଙ୍ଗା ହେବାକୁ ଯାଉଛି । ଇଲେକ୍ଟ୍ରିକ୍‌ ଯାନ ସହିତ ସବୁ ପ୍ରକାର ପୁରୁଣା କାର୍‌ ଟ୍ରାଞ୍ଜାକସନ ଉପରେ ଟିକସ ବଢ଼ିବ । ବିଭିନ୍ନ କମ୍ପାନିଗୁଡ଼ିକ ଦ୍ୱାରା ବ୍ୟବହୃତ କାର୍‌ଗୁଡ଼ିକର ବିକ୍ରି ଉପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)କୁ ୧୨%ରୁ ୧୮%କୁ ବଢ଼ାଇଛି ଜିଏସ୍‌ଟି ପରିଷଦ । କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ଅନ୍ତର, ଯାହାକୁ ମାର୍ଜିନ ବୋଲି କୁହାଯାଇଥାଏ ତାହା ଉପରେ ଏହି ଟିକସ ଲାଗୁ ହେବ । ବ୍ୟକ୍ତିଗତ ବିକ୍ରେତା ତଥା କ୍ରେତାଙ୍କ ଉପରେ ପରିବର୍ତ୍ତିତ ଟିକସ ହାରର ପ୍ରଭାବ ପଡ଼ିବ ନାହିଁ । ସେମାନଙ୍କ ପାଇଁ ୧୨% ଟିକସ ଜାରି ରହିବ । ଅର୍ଥାତ୍‌ ବ୍ୟକ୍ତିଗତ ଭାବେ ପୁରୁଣା ଗାଡ଼ି କ୍ରେତା ତଥା ବିକ୍ରେତାଙ୍କ ଉପରେ ଜିଏସ୍‌ଟି ବୃଦ୍ଧିର କୌଣସି ପ୍ରଭାବ ପଡ଼ିବ ନାହିଁ । 

ଗତକାଲ ରାଜସ୍ଥାନର ଜୈସଲ୍‌ମରଠାରେ ଆୟୋଜିତ ପରିଷଦର ୫୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ନୂଆ ଇଭି କ୍ରୟ ଉପରେ ୫% ଟିକସ ଲାଗିବ । ପୁରୁଣା ଇଭି ଉପରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କଲେ କୌଣସି ଜିଏସ୍‌ଟି ଲାଗିବ ନାହିଁ । କିନ୍ତୁ ଯଦି କୌଣସି କମ୍ପାନି ଏହାକୁ କିଣିଥାଏ ତେବେ ମାର୍ଜିନ ଉପରେ ୧୮% ଟିକସ ଲାଗିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ବୈଠକରେ ଆହୁରି ଅନେକ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ କ୍ଷେତ୍ର ଯେପରି ରିଟେଲରମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଗିଫ୍ଟ ଭାଉଚରକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି । ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଟିକସ ହ୍ରାସ ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏ ବିଷୟରେ ମନ୍ତ୍ରୀଗୋଷ୍ଠୀ ବୈଠକରେ ସହମତି ପ୍ରକାଶ ପାଇନାହିଁ । 

