ନୂଆଦିଲ୍ଲୀ,୦୫/୦୯: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ରେ କେନ୍ଦ୍ର ସରକାର ନୂଆ ସଂସ୍କାର ଆଣିବା ପରେ ଆଇପିଏଲ ପ୍ରଶଂସକ ପ୍ରଭାବିତ ହେବାକୁ ଯାଉଛନ୍ତି । ପୂର୍ବରୁ ଥିବା ଚାରିଥାକିଆ ଜିଏସଟି ଢାଞ୍ଚାରେ ପରିବର୍ତ୍ତନ କରାଯାଇ ଦୁଇ ଥାକିଆ କରାଯାଇଛି । ଅତି ବିଳାସପୂର୍ଣ୍ଣ ଏବଂ କିଛି ହାନିକାରକସାମଗ୍ରୀ ଉପରେ ଏକ ନୂଆ ୪୦ ପ୍ରତିଶତ ସ୍ଲାବ ଲାଗୁ କରାଯାଇଛି । ଏହି ସ୍ଲାବ୍ ଆଇପିଏଲ ଟିକେଟ୍ ଉପରେ ଲାଗୁ କରାଯିବ ।
ପୂର୍ବରୁ ଆଇପିଏଲ ଟିକେଟ୍ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିଲା । କିନ୍ତୁ ଏବେ ୪୦ ପ୍ରତିଶତ ଲାଗିବ । ତେଣୁ ଆଗାମୀ ସଂସ୍କରଣର ଟିକେଟ୍ ଗୁଡ଼ିକ ଖୁବ ମହଙ୍ଗା ହୋଇଯିବ । ଯଦି ଜଣେ ଦର୍ଶକ ୧୦୦୦ ଟଙ୍କିଆ ଟିକେଟ୍ କିଣିବେ ତେବେ ତାଙ୍କୁ ୧୪୦୦ ଟଙ୍କା ଦେବାକୁ ପଡ଼ିବ । ଯାହା ପୂର୍ବରୁ ୧୨୮୦ ଟଙ୍କା ରହିଥିଲା । ଏବେ ୧୨୦ ଟଙ୍କା ଅଧିକ ଦେବାକୁ ହେବ ।
ଯେଉଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ଥିଲା ତାହା ୭୦୦ ଟଙ୍କା ଏବଂ ୨୦୦୦ ଟଙ୍କିଆ ଟିକେଟ୍ ମୂଲ୍ୟ ୨୮୦୦ ଟଙ୍କା ପଡ଼ିବ । ଅତି ବିଳାସପୂର୍ଣ୍ଣ ଏବଂ ହାନିକାରକ ସାମଗ୍ରୀ ମଧ୍ୟରେ ଆଇପିଏଲ ଟିକେଟ୍କୁ ସାମିଲ କରାଯାଇଛି । ତେଣୁ ଆଗାମୀ ସଂସ୍କରଣରେ ଟିକେଟର ମୂଲ୍ୟ ବଢ଼ିବାକୁ ଯାଉଛି । ଏହାର ପ୍ରଭାବ ସାଧାରଣ ଦର୍ଶକଙ୍କ ଉପରେ ପଡ଼ିବ । ଦର୍ଶକ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଆଗାମୀ ସଂସ୍କରଣରେ ହିଁ ଜଣା ପଡ଼ିବ ।