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ କାର୍ଯ୍ୟ ପାଇଁ ମନ୍ତ୍ରୀଗୋଷ୍ଠୀକୁ ଅଧିକ ସମୟ ଲୋଡ଼ା । ଏହା ଉପରେ ବୀମା ନିୟାମକ ଆଇଆର୍‌ଡିଏଆଇର ମତ ବି ଆବଶ୍ୟକ ରହିଛି । ଏହା ପରେ ଯାଇ ମନ୍ତ୍ରୀଗୋଷ୍ଠୀ ଚୂଡ଼ାନ୍ତ ନିଷ୍ପତ୍ତି ନେବ ଏବଂ ପରେ ଏହା ଜିଏସ୍‌ଟି ପରିଷଦକୁ ଆସିବ । ଜିଏସ୍‌ଟି ପରିଷଦ ଏହା ସ୍ପଷ୍ଟ କରିଛି ଯେ, ୫୦%ରୁ ଅଧିକ ଫ୍ଲାଏ ଆସ୍‌ ସାମଗ୍ରୀଯୁକ୍ତ ଅଟୋକ୍ଲେଭ୍‌ଡ ଏରେଟେଡ୍‌ କଂକ୍ରିଟ୍‌(ଏଏସି) ବ୍ଲକ୍‌ ଏଚ୍‌ଏସ୍‌ କୋଡ୍‌ ୬୮୧୫ ଅନ୍ତର୍ଗତ ଆସିବ ଏବଂ ଏହା ଉପରେ ୧୮% ବଦଳରେ ୧୨% ଜିଏସ୍‌ଟି ଲାଗୁ ହେବ । ଏହାସହିତ ଫର୍ଟିଫାଏଡ୍‌ ରାଇସ୍‌ କର୍ଣ୍ଣେଲ ଉପରେ ଜିଏସ୍‌ଟିକୁ ୧୮%ରୁ ୫%କୁ ଖସାଇବାକୁ ନିଷ୍ପତ୍ତି ନେଇଛି ପରିଷଦ । ସିନେମା ହଲ୍‌ ଏବଂ ଥିଏଟର୍‌ରେ ବିକ୍ରି ହେଉଥିବା ରେଡି-ଟୁ-ଇଟ୍‌ ପପ୍‌କର୍ଣ୍ଣ ଉପରେ ଟିକସ ଦରକୁ ସ୍ପଷ୍ଟ କରିଛି ଜିଏସ୍‌ଟି ପରିଷଦ । ଏହା ଅନୁସାରେ ପ୍ରି- ପ୍ୟାକେଜ୍‌ଡ ହୋଇ ନ ଥିଲେ ଲୁଣ ଏବଂ ମସଲା ସହ ମିଶ୍ରିତ ପପ୍‌କର୍ଣ୍ଣ ଉପରେ ୫% ଜିଏସ୍‌ଟି ଲାଗିବ । ଯଦି ଏହା ପ୍ରି-ପ୍ୟାକେଜ୍‌ଡ ଏବଂ ଲାବେଲ୍‌ ହୋଇଥିବ ତେବେ ୧୨% ଟିକସ ଲାଗିବ । ସେହିଭଳି ଚିନି ସହିତ ମିଶ୍ରିତ ପପ୍‌କର୍ଣ୍ଣ(ଯେପରି କାରମେଲ୍‌ ପପ୍‌କର୍ଣ୍ଣ) ଉପରେ ୧୮% ଜିଏସ୍‌ଟି ଲାଗିବ । ବ୍ୟାଙ୍କ କିମ୍ବା ବିତ୍ତୀୟ ପ୍ରତିଷ୍ଠାନଙ୍କ ଦ୍ୱାରା ଋଣଗ୍ରହିତାଙ୍କ ଉପରେ ଲଗାଯାଉଥିବା ଜରିମାନା ଉପରେ କୌଣସି ଜିଏସ୍‌ଟି ଲାଗିବ ନାହିଁ ।

ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରାଜ୍ୟଗୁଡ଼ିକ ଏହା ସପକ୍ଷରେ ନାହାନ୍ତି । ଏହା ଉପରେ ଆଜି ବିସ୍ତୃତ ଭାବେ ଚର୍ଚ୍ଚା ହୋଇଛି କିନ୍ତୁ ରାଜ୍ୟଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ୍‌କୁ ଜିଏସ୍‌ଟି ପରିସରକୁ ଆଣିବାକୁ ଚାହୁଁନାହାନ୍ତି । ଜିନ୍‌ ଥେରାପିକୁ ସମ୍ପୂର୍ଣ୍ଣ ରୂପେ ଜିଏସ୍‌ଟିମୁକ୍ତ କରାଯାଇଛି । ଗୋଲମରିଚ ଏବଂ କିସ୍‌ମିଶ ଉପରେ ସ୍ଥିତି ସ୍ପଷ୍ଟ କରାଯାଇଛି । ଯଦି ଜଣେ ଚାଷୀ ଏହାକୁ ବିକ୍ରି କରେ ତାହା ଉପରେ କୌଣସି ଟିକସ ଲାଗିବ ନାହିଁ । ୨୦୦୦ ଟଙ୍କାରୁ କମ୍‌ ପେମେଣ୍ଟ କରୁଥିବା ପେମେଣ୍ଟ୍‌ ଏଗ୍ରିଗେଟରଙ୍କୁ ଜିଏସ୍‌ଟି ଛାଡ଼ ଦେବାକୁ ନିଷ୍ପତ୍ତି ହୋଇଛି ।